ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା; କିଏ ସେହି ଗିରଫ ସନ୍ଦିଗ୍ଧ? ଆଜି ସ୍ପଷ୍ଟ ହେବ ପରିଚୟ
ପୁରୀ ଜିଲ୍ଲା ବାହାରେ ଅଟକ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଘର। ସେ ଓଡିଆ ଓ ଭକ୍ତ ହିସାବରେ ଆସି ରୋଷଘର ଚୁଲି ଭାଙ୍ଗିଛନ୍ତି। ଅଭିଯୁକ୍ତକୁ ପୁରୀ-ଖୋର୍ଦ୍ଧା ସୀମାରୁ କାବୁ କରି ପୁରୀ ଟାଉନଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ବାସେଳିସାହୀ ଥାନା ଆଇଆଇସି କୁଳମଣି ସେଠୀ ପୁରୀକୁ ଆଣିଛନ୍ତି।
ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି। ଦୁଇ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ସିସିଟିଭିରୁ ଚିହ୍ନଟ ସନ୍ଦିଗ୍ଧକୁ ପୁରୀ ଜିଲ୍ଲା ବାହାରୁ କାବୁ କରାଯାଇଛି। ଖୋଦ ପୁରୀ ଏସପି ଏନେଇ ମଙ୍ଗଳବାର ରାତିରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ମଙ୍ଗଳବାର ରାତି ୯ଟା ୩୦ରେ ପୁରୀ ଏସପି କନୱର ବିଶାଳ ସିଂଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ବଡ ଖବର ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, ଶ୍ରୀମନ୍ଦିର ରୋଷଘର ମାମଲାରେ ସିସିଟିଭି ଫୁଟେଜ ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ତେଙ୍କୁ ଅଟକ ରଖି ମାମଲାର ଅଧିକ ତଦନ୍ତ କରାଯାଉଛି। ଏହି ତଥ୍ୟ ସହ ଏସପି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। କିନ୍ତୁ ଫଟୋରେ ତାଙ୍କ ଚେହେରାକୁ ଘୋଡାଇ ରଖାଯାଇଛି। ତେବେ ଅଟକ ବ୍ୟକ୍ତି ସେବାୟତ ନା ଅଣସେବାୟତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଛି।
Also Read: ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାକୁ ଦୁଇ ଦିନ; ଫସିଗଲେ ଜେଟିପି, ଅଚଳ ପଡ଼ିଛି ସିସିଟିଭି
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ବାହାରେ ଅଟକ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଘର। ସେ ଓଡିଆ ଓ ଭକ୍ତ ହିସାବରେ ଆସି ରୋଷଘର ଚୁଲି ଭାଙ୍ଗିଛନ୍ତି। ଅଭିଯୁକ୍ତକୁ ପୁରୀ-ଖୋର୍ଦ୍ଧା ସୀମାରୁ କାବୁ କରି ପୁରୀ ଟାଉନଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ବାସେଳିସାହୀ ଥାନା ଆଇଆଇସି କୁଳମଣି ସେଠୀ ପୁରୀକୁ ଆଣିଛନ୍ତି। ଅଭିଯୁକ୍ତକୁ ଜେରା କରାଯିବ। କେଉଁ ଉଦ୍ଦେଶ୍ୟରେ ରୋଷଘରେ ଚୁଲି ଭାଙ୍ଗିଥିଲେ ତାହାର ଛାନବିନ ହେବ। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏସପି କନୱର ବିଶାଳ ସିଂ ଘଟଣାର ପର୍ଦ୍ଦାଫାସ କରିବେ ବୋଲି ଖବର ମିଳିଛି।
ଗତ ୨ ତାରିଖରେ ଅଭାବନୀୟ ଘଟଣା ଘଟିଥିଲା। ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି କୌଣସି ଦୁର୍ବୃତ୍ତ ପ୍ରାୟ ୪୩ ଚୁଲି ଭାଙ୍ଗିଥିଲେ। ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା। ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲା। ସିସିଟିଭିରୁ ସନ୍ଦିଗ୍ଧଙ୍କ ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ପୋଲିସ ଖୋଜିଥିଲା। ଶେଷରେ ଜିଲ୍ଲା ବାହାରୁ ଧରିବାରେ ସକ୍ଷମ ହେଲା। ଅନ୍ୟପଟେ ଚୁଲାଭଙ୍ଗା ଘଟଣା ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଲୋକଲୋଚନକୁ ଆଣିଛି। ମନ୍ଦିରରେ ଲାଗିଥିବା ସିସିଟିଭି ମଧ୍ୟରୁ ୧୦ରୁ ଅଧିକ କାମ କରୁନଥିବା ବେଳେ ଆବଶ୍ୟକୀୟ ଜେଟିପି ନାହାନ୍ତି ବୋଲି ଜଣାପଡିଛି।
Also Read: ଟାର୍ଗେଟରେ କାଳିଆ ପେଟ! ଶ୍ରୀମନ୍ଦିର ରୋଷଶାଳାରେ ୬୦ରୁ ଊର୍ଦ୍ଧ୍ୱ ଚୁଲା ଭାଙ୍ଗି ଦେଲେ ସେବାୟତ
ସୂତ୍ରାନୁସାରେ, ସନ୍ଦିଗ୍ଧ ବ୍ୟକ୍ତି ଜେରା ବେଳେ କହିଛନ୍ତି ଯେ, ଶ୍ରୀମନ୍ଦିର ରୋଷଘରେ ଖାଦ୍ୟ ବିକ୍ଷିପ୍ତ ହୋଇ ପଡୁଛି କିନ୍ତୁ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ଏହା ଦେଖିବା ପରେ ସେ ଉତକ୍ଷିପ୍ତ ହୋଇ ଚୁଲା ଭାଙ୍ଗି ଦେଇଥିଲେ। ଅନ୍ୟପଟେ କେବଳ ଜଣେ ୪୦ରୁ ଊର୍ଦ୍ଧ୍ୱ ଚୁଲା ଭାଙ୍ଗିବା ସମ୍ଭବ ନୁହେଁ ବୋଲି ସେବାୟତମାନେ କହିଛନ୍ତି। ତେବେ ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣେ ଚୁଲା ଭଙ୍ଗିଛନ୍ତି ନା ତାଙ୍କ ସହ ଆଉ କିଏ ଥିଲେ? ଚୂଲା ଭାଙ୍ଗିବର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା? ଏସବୁ ପ୍ରଶ୍ନର ଉତ୍ତର ପୋଲିସର ତଦନ୍ତ ପରେ ଜଣା ପଡିବ।