ହାଇଦ୍ରାବାଦ: ଜରୁରୀକାଳୀନ ସହାୟତା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୦୦ ନମ୍ବର ଜାରି କରାଯାଇଛି। କିଛି ରାଜ୍ୟରେ ଏହି ନମ୍ବର ୧୧୨କୁ ପରିବର୍ତ୍ତନ କରିଛନ୍ତି। କିନ୍ତୁ ବେଳେ ବେଳେ କିଛି ଲୋକ ଜାଣତ କିମ୍ବା ଅଜାଣତେ ଏହାର ଅପବ୍ୟବହାର କରନ୍ତି। ଆଉ ଏହାର ପରିଣାମ ମଧ୍ୟ ତାଙ୍କୁ ଭୋଗିବାକୁ ପଡେ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି। ପତ୍ନୀ ମଟନ୍ ତରକାରି ରାନ୍ଧିନଥିବା ଅଭିଯୋଗ କରିବାକୁ ଯାଇ ସ୍ୱାମୀ ଥାନାରେ ଅଟକ ରହିଥିଲେ।


COMMERCIAL BREAK
SCROLL TO CONTINUE READING

ହୋଲି ଅବସରରେ ନାଲଗୋଣ୍ଡା ଜିଲ୍ଲାରେ ଏହି ବିଚିତ୍ର ଘଟଣା ଘଟିଥିଲା। କାନାଗଲ ମଣ୍ଡଳର ଚେର୍ଲା ଗୋୱାରାମ ଗାଁର ୨୦ ବର୍ଷିୟ ନବୀନ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥରେ ନୁହେଁ ବରଂ ଛଅ ଥର ୧୦୦ ନମ୍ବର ଡାଏଲ କରିଥିଲେ। ଶୁକ୍ରବାର ରାତିରେ ୧୦୦ ନମ୍ବର ଡାଏଲ୍ କରିବାବେଳେ ନବୀନ ନିଶାରେ ଥିଲେ। ତାଙ୍କ ପତ୍ନୀ ପର୍ବ ଦିନ ମଟନ୍ ରାନ୍ଧିବାକୁ ମନା କରିଦେଇଥିଲେ ବୋଲି ନବୀନ ପୋଲିସରେ ଅଭିଯୋଗ କରୁଥିଲେ।


Also Read: ମହାରାଷ୍ଟ୍ରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମରେ ଏତଲା


ପୋଲିସ ପ୍ରଥମେ ନବୀନଙ୍କ କଲକୁ ଏକ ପ୍ରାଙ୍କ କଲ୍ ଭାବରେ ଅଣଦେଖା କରିଥିଲା। ​​କିନ୍ତୁ ଯେତେବେଳେ ନବୀନ ଲଗାତର କଲ୍ କରିଥିଲେ, ସେତେବେଳେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ନବୀନଙ୍କ କଲ ବିଷୟରେ ଅଧିକାରୀ ତାଙ୍କ ବରିଷ୍ଠମାନଙ୍କୁ ମଧ୍ୟ ସୂଚନା ଦେଇଥିଲେ।


ଫୋନ ନମ୍ବର ଆଧାରରେ ପୋଲିସ ନବୀନଙ୍କୁ ଖୋଜିଥିଲା। ପରଦିନ ସକାଳେ କିଛି ପୋଲିସ କର୍ମଚାରୀ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡସଂହିତାର ଦଫା ୨୯୦ (ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ) ଏବଂ ୫୧୦(ମଦ୍ୟପ ବ୍ୟକ୍ତିଙ୍କ ଦ୍ୱାରା ଅସଦାଚରଣ) ଅନୁଯାୟୀ ଅଟକ ରଖାଯାଇଛି। କିନ୍ତୁ ପରେ ନବୀନଙ୍କୁ ପୋଲିସ ଚେତାବନୀ ଦେଇ ଛାଡି ଦେଇଥିଲା।


Also Read: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଶର୍ମିଷ୍ଠା ରାଉତ କ'ଣ ମୋହରା?


ମିଳିଥିବା ସୂଚନାନୁସାରେ, ଶୁକ୍ରବାର ରାତିରେ ନବୀନ ମଦ୍ୟପାନ କରି ଘରକୁ ଫେରିଥିଲେ। ସେ ତାଙ୍କ ସହିତ କିଛି ମଟନ୍ ଆଣିଥିଲେ ଏବଂ ତାଙ୍କ ପତ୍ନୀ ଏହାକୁ ରାନ୍ଧିବାକୁ କହିଥିଲେ। କିନ୍ତୁ ନବୀନଙ୍କ ଖରାପ ଅଭ୍ୟାସରେ ବିରକ୍ତ ହୋଇଥିବା ପତ୍ନୀ ତାଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ। ଏହା ପରେ ନବୀନ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିବାକୁ ୧୦୦ ନମ୍ବରରେ ଫୋନ କରିଥିଲେ।