ଭଦ୍ରକ: ସୁନ୍ଦର ସମାଜ ଗଠନ କ୍ଷେତ୍ରରେ ଶିକ୍ଷାର ଭୂମିକା ଯେମିତି ଗୁରୁତ୍ବପୂଣ୍ଣ ସ୍ବାସ୍ଥ୍ୟ ସେବା ମଧ୍ୟ ସେତିକି ଗୁରୁତ୍ବ ରହିଛି। ଦେଶ ସ୍ବାଧିନତା ପର ଠାରୁ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଭିନ୍ନ ଭିନ୍ନ ଯୋଜନା ଆଜି ଯାଏ ପ୍ରଣୟନ ହୋଇଆସୁଛି। ଏପରିକି ଘରେ ଘରେ ସ୍ବାସ୍ଥ୍ୟ ସେବା ପହଞ୍ଚିବାକୁ ଭ୍ରାମ୍ୟମାଣ ଡାକ୍ତରୀ ଭ୍ୟାନ ଗ୍ରାମାଞ୍ଚଳରେ ଘୁରି ବୁଲୁଛି। ହେଲେ ବ୍ଲକ ଗୁଡିକରେ ଥିବା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଶ୍ରହୀନ ହୋଇଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏଭଳି ଏକ ସର୍ବପୁରାତନ ଅସୁରକ୍ଷିତ ସ୍ବାସ୍ଥ୍ୟକେନ୍ଦ୍ର ଦେଖିବାକୁ ମିଳିଛି। ଯେଉଁଠି ନାହିଁ ନାହିଁରେ ସ୍ବାସ୍ଥ୍ୟସେବା ଚାଲିଛି।


COMMERCIAL BREAK
SCROLL TO CONTINUE READING

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଚାରିଆଡ଼େ କେବଳ ସଂକ୍ରମଣ ରୋଗ ଆଉ ସାପ କାମୁଡ଼ା ମାମଲା ଦେଖିବାକୁ ମିଳୁଛି। ବନ୍ତ ବ୍ଲକର କିଛି ଅଞ୍ଚଳ ମଧ୍ୟ ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳ ଅଛି ଯେଉଁଠି ବଷା ଜଳ ଶୁଖୁନାହିଁ। ସନ୍ତ ସନ୍ତିଆ ପରିବେଶରେ ଝାଡ଼ାବାନ୍ତି ସାଙ୍ଗକୁ ସାପ କାମୁଡ଼ାର ଭୟ ବି ରହୁଛି। ଲୋକଙ୍କ ଭରସା ଥିବା ସର୍ବପୁରାତନ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଏବେ ବନ୍ଦ ହୋଇପଡିଛି। ଏହି ଘଟଣାକୁ ନେଇ ସାଧାରଣରେ ଏବେ ନେତାମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲର ଷ୍ଟାଫ ନର୍ସ, ଅଟେଣ୍ଡାଣ୍ଟ କଥା ନକହିବା ଭଲ। କୌଣସି ରୋଗୀ ଗୁରୁତ୍ବର ହେଲେ ନା ଅଛି ବେଡ ନା ଆନୁଷଙ୍ଗିକ ବ୍ୟବସ୍ଥା। ଲାଇଟ ନାହିଁ। ପାନୀୟ ଜଳର ସୁବିଧା ନାହିଁ। ଛାତରୁ ଅତଡା ଖସିଲାଣି। ଯାହାକୁ ନେଇ ଅନେକ ସମୟରେ ଦାବି କରାଯାଇଛି। 


Also Read: Odisha Chief Secretary: ପାୱାର କରିଡରରେ ପାୱାର କଟ୍! ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ସୃଷ୍ଟି ହେଲା ଝଡ଼


୧୯୫୫ ମସିହାରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗେଇଦେବା ପାଇଁ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା। ବନ୍ତ ବ୍ଲକର ୧୮ଟି ପଞ୍ଚାୟତ ଓ ପଡୋଶୀ କେନ୍ଦୁଝର ଜିଲ୍ଲା ହାଟଡିହ ବ୍ଲକର ୮ଟି  ପଞ୍ଚାୟତର ଅଧିବାସୀ ଉପକୃତ ହେବା ଲକ୍ଷ ନେଇ ଏହି ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭ ହୋଇଥିଲା। ସେହିପରି  ୧୯୮୧ ମସହିାରେ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ଓ ସଂପ୍ରସାରଣ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦଘାଟନ କରିଥିଲେ। ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ଗୃହ ଛିଡା ହେଇଛି କିନ୍ତୁ ସେବା ମିଳୁନି। ପ୍ରତିଦିନ ପ୍ରାୟ ୩୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି। ଜଣେ ଆୟୁସ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନେଇ ରୋଗୀସେବା ଚାଲୁଛି। 


 


୨୦୧୧-୧୨ ଆର୍ଥିକ ବର୍ଷରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ତିନୋଟି ଦୁଇ ମହଲା କୋଠା ଘର ତିଆରି ପାଇଁ ୩୪ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା। ଟେଣ୍ଡର ମାଧ୍ୟମରେ ନିୟୋଜିତ ହୋଇଥିବା ଠିକାଦାର ଗୃହ କାର୍ଯ୍ୟ ଅଧାରୁ ଛାଡି କୁଆଡେ ଉଭାନ ହୋଇଗଲେ। ପରେ କୋଠାଟିକୁ ସମ୍ପୂର୍ଣ୍ଣ କରିବାକୁ ବନ୍ତ ବ୍ଲକ ତରଫରୁ ୨୦୧୭ ମସିହାରେ ୬ ଲକ୍ଷ ୭୬ ହଜାର ଟଙ୍କା ଅନୁଦାନ କରାଯାଇଥିଲା। ଏହି ଅନୁଦାନ ରାଶିରେ ଗୋଟିଏ ଘର ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟ ଦୁଇଟି ଅର୍ଦ୍ଧ ନିର୍ମିତ ହୋଇ ପଡିରହିଛି। ଯେଉଁଠି ଏବେ ଅସାମାଜିକ ଲୋକଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ଅନ୍ୟପଟେ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ସୁବିଧା ନଥିବାରୁ ସେମାନେ ଅନେକ ସମୟରେ ମେଡିକାଲରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଲୋକମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। 


Also Read: Puri custody Death: ହାଜତ ମତ୍ୟୁର ନୂଆ ମୋଡ଼, ପୋଲିସ ନାଁରେ ପରିବାର ଆଣିଲା ଗୁରୁତର ଅଭିଯୋଗ


ସେହିପରି ୬୩ ଲକ୍ଷ ବ୍ୟୟ ବରାଦରେ ଗତ ୨୦୧୯ ମସିହାରେ ତତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ନୂତନ ଡାକ୍ତରଖାନା ଗୃହର ଭିତ୍ତିପ୍ରସ୍ତର ଉଦ୍ଘାଟନ ହୋଇଥିଲା। ସେ କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯାହାକୁ ନେଇ ଏବେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ଶୀଘ୍ର ସର୍ବପୁରାତନ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ରହିଥିବା ସମସ୍ୟାର ସମାଧାନ କରାନଯାଏ, ତେବେ ଆନ୍ଦୋଳନ ହେବ ଓ ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।