ଜୟପୁର: ରାଜସ୍ଥାନରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ମାମଲାରେ ଏକ ଚଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଶନିବାର ଏକ କୂଅରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ ମଧ୍ୟ ମୋଟ ସାତ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନି ଭଉଣୀଙ୍କ ମଧ୍ୟରୁ ଦୁଇ ଜଣ ଗର୍ଭବତୀ ଥିବା ଜଣା ପଡିଛି। ଯୌତୁକ ପାଇଁ ସେମାନଙ୍କୁ ଲଗାତର ନିର୍ଯାତନା ଦେଉଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


COMMERCIAL BREAK
SCROLL TO CONTINUE READING

ଶନିବାର ଅପରାହ୍ନରେ ରାଜସ୍ଥାନର ଜୟପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ରାଜଧାନୀର ଡୁଡୁ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ତିନି ଭଉଣୀ କାଳୁ ଦେବୀ (୨୫), ମମତା ମୀନା (୨୩), କମଳେଶ (୨୦) ଓ ବଡ ଭଉଣୀ କାଳୁଙ୍କ ଦୁଇଟି ପିଲା ( ହର୍ଷିତ ୪ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୨୭ ଦିନ) ଥିଲେ।  ମୃତ ମମତା ଓ କମଳେଶ ଗର୍ଭବତୀ ଥିବା କୁହାଯାଉଛି। ଏହି ଘଟଣା ପରେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଏହି ତିନି ଭଉଣୀଙ୍କୁ ଯୌତୁକ ପାଇଁ ଶାଶୁଘରେ ବାରମ୍ବାର ନିର୍ଯାତନା ଦିଆଯାଉଥିଲା। ଏଥିରେ ଅତିଷ୍ଟ ହୋଇ ତିନିଜଣ ଭଉଣୀ ସେମାନଙ୍କ ପିଲାଙ୍କୁ ନେଇ ଆତ୍ମହତ୍ୟା କରିଛନ୍ତି।


Also Read: ଜୟପୁରରେ ଚାଞ୍ଚଲ୍ୟ! ଦୁଇ ଶିଶୁ ସମେତ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, କୂଅରୁ ମୃତଦେହ ଉଦ୍ଧାର


 


ମୃତ ମହିଳାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ତିନି ଭଉଣୀଙ୍କୁ ଯୌତୁକ ପାଇଁ ଲଗାତର ନିର୍ଯାତନା ଦେଉଥିଲେ। ସେମାନେ ମେ ୨୫ରେ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଥାନା ଏବଂ ମହିଳା ହେଲ୍ପଲାଇନରେ ରିପୋର୍ଟ କରାଯାଇଥିଲା। ଜାତୀୟ ମହିଳା ଆୟୋଗରେ ମଧ୍ୟ ଅଭିଯୋଗ କରାଯାଇଛି। ମୃତକମାନେ କୌଣସି ସୁଇସାଇଡ ନୋଟ ଛାଡି ନାହାଁନ୍ତି। ସାନ ଭଉଣୀ କାମଲେଶଙ୍କ ହ୍ୱାଟସଆପ୍ ଷ୍ଟାଟସ୍ ସମସ୍ତଙ୍କୁ ଚକିତ କରିଦେଇଛି। ପରିବାର ଲୋକଙ୍କ ଅନୁସାରେ, କମଲେଶ ଲେଖିଥିଲେ ଯେ, 'ଆମେ ବର୍ତ୍ତମାନ ଚାଲିଯାଉଛୁ। ଖୁସି ହୁଅ, ଆମ ମୃତ୍ୟୁର କାରଣ ହେଉଛି ଆମର ଶାଶୁଘର, ପ୍ରତିଦିନ ମରିବା ଅପେକ୍ଷା ଥରେ ମରିଯିବା ଭଲ।'


ଏଥିସହିତ କମଲେଶ ଲେଖିଥଲେ, 'ତେଣୁ ଆମେ ଏକାଠି ମରିବାକୁ ସ୍ଥିର କରିଛୁ, ଆମର ପରବର୍ତ୍ତୀ ଜୀବନରେ ଆମେ ଏକାଠି ଜନ୍ମ ହେବା। ଆମେ ମରିବାକୁ ଚାହୁଁନାହୁଁ କିନ୍ତୁ ଆମ ଶାଶୁଘର ଆମକୁ ବ୍ୟଥିତ କରନ୍ତି ଏବଂ ଆମ ମୃତ୍ୟୁ ପାଇଁ ଆମର ପିତାମାତା ଦାୟୀ ନୁହଁନ୍ତି।' ମହିଳାମାନେ ନିଖୋଜ ହେବାର ୪ ଦିନ ପରେ ପୋଲିସ ଶନିବାର ସକାଳେ ଡୁଡୁ ଗାଁର ଏକ କୂଅରୁ ସମସ୍ତ ତିନି ଭଉଣୀ ଏବଂ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ମୃତକଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା, ପାରିବାରିକ ହିଂସା ଭଳି ଅପରାଧିକ ଦଫାରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲାରେ ତିନିଜଣ ମହିଳାଙ୍କ ସ୍ୱାମୀ, ଶାଶୁ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।


Also Read: କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ଭବାନୀପାଟଣା POCSO କୋର୍ଟ


ସେପଟେ ରାଜସ୍ଥାନର ମହିଳା ସଂଘମାନେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମହିଳାଙ୍କ ମୃତଦେହ ଉଦ୍ଧାର ପାଇଁ ୪ ଦିନ ସମୟ ନେଇଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କୁହାଯାଉଛି ଯେ, ୧୦ ବର୍ଷ ତଳେ କାଳୁ, ମମତା ଓ କମଳେଶ ବାଲ୍ୟ ବିବାହ କରିଥିଲେ। ଘରର ଅଶୋଚନୀୟ ଆର୍ଥିକାବସ୍ଥା ପାଇଁ କାଳୁଙ୍କ ବାପା ତିନି ଭଉଣୀଙ୍କୁ ଏକା ଥରେ ତିନି ଭଉଣୀଙ୍କୁ ଡୁଡୁ ଅଞ୍ଚଳର ତିନି ଭାଇଙ୍କ ସହ ବିବାହ କରିଥିଲେ। ବିବାହ ପରଠାରୁ ତିନି ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ। ତେବେ ଦୁଇ ଗର୍ଭବତୀ ସମେତ ୫ ଜଣଙ୍କୁ ହତ୍ୟା କରାଯାଇଛି ନା ସେମାନେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ତାହା ପୋଲିସର ତଦନ୍ତ ପରେ ଜଣା ପଡିବ।