Morbi cable bridge collapse, କଟକ: ଗୁଜରାଟରେ ଭୂକମ୍ପ ହେଲେ ଥରି ଉଠି ଓଡିଶା! କଥାଟି ଅଜବ ଲାଗୁଥିବା ନିଶ୍ଚୟ, କିନ୍ତୁ ଏହା ସତ। କାରଣ ପୁଣି ଓଡିଶାର ଆଖି ଖୋଲି ଦେଇଛି ଗୁଜରାଟ ଟ୍ରାଡେଜି। ସୁରଥ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଓଡିଶାରେ ଅଗ୍ନିଶମ ବିଭାଗ ହରକତରେ ଆସିଥିଲା। ଆଉ ଏବେ ସେହି ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ରାଜ୍ୟର ସମସ୍ତ ଝୁଲାପୋଲର ଯାଞ୍ଚ ହେବାକୁ ଯାଉଛି। ମୋର୍ବି ଦୁର୍ଘଟଣାର ୧୫ ଘଣ୍ଟା ନ ପୁରୁଣୁ କଟକ ଧବଳେଶ୍ୱର ଝୁଲାପୋଲରେ କଟକଣା ଲଗାଯାଇଛି। ତେବେ ଜିଲ୍ଲାପ୍ରଶାସନ ଏହି ନିଷ୍ପତ୍ତି ହଠାତ ନେଲା ନା ମୋର୍ବି ଝୁଲାପୋଲ ଛିଣ୍ଡିବାକୁ ଅପେକ୍ଷା କରିଥିଲା, ତେହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।


COMMERCIAL BREAK
SCROLL TO CONTINUE READING

୨୦୧୯ ମେରେ ସୁରଥର ଏକ କୋଚଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଓଡିଶାରେ ଚହଳ ଖେଳିଯାଇଥିଲା। ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର ଓ ହସ୍ପିଟାଲରେ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ଅନେକ ସଂସ୍ଥା ସରକାରୀ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡିଥିଲା। ଆଉ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ତେବେ କିଛି ଦିନ ଆକ୍ଟିଭ ରହିଲା ପରେ ପ୍ରଶାସନ ଏବେ ନିରବ ଅଛି। ଏବେ ଗୁଜରାଟରେ ଆଉ ଏକ ଅଘଟଣ ଘଟିଛି। ରବିବାର ସନ୍ଧ୍ୟାରେ ମୋର୍ବି ଜିଲ୍ଲାସ୍ଥିତ ମାଛୁ ନଦୀ ଉପରେ ଯାଇଥିବା ଝୁଲାପୋଲ ଛିଣ୍ଡି ଯାଇଛି। ଏଥିରେ ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୋର୍ବି ଝୁଲାପୋଲ ଘଟଣା ପରେ କଟକର ଧବଳେଶ୍ୱର ଝୁଲାପୋଲରେ କଟକଣା ଲଗାଯାଇଛି। 


Also Read: Morbi cable bridge collapse: ଅବହେଳାରୁ ଅଘଟଣ! ନିର୍ବାଚନ ପୂର୍ବରୁ ଗଡିଲା ଶତାଧିକ ମୁଣ୍ଡ, ବିଜ


ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ଅଛି। ଯାହାକୁ ଦୃଷ୍ଟିରେ ରଖି ଧବଳେଶ୍ୱରରେ ମହାନଦୀ ଉପରେ ଥିବା ଝୁଲାପୋଲରେ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲଗାଯାଇଛି। ଆଗରୁ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ତାହାକୁ ୨୦୦କୁ କମାଇ ଦିଆଯାଇଛି ବୋଲି ଆଠଗଡ଼ ସବ୍ କଲେକ୍ଟର ସୂଚନା ଦେଇଛନ୍ତି। ଯେହେତୁ ଝୁଲାପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି ସେ ଦିଗରୁ ମଧ୍ୟ ପ୍ରଶାସନ ସଜାଗ ରହିଛି। ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି। 


ସେହିଭଳି ଧବଳେଶ୍ୱର ପୀଠ ଯିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ଏହା ସହ ଯେଉଁ ଶ୍ରଦ୍ଧାଳୁମାନେ ନିତ୍ୟାନ୍ତ ଆବଶ୍ୟକ, ସେହିମାନେ ହିଁ ଝୁଲାପୋଲରେ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କାରଣ ଅଧିକ ଲୋକ ସମାଗମ ହେଲେ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ। ଏକାସଙ୍ଗରେ ଧବଳେଶ୍ୱର ଝୁଲାପୋଲରେ କେବଳ ୨୦୦ ଓ ଦିନକରେ ୧୫ରୁ ୨୦ ହଜାର ଲୋକଙ୍କୁ ଯାତାୟାତ ଅନୁମତି ଦିଆଯାଇଛି। କୋଲକାତାର ଏକ ଟିମ୍ ପୋଲର ସୁରକ୍ଷା ଯାଞ୍ଚ ପରେ କ୍ଷମତା କମା ଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଆଠଗଡ ପ୍ରଶାସନ ନେଇ ଥିବା ନିଷ୍ପତ୍ତିର ସମୟକୁ ନେଇ ପ୍ରଶ୍ନ ଉଠୁଛି। ନିର୍ଦ୍ଦେଶ ଜାରି କରିବାକୁ ପ୍ରଶାସନ ମୋର୍ବି ଘଟଣାକୁ ଅପେକ୍ଷା କରିଥିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।


Also Read: Bhubaneswar to Jeypore air service: 'ଅପରେସନ୍ ସକସେସଫୁଲ୍-ମିଶନ ଫେଲ୍'


ସୂଚନାଯୋଗ୍ୟ, କଟକର ଧବଳେଶ୍ୱର ପରେ ରାୟଗଡାର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ରାଜ୍ୟରେ ପ୍ରସିଦ୍ଧ। ବର୍ଷ ତମାମ ଏହି ଦୁଇଟି ଝୁଲାପୋଲରେ ପର୍ଯ୍ୟଟକଙ୍କ ଭିଡ ଜମି ଥାଏ। କିନ୍ତୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗତ ସେପ୍ଟେମ୍ବରରେ ସ୍ଥାନୀୟ ପ୍ରଶାସନ ରାୟଗଡାର ଝୁଲାପୋଲକୁ ଅନିଦ୍ଧିଷ୍ଟକାଳ ପାଇଁ ବନ୍ଦ କରିଛି। ଯହାକୁ କିଛି ଲୋକ ବିରୋଧ କରୁଛନ୍ତି। ତଥାପି ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଅନେକ ସମୟରେ ଝୁଲାପୋଲକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ନାଗାବଳୀ ନଦୀରେ ଭାସି ଯାଇ ପ୍ରାଣ ହରାଉଥିବା ଅଭିଯୋଗ ହୋଉଛି।