ମହାରାଷ୍ଟ୍ରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମରେ ଏତଲା
Advertisement
Article Detail0/zeeodisha/odisha1129017

ମହାରାଷ୍ଟ୍ରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମରେ ଏତଲା

ମାର୍ଚ୍ଚ ୧୭ରେ ନାସିକର ଗଙ୍ଗାପୁର ଥାନାରେ ବୈବଭ ଗେହଲୋଟଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୁଜରାଟ କଂଗ୍ରେସ ସଚିବ ସଚିନ ପୁରୁଷୋତ୍ତମ ଭାଲେରା। ତାଙ୍କ ପିତା ପୁରୁଷୋତ୍ତମ ଭାଇ ଭାଲେରା ମଧ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା। 

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ନାସିକର ଗଙ୍ଗାପୁର ଥାନାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈବଭ ଗେହଲୋଟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ବୈବଭ, ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ସଭାପତି ଅଛନ୍ତି। କୋର୍ଟଙ୍କ ମାଧ୍ୟମରେ ନାସିକର ଜଣେ ବ୍ୟବସାୟୀ ସୁଶୀଲ ଭଲଚାନ୍ଦ ପାଟିଲ ଏହି ମାମଲା ଦାୟର କରିଛନ୍ତି। ବୈବଭଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ମହାରାଷ୍ଟ୍ରର ନାସିକରେ ପର୍ଯ୍ୟଟନ ବିଭାଗର ଇ-ଟଏଲେଟ୍ ସମେତ ଅନ୍ୟ ବିଭାଗରେ ଟେଣ୍ଡର କରାଇଦେବା ନାମରେ ତାଙ୍କୁ ଛଅ କୋଟି ଅଶୀ ଲକ୍ଷ ଟଙ୍କା ଠକିଥିବା ସୁଶୀଲ ପାଟିଲ ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୧୭ରେ ନାସିକର ଗଙ୍ଗାପୁର ଥାନାରେ ବୈବଭ ଗେହଲୋଟଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୁଜରାଟ କଂଗ୍ରେସ ସଚିବ ସଚିନ ପୁରୁଷୋତ୍ତମ ଭାଲେରା। ତାଙ୍କ ପିତା ପୁରୁଷୋତ୍ତମ ଭାଇ ଭାଲେରା ମଧ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା। ସୁଶୀଲ ପାଟିଲ ତାଙ୍କ ଏଫଆଇଆରରେ କହିଛନ୍ତି ଯେ, ସଚିନ ଭାଲେରା ନିଜକୁ ଜଣେ ବିଜ୍ଞାପନ ବ୍ୟବସାୟୀ ଭାବରେ ବର୍ଣ୍ଣନା କରିଥିଲେ। ୧୩ଟି ରାଜ୍ୟରେ ପେଟ୍ରୋଲ ପମ୍ପରେ ବିଜ୍ଞାପନ ଦେବା ପାଇଁ ତାଙ୍କର ଚୁକ୍ତିନାମା ରହିଛି ବୋଲି କହିଥିଲେ। ଏଥିସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ମଧ୍ୟ ସେ ଦାବି କରିଛନ୍ତି। ସୁଶୀଲ ପାଟିଲ କହିଛନ୍ତି ଯେ, ସଚିନ ତାଙ୍କୁ ଆଶ୍ୱାସନା ଦେଇଥିଲେ କି ଯଦି ସେ ତାଙ୍କ ସହ କାମରେ ଟଙ୍କା ବିନିଯୋଗ କରନ୍ତି ତେବେ ସେ ବହୁତ ରୋଜଗାର କରିବେ। ତେବେ ଏଥିପାଇଁ ତାଙ୍କୁ କେବଳ ଟେଣ୍ଡରରେ ଭାଗ ନେବାକୁ ପଡିବ ଆଉ ବାକି କାମ ବୈବଭ ଗେହଲୋଟ ଦେଖିନେବେ ବୋଲି ସଚିନ କହିଥିବା ସୁଶୀଲ ଦର୍ଶାଇଛନ୍ତି।

Also Read: Bihar Politics: ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହେବ ଲୋକତାନ୍ତ୍ରିକ ଜନତା ଦଳ

କେବଳ ଏତିକି ନାହିଁ ସଚିନ ପୁରୁଷୋତ୍ତମ ଭାଲେରା, ସୁଶୀଲଙ୍କୁ ରାଜସ୍ଥାନ ସରକାରଙ୍କ ଟେଣ୍ଡର ସର୍କୁଲାର ଗୁଡିକ ଦେଖାଇଥିଲେ। କିନ୍ତୁ ପରେ ସେଗୁଡିକ ସବୁ ନକଲି ବୋଲି ଜଣାପଡିଥିଲା। ସୁଶୀଲ କହିଛନ୍ତି ଯେ, ସଚିନଙ୍କ ବିବୃତ୍ତି ଅନୁଯାୟୀ ସେ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ଛଅ କୋଟି ଅଶୀ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି। ସତ୍ୟତା ଜାଣିବା ପରେ ସେ ସଚିନଙ୍କୁ ଟଙ୍କା ଫେରାଇବାକୁ କହିଥିଲେ କିନ୍ତୁ ସେ ଅନେକ ବାହାନା କରୁଥିଲେ ଏବଂ ତା’ପରେ ତାଙ୍କ ଫୋନ ମଧ୍ୟ ବନ୍ଦ କରିଦେଇଥିଲେ। ଏହା ପରେ ସୁଶୀଲ ବାଧ୍ୟ ହୋଇ କୋର୍ଟ ମାଧ୍ୟମରେ ସଚିନ୍ ପୁରୁଷୋତ୍ତମ ଭାଲେରା, ବୈବଭ ଗେହଲୋଟଙ୍କ ସମେତ ପ୍ରାୟ ୧୫ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ନକଲି ଟେଣ୍ଡର ପେପର ଦେଖାଇ ଟଙ୍କା ହଡ଼ପ ଷଡଯନ୍ତ୍ର କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। 

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲୋଟ୍ (Vaibhav Gehlot) ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେବା ସହ ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି। ବୈବଭ କହିଛନ୍ତି ଯେ, 'ଠକେଇ ମାମଲାକୁ ନେଇ ଗଣମାଧ୍ୟମରେ ମୋର ନାମ ଚର୍ଚ୍ଚା ହେଉଛି। କିନ୍ତୁ ସେ ବିଷୟରେ ମୋ ନିକଟରେ କୌଣସି ସୂଚନା ନାହିଁ ଏବଂ ଠକେଇ ସହ ମୋର କୌଣସି ସମ୍ପର୍କ ନାହିଁ। ଆମେ ସମସ୍ତେ ଜାଣୁ ଯେ, ନିର୍ବାଚନ ପାଖେଇ ଆସିଲେ ମିଥ୍ୟା ଅଭିଯୋଗ ସାମ୍ନାକୁ ଆସିବ।' ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ସରଗରମ ହେବାରେ ଲାଗିଛି। ସୋମବାର ରାଜ୍ୟସଭାର ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବ, ତେବେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋ ହାଲ୍ଲା ହୋଇପାରେ। ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ ଏହି ପ୍ରସଙ୍ଗରେ ଟ୍ୱିଟ କରି ବୈବଭଙ୍କ ବିରୋଧରେ ରୁଜୁ ମାମଲାକୁ ନେଇ ସମସ୍ତଙ୍କ ଆଗରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ ଦାବି କରିଛନ୍ତି।