ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରୁ ହଟିଲା କର୍ଫ୍ୟୁ। କେବଳ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଅଂଚଳରେ ଏହା ବଳବତ୍ତର ରହିବ। କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ କଟକଣା ବଳବତ୍ତର ରହିଥିବା ବେଳେ ଅଧିକାଂଶ ଅଞ୍ଚଳରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ଶ୍ରୀ ଜୀଉଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 


COMMERCIAL BREAK
SCROLL TO CONTINUE READING

କୋରୋନା (Coronavirus) ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ୧୩ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ ଜାରି ଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। 


Also Read: ଆଇସ୍କ୍ରିମ୍ କାଠିରେ ନନ୍ଦିଘୋଷ


ଶ୍ରୀ ଜୀଉ (Lord Jagannath) ଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ ପକ୍ଷରୁ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ  ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ। ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।