Puri: ପାଖେଇ ଆସୁଛି ଜାଗର । ଏନେଇ ଆଜି ପୁରୀ ଲୋକନାଥ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ଯରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାର ଫିଟା ନୀତି ସହ ଅନ୍ଯାନ୍ଯ ନୀତିକାନ୍ତି କରାଯାଇଥିଲା । ଗମ୍ଭୀରା ଭିତରେ ପ୍ରଭୁ ଲୋକନାଥ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି,  କ୍ଷୀର, କଦଳୀ ଆଦି ପଞ୍ଚାମୃତରେ ଆଚ୍ଛାଦିତ ରହିଥାଆନ୍ତି । ଫଳରେ ସେହି ସ୍ଥାନରେ ପଙ୍କ ସଦୃଶ ସୃଷ୍ଚି ହୋଇଥାଏ । ଆଜିର ତିଥିରେ ଗମ୍ଭୀରା ମଧ୍ୟରୁ ଭକ୍ତ ଓ ସେବକ ମାନେ ପଙ୍କୋଦ୍ଧାର କରିଥାଆନ୍ତି । ଏହାପରେ ମହାପ୍ରଭୁଙ୍କୁ ପ୍ରତ୍ଯକ୍ଷ ଭାବେ ଦର୍ଶନ କରାଯାଇଥାଏ । ତେବେ ଲୋକନାଥ ପୀଠରେ ଜାଗର ଯାତ୍ରା ପଙ୍କୋଦ୍ଧାର ଏକାଦଶୀ ଠାରୁ ପାଳନ କରାଯାଇଥାଏ ଯାହା ଅନ୍ଯ କେଉଁଠି ଦେଖିବାକୁ ମିଳେନାହିଁ। ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତିନୀତି ହୋଇନଥାଏ।


COMMERCIAL BREAK
SCROLL TO CONTINUE READING

ଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ। ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ପ୍ରଭୁଙ୍କର ଦିବ୍ଯ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ସେପଟେ କିମ୍ବଦନ୍ତୀ ଅନୁସାରେ ଶ୍ରୀଲୋକନାଥ ଦେବ ମନ୍ଦିର ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଯୁଗଯୁଗ ଧରି ଭକ୍ତମାନେ ଶ୍ରୀଲୋକନାଥଙ୍କ ପୀଠକୁ ଆସିଥାନ୍ତି। ନିଜର ମାନସିକ ପାଇଁ ଅଧିଆ ପଡ଼ନ୍ତି। ଆଉ ବିଶ୍ୱାସ ରହିଛି ଏଠାରେ ମାନସିକ କଲେ ମାନସିକ ପୂରଣ ହୋଇଥାଏ। ଏହି ଅବସରରେ ଚୁଡା଼ଘଷା ଭୋଗ ଲାଗି ହେବାର ପରମ୍ପରା ମଧ୍ଯ ରହିଛି। ସେପଟେ ସମାଜ କଲ୍ୟାଣ ପାଇଁ ଆଜିଠାରୁ ତିନିଦିନ ଧରି ପାର୍ବତୀ ପୁଷ୍କରିଣୀ କୂଳରେ ମହାଦୀପ ଜଳିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।


ତେବେ ପଙ୍କୋଦ୍ଧାର ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା କଡା଼କଡି଼ କରାଯାଇଛି। ଦୁଇ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି ମନ୍ଦିର ପରିସର ଓ ବାହାରେ ସୁରକ୍ଷା ବ୍ଯବସ୍ଥାର ତଦାରଖ କରୁଥିବା ବେଳେ ୧୬ ଜଣ ଇନିସପେକ୍ଟର ଓ ୧୯ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।  ସେପଟେ ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ପରେ ଭୋର ୪ ଟାରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ଟାରେ ମହାଦୀପ ଉଠିବା ନେଇ ସୂଗନା ରହିଛି ।


Also Read- Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