Puri-Howrah Vande Bharat Express: ପୁରୀ-ହାୱଡା ଯିବା ବାଟରେ ଅଧାରେ ଅଟକିଗଲା ବନ୍ଦେ ଭାରତ ଏକ୍ସପ୍ରେସ (Puri-Howrah Vande Bharat Express) । କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଜି ଅପରାହ୍ନରେ ଭୁବନେଶ୍ୱରରୁ ହାଓଡ଼ା ବାହାରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ (Puri-Howrah Vande Bharat Express)  ଭଦ୍ରକ ଓ ଯାଜପୁର ସୀମା ବୈତରଣୀ ନଦୀ ପୋଲ ନିକଟରେ ଅଟକି ରହିଛି । ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍‌ ଅଟକି(power line snaps) ରହିଥିବା ବେଳେ ଗଛ ଡାଳ ପଡି ଲୋକ ପାଇଲଟର ସାମ୍ନା ଗ୍ଲାସ ଭାଙ୍ଗି ଯାଇଥିବା ଜଣାଯାଇଛି । ଫଳରେ ବଡ ଦୁର୍ଘଟଣାରୁ ଅଳ୍ପେକ ରକ୍ଷା ପାଇଯାଇଛନ୍ତି ପାଇଲଟ୍ ।  ତେବେ, ରେଳ ବିଭାଗ ଅଧିକାରୀ ତଥା ଟେକନିସିଆନମାନେ ଉପସ୍ଥିତ ରହି ସମସ୍ତ ଘଟଣାର ଯାଞ୍ଚ କରୁଛନ୍ତି । ଖୁବ୍‌ ଶୀଘ୍ର ବିଦ୍ୟୁତ ସେବା ବ୍ୟବସ୍ଥିତ ହେଲେ ଟ୍ରେନ୍‌ ଚାଲିବ ବୋଲି ଜଣାଇଛନ୍ତି । ତେବେ ସିଙ୍ଗଲ ଲାଇନ୍‌ ଯୋଗୁଁ ଅନ୍ୟ ଟ୍ରେନ୍‌ ସବୁ ଅଟକି ରହିଛି । ଅପରାହ୍ନ ୪.୩୫ରୁ ଗୋଟିଏ ଜାଗାରେ ଟ୍ରେନଟି ଠିଆ ହୋଇ ରହିଛି । ତେବେ ଗଛ ହଟାଇ ଗାଡିକୁ ବାଟ କାଢିବା ସହ ପୁଣି ଥରେ ଯାତ୍ରା ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଗତ ୧୮ ତାରିଖରେ ଓଡ଼ିଶାରେ ବନ୍ଦେ ଭାରତର ଶୁଭାରମ୍ଭ କରାଯାଇଛି । ପୁରୀରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।  ପୁରୀ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି । ବନ୍ଦେ ଭାରତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ,  ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି। ପୁରୀରୁ କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବଢ଼ିବ।। ପୁରୀରୁ ହାୱଡ଼ା ମଧ୍ୟରେ ଏହା ହେବ ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ଏହି ଟ୍ରେନ୍ ପାଖାପାଖି ୫୦୦ କିଲୋମିଟରର ଦୂରତା ସାଢ଼େ ୬ ଘଂଟାରେ ଅତିକ୍ରମ କରିବ ।


ଏହାବି ପଢନ୍ତୁ : Road Accident: ଶବଦାହ କରି ଫେରୁଥିଲେ, ହେଲେ ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ


୧୬ଟି କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରେଳବାଇର ଦକ୍ଷିଣପୂର୍ବ ଡିଭିଜନ୍‌ ଅଧୀନରେ ଚଳାଚଳ କରିବ। ଏଥିରେ ଥିବା ‘ଚେୟାର୍‌କାର୍‌’ ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି। ଉଭୟ ହାୱଡ଼ା ଓ ପୁରୀରୁ ମେ ୨୦ ତାରିଖ ଦିନଠାରୁ ସପ୍ତାହକୁ ୬ ଦିନ ଏହି ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନିୟମିତ ଚଳାଚଳ କରିବ। ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌) ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ। ସେହିପରି ଟ୍ରେନ୍‌ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଅପରାହ୍‌ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଖୋର୍ଦ୍ଧାରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ ଲେଖାଏଁ ଅଟକିବ। ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଏହି ଟ୍ରେନ୍‌ ନିୟମିତ ଭାବେ ଚାଲିବ।