ଭଞ୍ଜନଗର (ମନୋଜ ଗୌଡ଼): ପ୍ରାକ ବିଦ୍ୟାଳୟ ଅର୍ଥାତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଛୋଟ ଛୋଟ ପିଲାମାଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ମଡେଲ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରି ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବା ପାଇଁ ନୂତନ କୋଠା ନିର୍ମାଣ ପାଇଁ ଆନୁଦାନ ବି ଆସୁଛି। ହେଲେ ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି। କେଉଁଠି କୋଠା ନିର୍ମାଣର ଅବଧି ସରି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରିନଥିବା ବେଳେ କେଉଁଠି ଅଧପନ୍ତରିଆ ଭାବେ ନିର୍ମାଣ କାର୍ଯ୍ୟ ପଡି ରହିଛି। ତେଣୁ କେଉଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ଅଭାବରୁ ପିଲେ ମନ୍ଦିର ପିଣ୍ଡାରେ ପଢ଼ୁଥିବା ବେଳେ କେଉଁଠି ଭଡା ଘରେ ଚାଲିଛି କେନ୍ଦ୍ର। ଯାହାକୁ ନେଇ ଏବେ ଅଭିଭାବକମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକରେ ଅନେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ। କେଉଁଠି ଗୃହ ନିର୍ମାଣ ଅଧପନ୍ତରିଆ ଭାବେ ପଡି ରହିଥିବା ବେଳେ, କେଉଁଠି କୋଠା ନିର୍ମାଣ କରିବାର ଅବଧି ପରେ ବି ନିର୍ମାଣ କାଯ୍ୟ ଶେଷ ହୋଇ ପାରୁନି। ଫଳରେ ଅଙ୍ଗନବାଡିକୁ ଆସୁଥିବା ପିଲାମାନେ କେଉଁଠି ମନ୍ଦିର ପିଣ୍ଡାରେ ପଢ଼ୁଛନ୍ତି ତ କେଉଁଠି ଭଡ଼ା ଘର ପାଲଟିଛି ଅଙ୍ଗନବାଡି କେନ୍ଦ୍ର। ପୁଣି କେଉଁଠି ଅଙ୍ଗନବାଡି ଦିଦି ଘରେ ଚାଲିଛି। ଫଳରେ ଉପଯୁକ୍ତ ପରିବେଶ ଅଭବରୁ ପିଲାଙ୍କ ପଢ଼ାରେ ନାନା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। କାନଗିରିଡ଼ିରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି। 


ଅଙ୍ଗନବାଡି ଏକରେ ୨୧ ଜଣ ପିଲା ଓ ଦୁଇରେ ୨୮ ଜଣ ପିଲା ପଢ଼ୁଥିବା ବେଳେ ଉଭୟ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସରକାର ଆନୁଦାନ ଦେଇଛନ୍ତି ହେଲେ ଦୁଇ ବର୍ଷ ରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ଗୃହ ନିର୍ମାଣ ହୋଇ ପାରୁନାହିଁ। ଫଳରେ ଅଙ୍ଗନବାଡି କେନ୍ଦ୍ର ଅଭବରୁ ପିଲାମାନେ ଅଙ୍ଗନବାଡି ଦିଦିଙ୍କ ଘରେ ସଙ୍କୁଚିତ ପରିବେଶରେ ପାଠ ପଢ଼ୁଛନ୍ତି। ସେହିପରି ଜଗମୋହନ ଗ୍ରାମରେ ଅଙ୍ଗନବାଡି ଦୁଇ ଓ ତିନିର ଗୃହ ନଥିବାରୁ ପିଲାମାନେ ଗାଁର ମନ୍ଦିର ପିଣ୍ଡାରେ ଦୁଇ ବର୍ଷ ହେବ ପାଠ ପଢ଼ୁଛନ୍ତି। ଜଗମୋହନ ଗ୍ରାମର ଅଙ୍ଗନବାଡି ଦୁଇ ର ନିର୍ମାଣ ପାଇଁ ଗତ ଆର୍ଥିକ ବର୍ଷ ୧୮-୧୯ରେ ୮ ଲକ୍ଷ ୨୦ ହଜାର ଅନୁଦାନ ଆସିଥିଲା ହେଲେ ଗୃହ ନିର୍ମାଣର ସମୟ ଅବଧି ଶେଷ ପରେ ବି ଗୃହ ନିର୍ମାଣ ଅଧପନ୍ତରିଆ ହୋଇ ପଡି ରହିଛି।


ଏହି ପରି ବ୍ଳକର ଜାହାଡାରେ, ଗଣ୍ଡପଲ୍ଲୀ, କୁସରାବ ଭଳି ଅନେକ ଗ୍ରାମରେ ଗୃହ ନିର୍ମାଣ ହୋଇ ପାରିନଥିବାରୁ ପିଲାଙ୍କ ପଢ଼ାରେ ନାନା ସମସ୍ୟା ସୃଷ୍ଟି ହେଉଛି। ଯାହାକୁ ନେଇ ଏବେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅଧପନ୍ତରିଆ ଭାବେ ପଡିରହିଥିବା କୋଠା ଗୁଡ଼ିକ ର ନିର୍ମାଣ କାଯ୍ୟ ଶେଷ କରିବା ପାଇଁ ଦାବି କରିଛନ୍ତି।


ଏପଟେ ଏହି ଅଙ୍ଗନବାଡି ଗୃହ ନିର୍ମାଣରେ ଅନିୟମିତତା ବିଷୟରେ ଆମେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦୁର୍ଷ୍ଟି ଆକର୍ଷଣ କରିଥିଲୁ। ସେ ଧରାକୋଟ BDOଙ୍କ ସହ ଆଲୋଚନା କରି ଅଧପନ୍ତରିଆ ଭାବେ ପଡି ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ନିର୍ମାଣ କାଯ୍ୟ ଯଥାଶୀଘ୍ର ଶେଷ କରିବା କୁ ପରାମର୍ଶ ଦେବେ ବୋଲି କହିଛନ୍ତି।