Kids helping in Ratha Construction: ବଡଦେଉଳ ନିକଟ ରଥଖଳାରେ ଚାଲିଛି ମୁଗୁର ନିହାଣର ଠୁକ୍ ଠୁକ୍ ଶବ୍ଦ। ପ୍ରଚଣ୍ଡ ରୌଦ୍ରତାପକୁ ବେଖାତିର କରି ରଥ ନିର୍ମାଣରେ ବିଶ୍ୱକର୍ମା ସେବକ। ପାଞ୍ଚ ବର୍ଷରୁ ଅଶୀ ବର୍ଷ ବୟସର ସେବକ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟରେ ଯେଭଳି ଉତ୍ସର୍ଗୀକୃତ। ତୁମ୍ଭ ଚିରଟ, ଗୋଲେଇ, ସୂତା ବାଡିଆ, ବୋଳା, ବିନ୍ଧ, ଅର ସଂଯୋଗ ସହ ଚାଲିଛି ପହି କାର୍ଯ୍ୟ। ଗଢା ହେଉଛି ବିଶ୍ବ ନିୟନ୍ତାଙ୍କ ରଥ। ଚକକାମ ସହ ଅଖ ନିର୍ମାଣ ଚାଲିଛି। ନୃସିଂହ ଚତୁର୍ଦ୍ଦଶୀ ନୀତି ପରେ ରଥଖଳାକୁ ରୂପକାର ପ୍ରବେଶ କରିଛନ୍ତି। ଯାହାଙ୍କ ଭିତରେ ଅଛନ୍ତି ୧୦-୧୧ ବର୍ଷ ବୟସର ସର୍ବ କନିଷ୍ଠ ରୂପକାର ସେବକ। କୁନିକୁନି ହାତରେ ରଥ ନିର୍ମାଣରେ ନିମଗ୍ନ। କମ୍ ବୟସର ହେଲେ ମଧ୍ୟ ମହାପ୍ରଭୁଙ୍କ କାମ କରିବାକୁ ସେମାନେ ବେଶ୍ ଉତ୍ସାହିତ। ଭବିଷ୍ୟତରେ ଚାକିରୀ କଲେ ମଧ୍ୟ ମହାପ୍ରଭୁଙ୍କ ଦୁର୍ଲଭ କାର୍ଯ୍ଯ ସହ ଯୋଡିହୋଇ ରହିବୁ ବୋଲି କହିଛନ୍ତି କୁନି ରୂପକାର।


