ଜଳେଶ୍ୱର:  ରାସ୍ତାରେ ଜେସିବି ରଖିବାକୁ କେନ୍ଦ୍ରକରି ନାଏବ ସରପଞ୍ଚ ସ୍ୱାମୀକୁ ହତ୍ୟା ଉଦ୍ୟମ। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ବାଲେଶ୍ଵର ଜିଲ୍ଳା ବସ୍ତା ଥାନା ଅଧିନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଘଟିଯାଇଛି ଏଭଳି ଘଟଣା।  


COMMERCIAL BREAK
SCROLL TO CONTINUE READING

ନିଶ୍ଚିନ୍ତପୁର ଗ୍ରାମରେ ଜେସିବି ରଖିବାକୁ କେନ୍ଦ୍ର କରି ସୋମବାର ବରୁଣଗଡ଼ିଆ ନାଏବ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯିବା ପୁଲିସ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ୨ ଜଣକୁ ଥାନାରେ ଅଟକ ରଖିଛି ପୋଲିସ୍। ଘଟଣାରୁ ପ୍ରକାଶ ଯେ ଗ୍ରାମର ବୈଠକରେ ନିଆଯାଇଥିବା ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଦ୍ୟାଳୟରେ ମାଟି ଭର୍ତ୍ତି ପାଇଁ ନାଏବ ସରପଞ୍ଚଙ୍କ ସ୍ଵାମୀ ଅରୁଣ କୁମାର ବେହେରାଙ୍କ ସମେତ ଗ୍ରାମବାସୀ ଉଦ୍ୟମ କରିଥିଲେ। 


ପରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀର ଲୋକ ଉକ୍ତ ଜେସିବିକୁ ଅଟକ ରଖିଥିଲେ। କାହିଁକି ଏହି ଜେସିବି ଅଟକ ରଖୁଛ ବୋଲି ଅରୁଣ ପଚାରିବାରୁ ସେହି ଗ୍ରାମର ନିତ୍ୟାନନ୍ଦ ବେହେରା, ଶମ୍ଭୁନାଥ ମହାପାତ୍ର ଏବଂ ସହଯୋଗୀ ଆସି ଅରୁଣଙ୍କୁ  ମାଡ଼ ମାରିବା ସହିତ ଏକ ଧାରୁଆ କୋଦାଳରେ ତାଙ୍କ ବେକକୁ ହାଣି ଦେବାକୁ ଉଦ୍ୟମ ହୋଇଥିଲା। ମାତ୍ର ଅରୁଣ ହାତ ଦେଖେଇ ଦେବାରୁ ତାଙ୍କର ବାମପଟ ହାତ ହାଣି ହୋଇଯିବା ସହିତ ହାଡ଼ ଦୁଇଖଣ୍ଡ ହୋଇଯାଇଥିଲା। 


ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଅରୁଣଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ନିତ୍ୟାନନ୍ଦ ଏବଂ ଶମ୍ଭୁନାଥଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।