Mahanadi Bridge: ପାରାଦୀପ (ନାରାୟଣ ବେହେରା) : ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର,ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ସଂଯୋଗ କରୁଛି ଭୂତମୁଣ୍ଡାଇ ଠାରେ ମହାନଦୀ ଉପରେ ତିଆରି ହୋଇଥିବା ଭୂତମୁଣ୍ଡାଇ ପୋଲ। ୧୯୬୨ ମସିହାରେ ପାରାଦୀପ ବନ୍ଦର ନିର୍ମାଣ ହେବା ସମୟରେ କେନ୍ଦୁଝର ଓ ଯାଜପୁର ଜିଲ୍ଲା ରୁ ପଣ୍ୟ ସୁରୁଖୁରୁରେ ପହଞ୍ଚିବା ପାଇଁ ଏକ ସଡକପଥ ର ଆବଶ୍ୟକ ଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଚଣ୍ଡିଖୋଲ ରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ -୫ (କ) ର ନିର୍ମାଣ କରାଇଥିଲେ। ମହାନଦୀ ଉପରେ ୯୭୦ମିଟର ବିଶିଷ୍ଟ ପୋଲ ସେତେବେଳେ ତିଆରି ହୋଇଥିଲା। ପାରାଦୀପ ବନ୍ଦର କୁ ଖୁବ କମ୍ ସମୟରେ କିପରି ପଣ୍ୟ କାରବାର ହୋଇ ପାରିବ ତାକୁ ଲକ୍ଷ କରି ଏହି ପୋଲଟି ନିର୍ମାଣ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ସେହି ସମୟ ଠାରୁ କୋଇଲା, ଲୁହାପଥର, ମାଙ୍ଗାନିଜ୍, ଚୂନପଥର ଓ ଚାର୍ଜକ୍ରୋମ୍ ଭଳି ପଣ୍ୟ ପାରାଦୀପ କୁ ଆସୁଥିବା ବେଳେ ପାରାଦୀପ ବନ୍ଦର ରୁ ଡିଏପି ସାର ଓ ଜିପସମ୍ ଭଳି ବିଭିନ୍ନ ପଣ୍ୟ ଏହି ୫ନଂ ଜାତୀୟ ରାଜପଥ (କ) ଦେଇ ଅତି ସହଜରେ ଯାଇ ଯଥା ସ୍ଥାନରେ ପହଞ୍ଚି ପାରୁଛି। ସେହି କ୍ରମରେ ଚଣ୍ଡିଖୋଲ ରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୨ କିଲୋମିଟର ରାସ୍ତାରେ ଭୂତମୁଣ୍ଡାଇ ଠାରେ ପୋଲ ନିର୍ମାଣ ହୋଇଥିବା ବେଳେ ଏହି ମହାନଦୀ ପୋଲ ହିଁ ପଣ୍ୟ କାରବାର ପାଇଁ ଏକମାତ୍ର ଭରସା। ଉକ୍ତ ରାସ୍ତାରେ ଟ୍ରକ ଯୋଗେ ପଣ୍ୟ କାରବାର ହେଉଥିବା ବେଳେ ପାରାଦୀପ ବନ୍ଦର ରେ ଅଧିକ ପଣ୍ୟ ଆବଶ୍ୟକ ହେବାରୁ ରାସ୍ତାରେ ଗାଡିର ସଂଖ୍ୟା ବୃଦ୍ଧି ପାଉଥିଲା। ଯାହା ଫଳରେ ଗାଡି ର ଭିଡ କୁ ଲକ୍ଷ ରଖି କିଛି ବର୍ଷ ପୂର୍ବେ ରାସ୍ତାର ଦୋହରୀକରଣ କରାଗଲା। 


ହେଲେ ଭିଡ କମିବା ପରିବର୍ତ୍ତେ ପଣ୍ୟ କାରବାର ବୃଦ୍ଧି ପାଇଥିବାରୁ ଦିନକୁଦିନ ଗାଡି ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଟ୍ରକ ପାରାଦୀପ କୁ ଯାତାୟାତ କରୁଛି।ଏପରିକି ବିରାଟ ବିରାଟ ଗ୍ୟାସ ଟ୍ୟାଙ୍କର ଓ ତୈଳ ଟ୍ୟାଙ୍କଲର ଗାଡ଼ି ପ୍ରତିଦିନ ଯାତାୟାତ କରୁଛି। ପାରାଦୀପ ର ବିଭିନ୍ନ ଶୀଳ୍ପ ସଂସ୍ଥା ରେ କାମ କରିବାକୁ ଆସୁଥିବା ଶ୍ରମିକ କର୍ମଚାରୀ ମାନେ ପ୍ରତିଦିନ ଏହି ଜାତୀୟ ରାଜପଥ କୁ ବ୍ୟବହାର କରିଥାନ୍ତି। ରାସ୍ତାରେ କୌଣସି ଦୁଇ ଚକିଆ ଓ ଚାରିଚକିଆ ଯାନ ରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଭୂତମୁଣ୍ଡାଇ ପୋଲ ଉପରେ ୪୦ଟନ୍ ରୁ ଊର୍ଦ୍ଧ୍ବ ଲୁହାପଥର ବୋଝେଇ ଟ୍ରକ ଗୁଡିକ ଘଣ୍ଟାଘଣ୍ଟା ଧରି ଠିଆ ହୋଇ ରହୁଛି। 


