Jagannath Temple: ବଡ଼ ଦେଉଳ, ବଡ ଠାକୁର । ତାଙ୍କ ମହିମା ଅପାର । ବିଶ୍ୱର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ଆସନ୍ତି ତାଙ୍କ ଦର୍ଶନ କରିବାକୁ । ପୂଜା ବା ପାର୍ବଣ ନୁହେଁ ପୁରୀ ବଡ଼ ଦାଣ୍ଡରେ ହରଘଡି ଲାଗିଥାଏ ଶ୍ରଦ୍ଧାଳୁଙ୍କ ଗହଳି। କଥାରେ ଅଛି କାଳିଆର ଲାଗିଲେ ଡୋରି, ନେବ ସେ ପୁରୀକୁ ଭିଡ଼ି। ରତ୍ନସିଂହାସନରେ ବସି ଜଗତକୁ ଆଶୀର୍ବାଦ କରୁଥିବା ଶ୍ରୀଅଙ୍ଗକୁ ନେଇ ଏବେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କୁହାଯାଉଛି ରତ୍ନସିଂହାସନରେ ମୂଷା ଓ ଅସରପା ପ୍ରବଳ ରହିଛନ୍ତି । ଯାହା ଫଳରେ ରତ୍ନସିଂହାସନରେ ଶ୍ରୀଅଙ୍ଗକୁ ବିପଦ ବଢିବାରେ ଲାଗିଛି। ବଡ଼ ବଡ଼ ମୂଷା ରତ୍ନସିଂହାସନରେ ଆତଯାତ କରୁଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ବଢୁଛି ବୋଲି ଆଶଙ୍କା ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

କୁହାଯାଉଛି ରତ୍ନସିଂହାସନରେ (Shree Mandira Ratna singhasan) ବଡ଼ ବଡ଼ ମୂଷା ଓ ଅସରପା କାରଣରୁ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ହେଲେ ଏତେ ମୂଷା ଆସିଲେ କେଉଁଆଡୁ ତାହା ବି ବଡ଼ ପ୍ରଶ୍ନ । ହେଲେ ଏଠାରେ କହିରଖୁଛୁଯେ, ରତ୍ନସିଂହାସନରେ ଭୋଗ ନୈବେଦ୍ୟ ଲାଗି କରାଯାଇଥାଏ। ଧୂପ ଦୀପ ବାସ୍ନାରେ ମୂଷା ଓ ଅସରପାଙ୍କ ସଂଖ୍ୟା ବଢିଚାଲିଥାଏ। ଜଣେ ସେବାୟତଙ୍କ କହିବା କଥା, ବେସ କରିବା ସମୟରେ ମଧ୍ୟ ଅସରପା ଓ ମୂଷା ଚଳପ୍ରଚଳ ହୋଇଥାନ୍ତି । ଶ୍ରୀଅଙ୍ଗ ଚାରିପଟେ ବଡ଼ ବଡ଼ ମୂଷା ପ୍ରବଳ ରହିଛନ୍ତି । ଭଣ୍ଡାର ଘରେ ମୂଷା ଭର୍ତ୍ତି ହୋଇ ରହିଥିବା ସହ ଶ୍ରୀ ଅଙ୍ଗକୁ କ୍ଷତି ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। 


ଅନ୍ୟପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କ କହିବା କଥା, ମୂଷା ଓ ଅସରପା ରହିଥିବା କଥାଟି ସମ୍ପୂର୍ଣ୍ଣ ସତ। ହେଲେ ମନ୍ଦିର ପ୍ରଶାସନ ମଧ୍ୟ ଏନେଇ ସଜାଗ ରହିଛି ଓ ମୂଷା ଅସରପା ନିପାତ କରିବାକୁ ପଦକ୍ଷେପ ମଧ୍ୟ ନେଇଛନ୍ତି। ହେଲେ ଫଳ ଶୂନ କାରଣ ହେଲା ଟିକିଏ ଆବାଜ ହେଲା ମାନେ ମୂଷା ଓ ଅସରପା ଚାନ୍ଦୁଆ ଉପରକୁ ଚଢିଯାଆନ୍ତି । ସେଠାରେ ରହିଛନ୍ତି ଯାହା ଫଳରେ ଯେତେ ପଦକ୍ଷେପ ନେଲେ ମଧ୍ୟ ହାତରେ ଧରାପଡ଼ନ୍ତି ନାହିଁ। ଏବଂ ରତ୍ନସିଂହାସନ(Ratna Singhasan) ଉପରେ ଚାନ୍ଦୁଆ ରହିଛି, ମହାପ୍ରଭୁଙ୍କ ଆସ୍ଥାନ ଉପରେ ଚଢି ଚାନ୍ଦୁଆରୁ ଅସରପା ଓ ମୂଷାଙ୍କୁ ତଡ଼ିବା ପଦକ୍ଷେପ ନିଆଯାଇପାରିବ ନାହିଁ। ଯେତେବେଳେ ରଥଯାତ୍ରା ହୁଏ ସେହି ସମୟରେ ଚାନ୍ଦୁଆ ସଫା ହୋଇଥାଏ ତଥାପି ସେଠାରେ ଭୋଗ ଓ ଖାଦ୍ୟ ସବୁ ଖାଇ ମୂଷା ମାନେ ନିଜର ବଂଶ ବିସ୍ତାର କରୁଛନ୍ତି।


ସେହିପରି ଶ୍ରୀମନ୍ଦିର (Shree Mandira) ନୀତି ପ୍ରଶାସକ କହିଛନ୍ତି ଯେ, ଶ୍ରୀ ଅଙ୍ଗକୁ କୌଣସି ବିପଦ ନାହିଁ। କାରଣ ପ୍ରତିଦିନ ପ୍ରତି ମୂହୁର୍ତ୍ତରେ ଶ୍ରୀ ଅଙ୍ଗରେ ଚନ୍ଦନ, ଚୂଆ ଓ କପୂର ଲଗାଯାଉଥିବାରୁ ଅସରପା ଓ ମୂଷା ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଇପାରିବେ ନାହିଁ।  ସେହିପରି ମୂଷା ମାନଙ୍କ ପାଇଁ ଯନ୍ତା ମଧ୍ୟ ବସାଯାଉଛି। ନୀତିକାନ୍ତି କାର୍ଯ୍ୟ ଚାଲୁଥିବାରୁ ଶ୍ରୀଅଙ୍ଗକୁ କୌଣସି କ୍ଷତି ନାହିଁ ବୋଲି ପ୍ରଶାସକ କହିଛନ୍ତି। ବହୁ ପରିମାଣରେ ନୁହେଁ କମ ପରିମାଣରେ ମୂଷା ଓ ଅସରପା ରତ୍ନ ସିଂହାସନରେ ଅଛନ୍ତି ବୋଲି ସେ କହିଛନ୍ତି।


Also Read: Hockey WorldCup 2023: ଜଗିବ ୮୦୦ ସିସିଟିଭି, ୧୧ ଟି ସ୍ଥାନରେ ପାର୍କିଂ ନିୟମ ଭାଙ୍ଗିଲେ ଗଣିବେ ଏତିକି ଟଙ୍କା ଫାଇନ


Also Read: Hirakud Reservoir: ରେକର୍ଡ କଲା ହୀରାକୁଦ ଜଳଭଣ୍ଡାର, ବିଦେଶରୁ ଆସିଲେ ୩ ଲକ୍ଷ ଅତିଥି