ସମ୍ବଲପୁର: ସହରରେ ଜିଲ୍ଲା ପ୍ରଶାସନ, ଓରମାସ ଏବଂ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ହୋଇଛି ଗାଁ ଆମ୍ବ ପସରା। ଅନେକ ପ୍ରଜାତିର ଆମ୍ବ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କୁ ବଜାର ଦରରୁ ଶସ୍ତା ଏବଂ ବିନା କୌଣସି କେମିକାଲ ବ୍ୟବହାର କରି ଆମ୍ବ ଯୋଗାଇଦେବେ ଚାଷୀ। ସେପଟେ ଦଲାଲ ଦାଉରୁ ମଧ୍ୟ ରକ୍ଷା ପାଇବେ ଭଲ ଦି ପଇସା ରୋଜଗାର କରିବେ ଆମ୍ବ ଚାଷୀ। 


COMMERCIAL BREAK
SCROLL TO CONTINUE READING

ଆଉ ଦଲାଲଙ୍କ ହାବୁଡ଼ରେ ପଡିବେ ନାହିଁ ଆମ୍ବ ଚାଷୀ। ବଜାର ଦରରୁ କମ ମୂଲ୍ୟରେ ସିଧା ସଳଖ ଗ୍ରାହକଙ୍କୁ ବିକ୍ରି କରିବେ ଆମ୍ବ। କାରଣ ଏବେ ଜିଲ୍ଲା ପ୍ରଶାସନ, ଓରମାସ ଏବଂ ମିଶନ ଶକ୍ତି ଆମ୍ବ ବ୍ୟବସୟୀଙ୍କ ପାଇଁ ଆଣିଦେଇଛନ୍ତି ଏକ ସୁଯୋଗ। ସିଧା ସଳଖ ତାଙ୍କ ଉତ୍ପାଦିତ ଆମ୍ବ ଗ୍ରାହକଙ୍କୁ ବିକ୍ରିକରି ସୁଲଭ ମୂଲ୍ୟ ପାଇ ପାରିବେ ଚାଷୀ। ପୂର୍ବରୁ  ସହରରୁ କିଛି ବ୍ୟବସୟୀ ଯାଇ ଏହି ଚାଷୀଙ୍କ ଠାରୁ ୨୫-୩୫ ଟଙ୍କା କିଲୋର ଆମ୍ବ କିଣି ବଜ଼ାରରେ ଏହାକୁ ୧୦୦ କିମ୍ବା ୨୦୦ ଟଙ୍କାରେ ବିକ୍ରି କରୁଥିଲେ। ଯାହାଫଳରେ ଗ୍ରାହକ ଏବଂ ଚାଷୀ କ୍ଷତିରେ ରହୁଥିବା ବେଳେ ମଝିରେ ରହୁଥିବା ଦଲାଲ ଏହାର ଫଇଦା ଉଠାଇ ଭଲ ପଇସା ରୋଜଗାର କରୁଥିଲେ। ହେଲେ ଏବେ ଆମ୍ବ ଚାଷୀ ନିଜେ ବିକ୍ରି କରି ଭଲ ଦି ପଇସା ରୋଜଗାର କରିବେ। ସରକାରଙ୍କ ଏହି ବ୍ୟବସ୍ଥାକୁ ନେଇ ଖୁଶି ପ୍ରକଟ କରିଛନ୍ତି ଆମ୍ବ ଚାଷୀ।


ସମ୍ବଲପୁର ସହରର ଜେଲ ଛକ ନିକଟରେ ଏହି ଗାଁ ଆମ୍ବ ପସରା ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଛଅଟି ଦୋକାନ ଖୋଲିଥିବା ବେଳେ ଆଠଟି ପ୍ରଜାତିର ଆମ୍ବ ବିକ୍ରି ପାଇଁ ଆସିଛି। ଏହି ଆମ୍ବ ପସରା ୭ ଦିନ ଧରି ଚାଲିବ। ପ୍ରଥମ ଦିନରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବିନା କାର୍ବହାଇଡ୍ରେଡ଼ ପକାଇ ପାଚିଲା ଆମ୍ବ ମିଳୁଥିବାରୁ ଗ୍ରାହକ ମଧ୍ୟ ବେଶ ଖୁସିରେ ଆମ୍ବ କିଣିବାକୁ ପସନ୍ଦ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଗ୍ରାମାଞ୍ଚଳର ଚାଷୀ ମାନେ ଲାଭବାନ ହେବା ସହ ଗ୍ରାହକ ମଧ୍ୟ ସୁଲଭ ମୂଲ୍ୟରେ ଭଲ ଆମ୍ବ ପାଇପାରିବେ।