Nuakhai At Samaleswari: ଓଡିଶାରେ ବାର ମାସରେ ତେର ପର୍ବ। ସେଥିମଧ୍ୟରୁ ନୂଆଁଖାଇ (Nuakhai) ହେଉଛି ପଶ୍ଚିମ ଓଡ଼ିଶାର (Western Odisha) ଏକ କୃଷିଭିତ୍ତିକ ଗଣପର୍ବ। ଏହି ପର୍ବର ଆରମ୍ଭ କେବେ ଓ କେଉଁଠି ହୋଇଥିଲା ତାହା କେହି ମଧ୍ୟ ସଠିକ ଭାବରେ କହି ପାରିବେ ନାହିଁ। କୁହାଯାଏ ଧରାପୃଷ୍ଠରେ ଜୀବନର ଆରମ୍ଭ ହେବା ପରେ ସେ ଖାଇବା ଶିଖିଥିଲା। ଯେତେବେଳେ ମଣିଷ ଆଦିମ ସଭ୍ୟତାରୁ ବାହାରିଥିଲା ସେତେବେଳେ ସେ ଭଗବତ ବିଶ୍ୱାସୀ ହୋଇଥିବା ଜଣାଯାଏ। ସେ କିଛି ନୂଆ ସାମଗ୍ରୀ ସଂଗ୍ରହ କରି ପ୍ରଥମେ ନିଜ ଇଷ୍ଟଦେବଙ୍କ ପାଖରେ ସମର୍ପଣ କରିଥିଲା ଏବଂ ଧୀରେ ଧୀରେ ତାହା ଏକ ସଂସ୍କୃତି ଓ ପରମ୍ପରାର ମହାଦ୍ରୁମ ପାଲଟିଯାଇଥିଲା। ଯାହାକୁ ଏବେ ଏକ ବଡ ପର୍ବ ଭାବରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ମଣିଷ ଯାହା ଠାରୁ ଉପକୃତ ହୋଇଥାଏ ତାଙ୍କୁ ପୂଜା କରିଥାଏ। ଯେମିତିକି ସେ ପ୍ରଥମେ ନିଜ ଆଖପାଖରେ ଥିବା ଶକ୍ତିଙ୍କୁ ନିଜର ଇଷ୍ଟ ଭାବରେ ଗ୍ରହଣ କରି ପୂଜା ଆରମ୍ଭ କରିଥିଲା। ସୂର୍ଯ୍ୟ ଆମକୁ ଶକ୍ତି ଦେଉଥିବା କାରଣରୁ ତାଙ୍କୁ ଭଗବାନ ଭାବରେ ଗ୍ରହଣ କରିଥିଲା। ତା ସହ ଗଛ, ଫଳ-ମୂଳ ଦେଉଥିବା କାରଣରୁ ତାଙ୍କୁ ମଧ୍ୟ ନିଜର ଭକ୍ତି ଜଣାଉଥିଲା। ଆଉ ଏହି ପର୍ବ ପ୍ରକୃତି ସହ ଜଡିତ ଥିଲା। ଧୀରେ ଧୀରେ ମଣିଷ ନିଜର ଇଷ୍ଟ ଭାବରେ ଦେବାଦେବୀଙ୍କୁ ଗ୍ରହଣ କରି ତାଙ୍କୁ ନିଜର ପ୍ରଥମ ଅମଳ ଅର୍ପଣ କରିବା ଆରମ୍ଭ କରିଥିଲା। ଯାହାକି ନୂଆଁଖାଇ ଭାବରେ ସର୍ବତ୍ର ବିଦିତ ହେଲା। ପରେ ସମ୍ବଲପୁର ଗଡଜାତର ରାଜା-ରାଜୁଡା ମାନେ ମଧ୍ୟ ଏହି ପର୍ବକୁ ନିଜେ ପାଳନ କରି ଇଷ୍ଟ ଦେବୀ ଭାବରେ ମାଆ ସମଲେଶ୍ୱରୀଙ୍କୁ ପୂଜା କରିବା ଆରମ୍ଭ କରିଥିଲେ। ପରେ ଏହି ପର୍ବ ଆହୁରି ବ୍ୟାପକ ହୋଇଥିଲେ ବୋଲି ଐତିହାସିକ ମାନେ ମତ ଦିଅନ୍ତି।


ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ  ଭାଦ୍ରବ ଶୁକ୍ଳପକ୍ଷ ରୁଷି ପଞ୍ଚମୀ ତିଥିରେ ପାଳନ କରାଯାଏ। ସେହିଦିନ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ପୂଜା କରାଯାଏ। ତାପରେ ପାର୍ଶ୍ଵ ଦେବା-ଦେବୀଙ୍କୁ ମଧ୍ୟ ନୂଆଁ ଲାଗି କରାଯାଇଥାଏ। ନୂଆଁଖାଇ ଦିନ ପ୍ରଥମେ ମାଙ୍କ ଠାରେ ଭୋଗ ଲାଗିଲା ପରେ ସମସ୍ତେ ନିଜ ନିଜ ଘରେ ନୂଆଁ ଖାଇଥାନ୍ତି।



ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସମସ୍ତେ ନିଜ ଇଷ୍ଟଙ୍କ ପାଖରେ ପ୍ରଥମ ଅମଳ ଅର୍ପଣ କରି ନିଜ ନିଜ ଘରେ ନୂଆଁ ଖାଇଥାନ୍ତି। ତାପରେ ଘରର ବଡ଼ ମାନଙ୍କୁ ସମସ୍ତେ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥାନ୍ତି। ବଡ଼ମାନେ ସମସ୍ତଙ୍କୁ ଆଶୀର୍ବାଦ ଦେବା ପରେ ସଭିଏଁ ମିଳିମିଶି ଏକାଠି ଭୋଜନ କରିଥାନ୍ତି। ସନ୍ଧ୍ୟା ସମୟରେ ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥାଏ।


ଗତ ଦୁଇ ବର୍ଷ କାଳ କରୋନା ପାଇଁ ସମସ୍ତ ପର୍ବପର୍ବାଣୀ ଫିକା ପଡିଥିବା ବେଳେ ନୂଆଁଖାଇରେ ବାଧା ଉପୁଜିଥିଲା ଖାଲି ବିଧି ରକ୍ଷା ପାଇଁ ଏହି ପର୍ବ ପାଳନ ହୋଇଥିବା ବେଳେ ଏଥର ଏହି ପର୍ବ ହର୍ଷୋଲ୍ଲାସର ସହ ପାଳନ କରାଯିବ।