ପୁରୀ: ଧର୍ମମାସ କାର୍ତ୍ତିକରେ ପୂଣ୍ୟ ଅର୍ଜିବା ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଭକ୍ତ। ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ନେଇ ଫେରୁଛନ୍ତି। କିନ୍ତୁ ଏହି ଧର୍ମମାସରେ ମହାପ୍ରସାଦର ଦର ଭକ୍ତମାନଙ୍କୁ ଆଘାତ ଦେଇଛି। ଦର ଏତେ ଅଧିକ ଯେ ମହାପ୍ରସାଦ ପାଇଁ ଆତୁର ଥିଲେ ବି ଆର୍ଥିକ ସ୍ୱଚ୍ଛଳ ନଥିବା ଗରିବ ଭକ୍ତ ପକ୍ଷେ ଏହା କିଣିବା ସମ୍ଭବପର ହୋଇପାରୁନି। ଦର ଆଗରେ ମୁଣ୍ଡ ନୁଆଁଇ ଏମାନେ ବିନା ମହାପ୍ରସାଦରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ସେପଟେ କାହିଁକି ମହାପ୍ରସାଦ ଦର ତାଲିକା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉନାହିଁ ଏହି ପ୍ରସଙ୍ଗରେ ଆଗାମୀ ଛତିଶା ନିଯୋଗ ବୈଠକରେ ଦାବି ଉପସ୍ଥାପନ କରିବ ବୋଲି ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ଧର୍ମମାସ କାର୍ତ୍ତିକରେ ଆକାଶ ଛୁଆଁ ମହାପ୍ରସାଦ ଦର। ସାଧାରଣ ଭକ୍ତଟିଏ ହେଉ ଅବା ହବିଷ୍ଯାଳି ମହାପ୍ରସାଦ ଟିକିଏ ପାଇବା ପାଇଁ ଆଗ୍ରହ ଥିଲେ ସୁଦ୍ଧା ଅହେତୁକ ଦରବୃଦ୍ଧି ଯୋଗୁଁ ନିର୍ମାଲ୍ୟ ଅବା ଅନ୍ନ କଣିକାଟିଏ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି। ସେପଟେ ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ। ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢ଼େ ୭ କେଜି, ଦାସିଆରେ ସାଢ଼େ ୫ କେଜିରୁ ସାଢ଼େ ୬ କେଜି ଚାଉଳ ରନ୍ଧା ଯାଇଥାଏ। ଦୈନନ୍ଦିନ ଦର ଉପରେ ନଜର ପକାଇଲେ, ବାଇହାଣ୍ଡି(ଜିରା ରାଇସ୍‌) ଅନ୍ନ ଦର ପୂର୍ବରୁ ୧୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଥିଲା। 


ଏବେ ଏହା ୧୬ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବାସୁମତୀ ଚାଉଳର ବାଇହାଣ୍ଡି ପୂର୍ବରୁ ୨୨ଶହରୁ ୨୩ଶହ ଟଙ୍କାରେ ବିକ୍ରି ହେଉଛି। ଏବେ ୨୫ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସମାଧି, ଦାସିଆ, ବଡ଼ମଠ, ସାନମଠ ଦର ୫୦ରୁ ଅଢ଼େଇ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ବାଇହାଣ୍ଡି(ଜିରା ରାଇସ୍‌)ର ସେଟ୍‌ (ଅନ୍ନ, ଡାଲି, ଦୁଇଟି ତରକାରୀ) ଉପରେ ନଜର ପକାଇଲେ, ପୂର୍ବରୁ ଏହାର ଦର ପ୍ରାୟ ସାଢ଼େ ୪ହଜାର ଟଙ୍କା ଥିଲା। ଏବେ ୪ହଜାର ୮ଶହରୁ ୫ହଜାର ଟଙ୍କାର ବିକ୍ରି ହେଉଛି। 


ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍‌ ସାଢ଼େ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସରେ ଦୈନିକ ବରାଦିରେ ୨୦ରୁ ୩୦ହଜାର ଓ ଆନନ୍ଦବଜାରରେ ବିକ୍ରିରେ ପ୍ରାୟ ୨୦ହଜାର ଲୋକ ମହାପ୍ରସାଦ ନେଉଛନ୍ତି। ସେହି ଅନୁଯାୟୀ ଦୈନିକ ୪୦ରୁ ୫୦ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି। କିନ୍ତୁ ମହାପ୍ରସାଦର ଯେଉଁଭଳି ଚଢ଼ା ଦର ରହିଛି, ସେଥିରେ ଭକ୍ତମାନେ କଷ୍ଟ ପାଉଛନ୍ତି। ଅଧିକ କଷ୍ଟ ଦେଉଛି, ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ଥିବା ଦଣ୍ଡିଆମାନଙ୍କ ଶୋଷଣ। ଏମାନେ ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଦେଢ଼ଶହରୁ ୨ଶହ ଟଙ୍କାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି।