COMMERCIAL BREAK
SCROLL TO CONTINUE READING

ବିଶ୍ୱ ନିୟନ୍ତାଙ୍କ ରଥନିର୍ମାଣରେ ଲାଗିପଡିଛନ୍ତି ଅନେକ କୁନିକୁନି ରୂପକାର ସେବକ। ଯାହାଙ୍କ ବୟସ ପ୍ରାୟ ୫ ବର୍ଷରୁ ୧୫ ବର୍ଷ ବୟସ ମଧ୍ୟରେ ହେବ। ପାଠପଢା ସାଙ୍ଗକୁ ବାପା ଦାଦା, ବଡବାପା ସହ ଆସି ରଥଖଳାରେ ସାମିଲ ହୋଇଛନ୍ତି। କୁନିକୁନି ହାତରେ ବାଟୁଳି, ମୁଗୁର, ନିହଣ ଆଦି ଧରି କରୁଛନ୍ତି ରଥନିର୍ମାଣ। ଆଉ କୁନିକୁନି ରୂପକାରଙ୍କ ଠୁକ୍ ଠୁକ୍ ଶବ୍ଦ ତାଙ୍କୁ ଭବିଷ୍ୟତରେ ଏକ ବିଚକ୍ଷଣ ରୂପକାର ହେବାର ସ୍ୱପ୍ନ ଦେଖାଉଛି। ରଥଖଳାରେ ରଥ ନିର୍ମାଣରେ ଯୋଗଦେବା ପୂର୍ବରୁ ସେମାନଙ୍କୁ ପ୍ରଥମେ ପ୍ରାଥମିକ ତାଲିମ ଦିଆଯାଏ। ଯେହେତୁ ମହାପ୍ରଭୁଙ୍କ ରଥରେ ସିଂହବିରାଳ, ନର ବିରାଳ, ଗଜ ବିରାଳ, ନାଟଗୋଡ ଆଦି ଖୋଦେଇ ହୋଇଥାଏ। ତେଣୁ କୁନିକୁନି ରୂପକାରଙ୍କୁ ହାତୀ, ସିଂହ, ଘୋଡା ଆଦି ପଶୁଙ୍କ ଚିତ୍ର ଆଙ୍କିବାକୁ ଦିଆଯାଏ। ତାପରେ ଗୁଜରେ ସିଂହବିରାଳ ଆଦି ଚିତ୍ର ଖୋଦେଇ ପୂର୍ବରୁ କାଠରେ ଖୋଦେଇ ପ୍ରାକ୍ଟିସ କରାଯାଇ ଗୁଜ ଅନୁକୂଳ ହେବା ପରେ ସେମାନଙ୍କୁ ସାମିଲ କରାଯାଏ। ଗୁଜ କାମ ଚାଲିଥିବା ବେଳେ ଅନେକ ସମୟରେ କୁନିକୁନି ରୂପକାରଙ୍କ ପାଇଁ ଛୋଟଛୋଟ ସମସ୍ଯା ଆସିଥାଏ। ହେଲେ ଏସବୁକୁ ପଛରେ ପକାଇ ଆଗକୁ ବଢିଚାଲନ୍ତି ଏହି କୁନିକୁନି ରୂପକାର। 


ଭବିଷ୍ୟତରେ ପାଠପଢି ଚାକିରି କଲେ ମହାପ୍ରଭୁଙ୍କ ସେବା ଛାଡିବାକୁ ପ୍ରସ୍ତୁତ ନାହାନ୍ତି କୁନି ରୂପକାର। ଖେଳିବା ଆଉ ପାଠ ପଢିବା ସମୟରେ ସେମାନେ ଲାଗିଛନ୍ତି ମହାପ୍ରଭୂଙ୍କ ସେବାରେ। ନିଶା ସେମାନେ ନିର୍ମାଣ କରିବେ ମହାପ୍ରଭୂଙ୍କ ବିଶାଳକାୟ ରଥ। କାରଣ ପବିତ୍ର ଘୋଷଯାତ୍ରା ପାଇଁ ରଥଖଳାରେ ରଥନିର୍ମାଣରେ ଲାଗିପଡିଛନ୍ତି ପାରମ୍ପରିକ ସେବକ। ମହାରଣାସେ ବକଙ୍କ ଠାରୁ ଆରମ୍ଭ କରି ଭୋଇ, କମାର, ଦର୍ଜି, ଚିତ୍ରକାର ସେବକଙ୍କ ସହ ରହିଛନ୍ତି ରୂପକାର ସେବକ। ବଂଶାନୁକ୍ରମିକ ସେବା ଆଧାରରେ ପ୍ରତିବର୍ଷ ରଥନିର୍ମାଣରେ ବିଭିନ୍ନ ରୂପ ଖୋଦେଇ କାର୍ଯ୍ୟ କରିଆସୁଛନ୍ତି ଏହି ରୂପକାର ସେବକ। କୁନିକୁନି ପାପୁଲି ଖୋଦେଇ କରୁଛି ସିଂହବିରାଳ, ନର ବିରାଳ, ଗଜ ବିରାଳ,ନାଟଘୋଡା ଆଦି ଅନେକ ଅଦ୍ଵିତୀୟ କାରିଗରୀ। କୁନି ରୂପକାରଙ୍କ ନିହଣ ମୁନର ଶବ୍ଦରେ ଗୁଞ୍ଜରିତ ହେଉଛି ରଥ ନିର୍ମାଣ ସ୍ଥଳ। ଆଉ ଉପସ୍ଥିତ କାରିଗର କୁନି ଶିଳ୍ପୀଙ୍କ ଚମତ୍କାରିତା ଦେଖି ଉତ୍ସାହିତ ହେଉଥିବା ବେଳେ ବାପା ଅଜା ଅମଳର ଏହି ସେବାକୁ ଆମେ ବଞ୍ଚାଇ ରଖିବୁ କହିଛନ୍ତି କୁନି ରୂପକାର। କୁନି ହାତରେ ପାରିଦର୍ଶିତା ଏବଂ ନିପୁଣତା ଏବେ ସୁଦୂର ପ୍ରସାରୀ ହେଉଥିବା ବେଳେ ପିଲାବେଳୁ ଏହି ରୂପକାର ଜଗନ୍ନାଥଙ୍କ ସେବକ କହି ଗର୍ଵ ଅନୁଭବ କରୁଛନ୍ତି।


