ଭୁବନେଶ୍ୱର: ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୩ ଗୁଣା ବଢ଼ିଛି। ୨୦୦୦ ମସିହାରେ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୧ ବର୍ଷରେ ୨୩.୭୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସେହିପରି ଏହି ସମୟ ମଧ୍ୟରେ  ମାଛ ଉତ୍ପାଦନ ୬ ଗୁଣା ବୃଦ୍ଧି ପାଇ ୩୮.୩୮ ହଜାର ମେଟ୍ରିକ ଟନରୁ ୨୧୩.୦୯ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଅଣ୍ଡା ଉତ୍ପାଦନ ୩ ଗୁଣା ବୃଦ୍ଧି ପାଇ ୭୩୦୧ ଲକ୍ଷ ଅଣ୍ଡା ରୁ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି। 


COMMERCIAL BREAK
SCROLL TO CONTINUE READING

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି କୃଷି ମନ୍ତ୍ରୀ ଡ.ଅରୁଣ ସାହୁ। ଶନିବାର କୃଷି ଭବନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀ କହିଛନ୍ତି ପଶୁ ପାଳନ କ୍ଷେତ୍ରର ବିକାଶ ପାଇଁ  ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ , ଉଦ୍ୟୋଗୀ, ପଶୁ ପାଳକଙ୍କୁ ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ଆଗକୁ ଅଧିକ ଭେଟେନାରୀ ଅଫିସର ନିଯୁକ୍ତି ନେଇ ମଧ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। 


କୃଷି କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ବିଭିନ୍ନ ଚାଷ ପାଇଁ ସରକାର ସବସିଡି ଯୋଗାଇ ଦେଉଛନ୍ତି। ଚାଷ ପ୍ରତି ଯୁବକଙ୍କ ଆଗ୍ରହ ବଢୁଥିବା ବେଳେ କିପରି ଅଧିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ସରକାର ଚେଷ୍ଟିତ ଥିବା କହିଛନ୍ତି ମନ୍ତ୍ରୀ। ଏହି ଅବସରରେ ଅଗ୍ରଣୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରାଣୀ ଚିକିତ୍ସା କ୍ଷେତରେ ଉଲେଖନୀୟ ସଫଳତା ପାଇଥିବା କିଛି କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।