କଳାହାଣ୍ଡି: ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ ରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ସରକାର କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସହ ଉନ୍ନତମାନର ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସରକାର। ଆଉ ସରକାରୀ ନିର୍ଦେଶ କାର୍ଯକାରୀ ହେଉଛି।


COMMERCIAL BREAK
SCROLL TO CONTINUE READING

ହେଲେ କୋଭିଡ ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଲେ ସରକାର। ଏହି ନିର୍ଦ୍ଦେଶ ଏବେ କିଛି ଆସାଧୁ ବ୍ୟକ୍ତିଙ୍କ ପାଇଁ ପାଲଟିଛି ରୋଜଗାରର ପନ୍ଥା। ପିଲାଙ୍କୁ ଯୋଗାଇ ଦିଆଯାଉଥିବା ଶୁଖିଲା ଖାଦ୍ୟ ବା ଚାଉଳ ନିମ୍ନ ମାନର ହେବା ସହ ପ୍ଲାଷ୍ଟିକ ଚାଉଳ ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡୁମରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ।


ଏହି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ପିଲାଙ୍କ ପାଇଁ ୧୪ କ୍ୱିଣ୍ଟାଲ ଚାଉଳ ସରକାର ଯୋଗାଇ ଦେଇଥାନ୍ତି। ଏହି ଚାଉଳ ପିଲାଙ୍କୁ ବଣ୍ଟନ ପାଇଁ ଆସିଥିବା ବେଳେ ବିଳମ୍ବ ନ କରି ପ୍ରଧାନ ଶିକ୍ଷକ ପିଲାଙ୍କୁ ଚାଉଳ ବଣ୍ଟନ କରିଥିଲେ। ଅଭିଭାବକ ମଧ୍ୟ ବେଶ ଖୁସିର ସହ ବିଦ୍ୟାଳୟରୁ ଚାଉଳ ନେଇ ପିଲାଙ୍କ ପାଇଁ ରୋଷେଇ ଆରମ୍ଭ କଲେ। ହେଲେ ରୋଷେଇ କରିବା ବେଳେ ଜାଣିବାକୁ ପାଇଲେ ଯେ ଚାଉଳରେ କିଛି ମାତ୍ରାରେ ପ୍ଲାଷ୍ଟିକ ଚାଉଳ ମିଶିଛି। ୧୦୦ ଗ୍ରାମ ଚାଉଳ ରେ ପାଖାପାଖି ୩୦ ଭାଗ ଚାଉଳ ପ୍ଲାଷ୍ଟିକ ପରି ଦେଖା ଯାଉଥିବା ବେଳେ ଏହା ସାଧାରଣ ଚାଉଳ ଠାରୁ ଦେଖିବାକୁ କିଛି ଭିନ୍ନ ଲାଗୁଛି। ତୁରନ୍ତ ଅଭିଭାବକ ସମସ୍ତ ଚାଉଳ ନେଇ ବିଦ୍ୟାଳୟ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ।


ଅଭିଯୋଗ ପାଇବା ପରେ ଶିକ୍ଷକ ସମସ୍ତ ବଣ୍ଟନ ଚାଉଳ ଫେରାଇ ଦେବା ପାଇଁ କହିଥିଲେ। ଏନେଇ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲ୍ଲା ଶିକ୍ଷା ବିଭାଗ ଚାଉଳ ପଠାଇବାରୁ ଆମେ ଏହାକୁ ବଣ୍ଟନ କରୁଛୁ। ପ୍ରତ୍ୟେକ ମାସରେ ଓଜନ ଠାରୁ ବହୁ କାମ ଚାଉଳ ବିଦ୍ୟାଳୟକୁ ଦିଆଯାଉଛି। ଲାଭଖୋର ମନୋବୃତ୍ତି ପାଇଁ ପିଲାଙ୍କ ଜୀବନ ସହ ଜିଲ୍ଲା ଶିକ୍ଷା ବିଭାଗ ଖେଳ ଖେଳୁଛି ବୋଲି ପ୍ରଶ୍ନ ଉଠିଛି।


ଏ ପ୍ରସଙ୍ଗରେ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟାହ୍ନ ଭୋଜନରେ ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଥିବା କହୁଥିବା ବେଳେ ଶିକ୍ଷକ ଏ ବାବଦରେ ଅନଭିଜ୍ଞ ଅଛନ୍ତି। ସେପଟେ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ଅଭିଭାବକ। ଏଠି ପ୍ରଶ୍ନ ଉଠୁଛି ଏହା ପ୍ରକୃତରେ ଭିଟାମିନ ଯୁକ୍ତ ଚାଉଳ ନା ପ୍ଲାଷ୍ଟିକ ଚାଉଳ? ଯାହା ତଦନ୍ତ ସାପେକ୍ଷ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।