ସେପଟେ ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ ଅନୂକୂଳ କରାଯାଇ ରୂପକାର ସେବକଙ୍କୁ ଶାଢୀ ବନ୍ଧାଯାଇଥାଏ। ନୃସିଂହ ଚର୍ତୁଦଶୀ ତିଥିରୁ ରଥର କଣ ଗୁଜରେ ନୃସିଂହଙ୍କ ରୂପ ଖୋଦେଇ ସିଂହ ବିରାଳର କାର୍ଯ୍ୟରୁ ଆରମ୍ଭ ହୋଇଥାଏ ରୂପକାର ସେବା। ହେଲେ ସେବାକୁ ବଞ୍ଚାଇ ରଖିବା ପାଇଁ ରୂପକାର ସେବକ ଘରର ବୟୋଜ୍ୟଷ୍ଠ ରଥଖଳାକୁ ଆଣି ପିଲାଙ୍କୁ ଶିକ୍ଷା ଦେଇଥାନ୍ତି। ପରମ୍ପରାକୁ ବଜାୟ ରଖିବା ପାଇଁ କୁନି କୁନି ରୂପକାର ସେବକଙ୍କ ବେଶ ଭିଡ ଦେଖିବାକୁ ମିଳିଛି ରଥଖଳାରେ। ଆଉ ଲାଗିପଡିଛନ୍ତି ଗୁଜ ଖୋଦେଇ କାମରେ। କୁନି କୁନି ହାତରେ ନିହଣ ଧରି ଚଉପଟ ହୋଇଥିବା ଧଉରା କାଠରେ ରୂପ ଦେଉଛନ୍ତି। କୁନି ରୂପକାରଙ୍କ ପାଇଁ ରଥଖଳା ସାଜିଛି ଯେମିତି ଟ୍ରେନିଂ ସେଣ୍ଟର। କୁଳ ସେବାକୁ ଆଗକୁ ନେବା ପାଇଁ ରଥଖଳାରେ ସେମାନେ ବାପା ବଡ଼ ବାପାଙ୍କ ଠାରୁ ନେଉଛନ୍ତି ଶିକ୍ଷା। କୁନି କୁନି ହାତର ଯାଦୁକାରୀ ସ୍ପର୍ଶରେ ରୂପ ପାଉଛି ରଥର କୋଣଗୁଜ।


ଏହି ବର୍ଗର ରଥନିର୍ମାଣ ସେବକ ଶ୍ରୀମନ୍ଦିର ସେବା ଅନ୍ତର୍ଭୂକ୍ତ ଯାବତୀୟ କାଠ ଖୋଦେଇ କାମ କରିଥାନ୍ତି। କୋଣ ଗୁଜ,ପଟା ଗୁଜ,ପାଶ୍ୱର୍ଦେବତା, ସାରଥୀ, ଘୋଡ଼ା, କଳସ, ସଖୀ, ଶୁଆ ଆଦି ନିର୍ମାଣ କରିବାରେ ଏମାନେ ଦେଖାଇଥାନ୍ତି ନିଜର ପାରିଦର୍ଶିତା। ରୂପକାର ଏବଂ ବଢ଼େଇ ମହାରଣା ବର୍ଗର ଶିଳ୍ପସେବକଙ୍କୁ ବିଶ୍ୱକର୍ମା ବୋଲି କୁହାଯାଏ।