ସେପଟେ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଥିଲେ। ଯେଉଁଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା। ମହାପ୍ରଭୁଙ୍କ ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଏହି ଦର ତାଲିକା ଲଗାଇବାକୁ ନିଷ୍ପତ୍ତି ନେଇଥିଲା। ଦର ତାଲିକା ବି ତିଆରି ହେଲା। ଆନନ୍ଦ ବଜାରରେ ମଧ୍ୟ ଲଗାଯାଇଥିଲା। ତାଲିକା ଦରକୁ ନେଇ ଅସନ୍ତୋଷ ଦେଖାଦେବାରୁ ପୁଣି କାଢିନେଇଥିଲା ପ୍ରଶାସନ। 


ତେବେ ଦରତାଲିକା ପ୍ରସଙ୍ଗକୁ ୫ ବର୍ଷ ବିତିଗଲା କିନ୍ତୁ ଆନନ୍ଦବଜାରରେ ଆଜି ପର୍ଯ୍ୟନ୍ତ ଚୁଡାନ୍ତ ଦର ତାଲିକା ଲାଗି ପାରିଲାନି। ସେପଟେ କେବଳ ମହାପ୍ରସାଦ ବିକ୍ରି କରୁଥିବା ସ୍ବୀକୃତିପ୍ରାପ୍ତ ସୁଆର ମହାସୁଆରମାନଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ବିତାଡ଼ିତ କରିବାକୁ ବି ନିଷ୍ପତ୍ତି ହେଲା। ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲାନି। ଫଳରେ ଦଲାଲ ମାନେ ପଶି ଭକ୍ତଙ୍କୁ ଶୋଷଣ କରିବା ଆରମ୍ଭ କରି ଦେଇଛନ୍ତି। ଯେଉଁ ମହାପ୍ରସାଦ ପୂର୍ବରୁ ୫ଶହ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୧୨ଶହ ଟଙ୍କାରେ ବିକ୍ରି ହେଉଛି। ପତ୍ର ପକାଇ ଖାଇବାକୁ ପୂର୍ବରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଦେଢ଼ଶହ ଦେଲେ ବି ପେଟ ପୁରୁନି।


ସକାଳ ଧୂପ ଉଠିବା ବେଳେ ମହାପ୍ରସାଦ ନେବାକୁ ଆନନ୍ଦବଜାରରେ ଅଧିକ ଭିଡ଼ ‌ହୁଏ। ଏହି ସମୟରେ ପାଳି ଖଟୁଥିବା ସେବକମାନେ ଦୁର୍ନୀତିର ବାଟ ତିଆରିଛନ୍ତି। ସକାଳଧୂପରେ କୋଠଭୋଗ ଲାଗିବାର ନିୟମ ଥିବାବେଳେ ଏହା ବିକ୍ରି ହୋଇପାରିବ ନାହିଁ। ଏହା ଖେଇ ଆକାରରେ ପାଳିଆ ସେବକମାନେ ନେବେ। କିନ୍ତୁ ଯେଉଁମାନେ ପାଳି ଖଟୁଛନ୍ତି, ସେମାନେ କୋଠ ଭୋଗ ସହ ବିକ୍ରି ଓ ବରାଦି ଭୋଗ ବି ସକାଳଧୂପରେ ମହାପ୍ରଭୁଙ୍କୁ ଲାଗି କରୁଛନ୍ତି। 
ପରେ ଆନନ୍ଦବଜାରରେ ଏହାକୁ ଦୁଇଗୁଣା ତିନିଗୁଣା ଦରରେ ବିକ୍ରି କରୁଛନ୍ତି। ଏଥିରେ ଲଗାମ ଲାଗିବା ଦରକାର। ନଚେତ୍‌ ସମସ୍ତ ସୁଆର ମହାସୁଆର ସେବକ ବଦନାମ ହେଉଛନ୍ତି। ଯେଉଁ କଷ୍ଟରେ ଆମେ ମହାପ୍ରସାଦ ରାନ୍ଧୁଛୁ, ତାହାର ମୂଲ୍ୟ ରହୁନି ବୋଲି କିଛି ସୁଆର ସେବକ ଅଭିଯୋଗ କରୁଛନ୍ତି।