କଳାହାଣ୍ଡି: ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ଜିଲ୍ଲାର ବସନ୍ତପଡା ଗ୍ରାମବାସୀ ବେଦାନ୍ତ କମ୍ପାନୀ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ ବେଦାନ୍ତ କାରଖାନା ଠାରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ବସନ୍ତପଡା ଗାଁ। ଏହି ଗାଁ ଦେଇ କମ୍ପାନୀରେ ନିୟୋଜିତ ଶହ ଶହ ଭାରୀ ଯାନ ବକ୍ସାଇଟ ବୋଝେଇ କରି ଯାତାୟାତ କରିଥିବା ବେଳେ ଗ୍ରାମକୁ ଲାଗି ରହିଛି କମ୍ପାନୀ ର ରେଡ଼ ମଡ଼ ପଣ୍ଡ। ଯାହା ଫଳରେ ପ୍ରବଳ ମାତ୍ରାରେ ବକ୍ସାଇଟ ଗୁଣ୍ଡ ଉଡୁଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ବକ୍ସାଇଟ ଗୁଣ୍ଡ କାରଣରୁ ଗ୍ରାମର ବହୁ ଲୋକ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଲେଣି। ଏପରିକି ଲୋକଙ୍କ ହାଣ୍ଡିଶାଳରେ ମଧ୍ୟ ବକ୍ସାଇଟ ଗୁଣ୍ଡ ପଶୁଛି। ବକ୍ସାଇଟ ଗୁଣ୍ଡ ଦ୍ୱାରା ଚର୍ମ, କିଡନୀ ରୋଗ,ଶ୍ବାସ ରୋଗ ବ୍ୟାପିବାରେ ଲାଗିଛି। 


ଏନେଇ ଗ୍ରାମବାସୀ ଅନେକ ଥର ଆନ୍ଦୋଳନ କରିବା ସହ ରାଜନେତାଙ୍କ ଠାରୁ ଆରମ୍ଭ ଜିଲ୍ଲା ପ୍ରଶାସନର ଦ୍ୱାରାସ୍ଥ ହୋଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନଥିବାରୁ ଏନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯଥାଶୀଘ୍ର ବସନ୍ତ ପଡା ଗ୍ରାମକୁ ବିସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ଗ୍ରାମବାସୀ।