ଯାହା ଫଳରେ ପୋଲ ଦୁର୍ବଳ ହେବାରେ ଲାଗିଛି। ଏମିତି କି ପୋଲ ଉପରେ ଗାଡି ଗୁଡିକ ଦିନଦିନ ଧରି ଛିଡା ହୋଇ ରହିଥିବା ବେଳେ ବାରଣ କରିବା ପାଇଁ କେହି ନଥିବା ରୁ ପୋଲ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଘଣ୍ଟାଘଣ୍ଟା ଧରି ଭୂତମୁଣ୍ଡାଇ ପୋଲ ଉପରେ ମାଲ ବୋଝେଇ ଟ୍ରକ ଛିଡା ହୋଇ ରହିବାରୁ ଦିନକୁ ଦିନ ପୋଲ ଦୁର୍ବଳ ହେବାରେ ଲାଗିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପୋଲର ଗୋଟିଏ ପାର୍ଶ୍ଵ ଜଗତସିଂହପୁରର ପାରାଦୀପ ଲକ ଥାନା ଅଧିନରେ ଥିବା ବେଳେ ଅପର ପାର୍ଶ୍ଵଟି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନରେ ରହିଛି। ତେବେ ଏହି ମହାନଦୀ ପୋଲ ଦୁଇ ପାର୍ଶ୍ଵ ରେ ପୋଲିସ ପ୍ରଶାସନ ପକ୍ଷରୁ ପହରା ଦେବା ଆବଶ୍ୟକ ରହିଛି। ଶହଶହ ଗାଡି ପୋଲ ଉପରେ ଛିଡା ହୋଇ ରହିଲେ ପୋଲ କେଉଁ ସମୟରେ ଭାଙ୍ଗି ଭୂଷୁଡି ପଡିବାର ସମ୍ଭାବନା ରହିଛି। ଏପରିକି ପୋଲ ର ସୁରକ୍ଷା ପାଇଁ ତଥା ପୋଲ ଉପରେ ଭାରୀଜାନ ରଖିବା ପାଇଁ ବାରଣ ଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଡି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି। 


ଏଭଳି ସ୍ଥଳେ ଦିନକୁ ଦିନ ପୋଲ ଦୁର୍ବଳ ହୋଇ ପଡୁଥିବା ବେଳେ କୌଣସି କାରଣରୁ ଯଦିଓ ପୋଲ ଭାଙ୍ଗି ପଡେ ତେବେ ୪ଜିଲ୍ଲାର ଜୀବନଧାରା ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିବ। ଏହି ରାସ୍ତା ଦେଇ ପାରାଦୀପ କୁ ଆସୁଥିବା ଟ୍ରକ ଚଳାଚଳ ଠପ୍ ହୋଇ ପଡିବ। ଦେଶର ୧ନଂ ବନ୍ଦର ହେବା ପାଇଁ ଲକ୍ଷ ରଖିଥିବା ପାରାଦୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ଉପରେ ପ୍ରଭାବ ପଡିବ। ତେଣୁ ଭୂତମୁଣ୍ଡାଇ ପୋଲର ସ୍ଥାୟୀତ୍ବ ଓ ସୁରକ୍ଷା କରିବାକୁ ସାଧାରଣ ରେ ଦାବି ହେଉଛି। ତେବେ ଭୂତମୁଣ୍ଡାଇ ମହାନଦୀ ପୋଲର ସୁରକ୍ଷା ପାଇଁ ଟ୍ରକ ଟର୍ମୀନାଲ୍ ହେବାର ଆବଶ୍ୟକତା ଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କେହି ଆସୁନାହାନ୍ତି କିମ୍ବା ଟ୍ରକ ଟର୍ମୀନାଲ୍ ସଂପର୍କରେ କୌଣସି କ୍ଲିୟରାନ୍ସ ମିଳି ପାରିନାହିଁ। ତେଣୁ ଏହି ୫ନଂ ଜାତୀୟ ରାଜପଥ (କ) ଭୂତମୁଣ୍ଡାଇର ମହାନଦୀ ପୋଲ କୁ ସୁରକ୍ଷା ଦେବା ସହ ବିଶ୍ବସ୍ତରୀୟ ଟ୍ରକ ଟର୍ମିନାଲ୍ ପାଇଁ ସରକାରଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Also Read: ଖାଦ୍ୟରେ ଲୁଣ ଅଧିକ ହୋଇଥିଲା ବୋଲି


Also Read: Labour policy: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଓଭର ଟାଇମ୍ କଲେ ମିଳିବ ଅଧିକ ଦରମା