ପୁରୀ: ଜିଲ୍ଲାର ବହୁଚର୍ଚ୍ଚିତ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ମୋଟିଭ୍ ତ ସ୍ପଷ୍ଟ ହୋଇ ସାରିଛି। ଅପରାଧୀ ବି ଗିରଫ ହୋଇ ସାରିଛନ୍ତି। ହେଲେ ଅପରାଧର ତରିକା ସମ୍ପର୍କରେ ପୋଲିସକୁ ମିଳିନଥିଲା ଏକ ନିଚ୍ଛକ ଚିତ୍ର। ଖାସ୍ ସେଥିପାଇଁ ରିମାଣ୍ଡ ମିଳିବା ସଙ୍ଗେ ସଙ୍ଗେ ଅପରାଧୀମାନଙ୍କୁ ନେଇ ଅପରାଧ ସଂଗଠିତ ହୋଇଥିବା ସ୍ଥାନକୁ ଛୁଟି ଯାଇଥିଲା ପୋଲିସ। ପୋଲିସ ଗିରଫ ହୋଇଥିବା ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ଏସଡିଜେଏମ କୋର୍ଟ ଅପରାଧୀମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ପୋଲିସକୁ ଦେଇଥିଲେ ଅନୁମତି।


COMMERCIAL BREAK
SCROLL TO CONTINUE READING

ଏହାପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ। ଅପରାଧୀ କେମିତି ଅପରାଧ ଘଟାଇଥିଲେ। କାହିଁକି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କଲେ। ହତ୍ୟା ପାଇଁ କେତେ ଟଙ୍କାରେ ହୋଇଥିଲା ଡିଲ୍। କିଏ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରି ନେଲା ପ୍ରତିଶୋଧ। ଏ ସମସ୍ତ କଥାର ଖୋଳତାଡ଼ କରିଥିଲେ ତଦନ୍ତକାରୀ ଟିମ୍। ୪ ଅପରାଧୀଙ୍କ ମଧ୍ୟରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ (Crime Scene Recreation) କରିଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଓରଫ ଟୁଟୁ ମହାପାତ୍ର ଏବଂ ଆଉଜଣେ ଅଭିଯୁକ୍ତ କୁନମୁନି ସୁଆରଙ୍କୁ ନେଇ କଡ଼ା ସୁରକ୍ଷାରେ ପୋଲିସ ପୁରୀସ୍ଥିତ ବାରବାଟୀ ଜାଗା ପରିସରରେ ପହଞ୍ଚିଥିଲା। ଗତ ୧୬ ତାରିଖ ଘଟିଥିଲା ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାଣ୍ଡ। ଆଖି ପିଛୁଳାକେ ଅପରାଧୀ ଆସି ତାଙ୍କୁ ନିଜ ବନ୍ଧୁକର ନିଶାନା ବନାଇ ପୁଣି କୁଆଡ଼େ ଉଭେଇଗଲେ। ତେଣୁ ବର୍ତ୍ତମାନ ସେମାନେ ଧରାପଡ଼ିବା ପରେ ଚଉତରାର କେଉଁ ସ୍ଥାନରେ ବସିଥିଲେ, ଟୁଟୁ କେଉଁ ବାଟ ଦେଇ ଆସିଲା, କୁନମୁନି କେଉଁ ବାଟ ଦେଇ ଆସିଲା, ଏହାପରେ ସେ କେଉଁଠାରେ ବସିଥିଲା, ଟୁଟୁ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ପଛ ପଟକୁ ଯାଇ କେମିତି ଗୁଳି ମାରିଲା ସେ ସବୁ କିଛିର ସିନକୁ ରି-କ୍ରିଏଟ୍ କରିଥିଲେ ଦୁଇ ଅଭିଯୁକ୍ତ। ହତ୍ୟା କରିବା ପରେ କେଉଁ ବାଟ ଦେଇ ଖସି ପଳାଇଲେ ଓ କାହା ସହ ଗଲେ ତାକୁ ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ।


ଆବଶ୍ୟକ ପଡ଼ିଲେ ଅନ୍ୟ ଦୁଇ ଅଭିଯୁକ୍ତ ହରି ପଣ୍ଡା ଏବଂ ଆଶିଷ ମହାପାତ୍ର ଓରଫ ବାବାଙ୍କୁ ନେଇ ମଧ୍ୟ କ୍ରାଇମ ସିନ୍ ରିକ୍ରିଏସନ କରାଯିବ ବୋଲି ଏସପି କହିଛନ୍ତି। ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରିମାଣ୍ଡ ସମୟରେ ପୋଲିସ ଅଭିଯୁକ୍ତଙ୍କଠାରୁ ସମସ୍ତ ତଥ୍ୟ, ପ୍ରମାଣ ହାସଲ କରି ଚାର୍ଜସିଟ୍ ଦାଖଲ କରିବ। ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାରକୁ ନ୍ୟାୟ ଦେବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଅତିରିକ୍ତ ଏସପି ମିହିର ପଣ୍ଡାଙ୍କ ନେତୃତ୍ୱରେ ଗଠନ କରାଯାଇଛି ଏସଆଇଟି ଟିମ୍ (SIT Team)। ଚାର୍ଜଫ୍ରେମ୍ ପ୍ରସ୍ତୁତ କରିବା ପାଇଁ ଏସଆଇଟି ଟିମ୍ ଦ୍ୱାରା ପ୍ରାଥମିକତା ଭିତ୍ତିରେ ତଦନ୍ତ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ।


ପୂର୍ବରୁ ପୋଲିସ ସୂଚନା ଦେଇଥିଲା, ଗୁନ ସିଂହାରୀଙ୍କ ମୁଣ୍ଡ ପାଇଁ କୁଆଡ଼େ ନିଆଯାଇଥିଲା ପ୍ରତିଶୋଧ। ବଡ଼ଭାଇ ହତ୍ୟାର ପ୍ରତିଶୋଧ ନେଲେ ସାନଭାଇ ଆଉ ପୁତୁରା। ଏଥିପାଇଁ ସୁପାରୀ କିଲରଙ୍କ ସହ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ସାମ୍ୱାଦିକ ସମ୍ମିଳନୀ ଜରିଆରେ ପୂରା ଘଟଣା ବଖାଣିଥିଲେ ପୁରୀ ଏସପି (Puri SP)।୧୦ ବର୍ଷ ତଳ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛନ୍ତି ତାଙ୍କ ଭାଇ କାଳିଆ ସିଂହାରୀ ଆଉ ପୁତୁରା ଦୋଳଗୋବିନ୍ଦ। ସୁପାରୀ ଦିଆ ଯାଇଥିବା ୩୦ ଲକ୍ଷ ଟଙ୍କାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ। ତେବେ ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ। ବର୍ତ୍ତମାନ ଫେଜ୍ ବାଇ ଫେଜ୍ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଜେରା କରା ଯାଉଥିବା ବେଳେ ଆଉ ୩ ଅଭିଯୁକ୍ତ କେବେ ପୋଲିସ ଜାଲରେ ପଡୁଛନ୍ତି, ତାକୁ ହିଁ ଅପେକ୍ଷା।


Also Read: 'ଆଣବିକ ଅସ୍ତ୍ର ପ୍ରତିଯୋଗିତାକୁ ଋଷ ଯୋଗାଉଛି ଇନ୍ଧନ'


Also Read:ଗୁଗଲର କମାଲ; ସ୍ମାର୍ଟଫୋନ ବତାଇବ ଦିଲ୍ ର ହାଲ୍