ଅଙ୍ଗନବାଡି କେନ୍ଦ୍ରରେ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ
ସରକାର ଯେତେ ଡିଣ୍ଡିମ ପିଟନ୍ତୁ ନାଁ କାହିଁକି ତୃଣମୂଳ ସ୍ତରରେ ସ୍ଥିତି କଣ ଅଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।
କନ୍ଧମାଳ: ରାଜ୍ୟ ସରକାର ଶିଶୁଙ୍କ ବିକାଶ ପାଇଁ କରି ଚାଲିଛନ୍ତି ଯୋଜନା ପରେ ଯୋଜନା। ହେଲେ ଏହି ଯୋଜନାର ସଫଳ ରୂପାୟନ ଉପରେ କାହାର ନଜର ନାହିଁ। ଜଣେ ଶିଶୁଙ୍କ ପାଖରେ ପହଞ୍ଚିବା ପାଇଁ ଅଙ୍ଗନବାଡି ହେଲପେର ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ, ସୁପର ଭାଇଜର, ସିଡିପିଓ, ଜିଲା ସମାଜ ମଙ୍ଗଳ ଅଧିକାରୀ ରହିଛନ୍ତି। ଏହା ସତ୍ତ୍ୱେ ଅଙ୍ଗନବାଡି ଶିଶୁଙ୍କୁ ପଚା ଅଣ୍ଡା ଦିଆଯାଉଛି। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ୬ ନମ୍ବର ୱାର୍ଡ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ଏହି କେନ୍ଦ୍ରରେ ୩ ବର୍ଷର ଶିଶୁ ତଥା ଗର୍ଭବତୀ ମହିଳାଙ୍କୁ ପଚା ଅଣ୍ଡା ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଲତା ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଏହି ଘଟଣା ଏବେ ମୋ ନଜରକୁ ଆସିଲା। ମୁ ତଦନ୍ତ କରି କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ଉପରେ ପଦକ୍ଷେପ ନେବି। ସରକାର ଯେତେ ଡିଣ୍ଡିମ ପିଟନ୍ତୁ ନାଁ କାହିଁକି ତୃଣମୂଳ ସ୍ତରରେ ସ୍ଥିତି କଣ ଅଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଶିଶୁଙ୍କୁ ସୁରକ୍ଷା ଦେବା ନାମରେ ଗରିବ ଆଦିବାସୀଙ୍କୁ ଜିଲା ପ୍ରଶାସନ ଠାକୁଥିବା କହିଛନ୍ତି ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ।