Hockey World Cup 2023:  ଆଜିଠୁ ହକି ମହାକୁମ୍ଭ ଆରମ୍ଭ ହେବ । ଷ୍ଟାଡିୟମରେ ଗଡିବ ହକି ବଲ ।  ଚିଅର ଅପରେ କମ୍ପିବ ମଇଦାନ ।  ଏଥିପାଇଁ ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲାର ବିର୍ସା ମୁଣ୍ଡାର ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏଫଆଇଏଚ ପୁରୁଷ ହକି ବିଶ୍ବକପ୍ ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍ ଖେଳାଯିବ । କଳିଙ୍ଗ ଷ୍ଟାଡ଼ିୟମରେ ଅପରାହ୍ଣ ୧ଟାରେ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହାପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍‌ସ ମଧ୍ୟରେ ଖେଳାଯିବ। ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସକୁ ଭେଟିବା ଏବଂ ରାତି ୭ଟାରେ ଘରୋଇ ଭାରତ-ସ୍ପେନକୁ ଭେଟିବ। ଆୟୋଜକ ଭାରତ ପ୍ରଥମ ମ୍ୟାଚ ସ୍ପେନ ବିପକ୍ଷରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରାହାମ ରିଡ୍‌ଙ୍କ ପ୍ରଶିକ୍ଷଣ ଓ ହରମାନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ବିଶ୍ବକପ ଜିତିବାର ୪୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ। 


COMMERCIAL BREAK
SCROLL TO CONTINUE READING

ତେବେ,ଏହି ଉଦଘାଟନୀ ମ୍ୟାଚ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ରାଉରକେଲା ଗସ୍ତ କରିବେ ବୋଲି ସୂଚନା ମିଳିଛି । ରାଉରକେଲାରେ ପହଞ୍ଚିବା ପରେ ଷ୍ଟାଡିୟମରେ ଉପସ୍ଥିତ ରହି ସେ ଭାରତ-ସ୍ପେନ ମ୍ୟାଚ୍‌କୁ ଦେଖିବେ । ଏବଂ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି । ତେବେ, ହକି ବିଶ୍ବ କପ ପାଇଁ ଭୁବେନେଶ୍ବର ଠାରୁ ଆରମ୍ଭ କରି ହକିର ଏନ୍ତୁ଼ଡିଶାଳ କୁହାଯାଉଥିବା ପୁରା ସୁନ୍ଦରଗଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଉଦ୍‌ଘାଟନୀ ଉତ୍ସବରେ ଭାରତର ମ୍ୟାଚ୍‌ ଥିବାରୁ ଷ୍ଟାଡିୟମ ଦର୍ଶକରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଆଗମନ ହେବା ଆଶା କରାଯାଉଛି । 


ଏହାବି ପଢନ୍ତୁ : Hockey World Cup Trophy: ଷ୍ଟିଲସିଟିରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ରାଉରକେଲା ମାଟି


ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ଭୁବନେଶ୍ବର ସମେତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆୟୋଜିତ ହେଉଛି। ହକି ବିଶ୍ବକପ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡ଼ିୟମ ନିର୍ମିତ ହୋଇଥିବାବେଳେ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୧୭ ଦିନରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ୨୯ରେ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ଭାରତ ପ୍ରଥମ ତଥା ଏକମାତ୍ର ବିଶ୍ବକପ ୧୯୭୫​‌ରେ କ୍ବାଲାଲାମ୍ପପୁରରେ ଅଜିତପାଲ ସିଂହଙ୍କ ଅଧିନାୟକତ୍ବରେ ଜିତିଥିଲା। ହକି ବିଶ୍ବକପ ଭାରତରେ ୪ର୍ଥ ଥର ଆୟୋଜିତ ହେଉଥି୍ବା ବେଳେ ଓଡ଼ିଶା କ୍ରମାଗତ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି। ସେପଟେ, ଭିଡକୁ ନିୟନ୍ତ୍ରଣ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୋଟ୍‌ ୫୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଷ୍ଟାଡିୟମ ସମେତ ରାଉରକେଲା ସହର ସାରା ଆଲୋକ ସଜ୍ଜା କରାଯାଇଛି । ଏପରିକି ସହରର ପ୍ରମୁଖ ସ୍ଥାନ ଗୁଡିରେ ହକି ମ୍ୟାଚ ଦେଖିବା ପାଇଁ  ଏଲ୍‌ଇଡି ଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି ।