Sambalpur News: ଆକଷ୍ଟିକାଲ ସୋସାଇଟି ଅଫ ଇଣ୍ଡିଆର ୫୦ତମ ଜାତୀୟ ମହାଧିବେଶନର ଉଦଘାଟନୀ ଉତ୍ସବ ସଂପ୍ରତି ବୀର ସୁରେନ୍ଦ୍ର ସାଏ ପ୍ରଦ୍ୟୋଗିକ ବିଶ୍ୱବିଦ୍ୟାଳୟର ଇ-ଶିକ୍ଷାଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୂଳପତି ଓ କାର୍ଯ୍ୟକ୍ରମର ମୁଖ୍ଯ ପୃଷ୍ଠପୋଷକ ପ୍ରଫେସର ବଂଶୀଧର ମାଝୀ ଦେଶର କୋଣାନୁକୋଣରୁ ଆସିଥିବା ପ୍ରତିଷ୍ଠିତ ବୈଜ୍ଞାନିକ ଓ ଶିକ୍ଷାବିତ୍ ମାନଙ୍କୁ ସ୍ୱାଗତ କରିଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନର ଭୂଇଁରେ ସ୍ୱାଧିନତାର ଅମୃତକାଳ ବର୍ଷରେ ଆକଷ୍ଟିକାଲ ସୋସାଇଟିର ମହାଧିବେଶନ ଆୟୋଜିତ କରୁଥିବାରୁ ସଂଗଠନର କାର୍ଯ୍ଯକର୍ତ୍ତା ଓ ସଂଗଠନ ସମ୍ପାଦକଙ୍କୁ ମଧ୍ୟ ସାଧୁବାଦ ଦିଆଯାଇଥିଲା । ବୁର୍ଲାସ୍ଥିତ ଏହି ଭିସୁଟ ବିଶ୍ୱବିଦ୍ୟାଳୟ ଆଧୁନିକ ଓଡି଼ଶାର ନବ ନିର୍ମାଣରେ ପ୍ରମୁଖ ପୁରୋଧା ଓ ସୋସାଇଟିର ଗବେଷଣାତ୍ମକ ଆଭିମୁଖ୍ୟରେ ସହଭାଗୀ ହେବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକ ଓ ବିଶ୍ୱ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ଯ ପ୍ରଫେସର ଗଣେଶ୍ୱର ନାଥ ସୋସାଇଟି ଓ ଆୟୋଜିତ ମହାଧିବେଶନ ବିଷୟରେ ସୂଚନା ଦେବାକୁ ଯାଇ କିପରି ଏହା ଦିର୍ଘ ପାଞ୍ଚ ଦଶନ୍ଧି ଧରି ଶବ୍ଦ ବିଜ୍ଞାନ ଆଧାରରେ ପ୍ରାଣୀ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ସ୍ଥାପତ୍ୟ ଶାସ୍ତ୍ର, ଶବ୍ଦ ପ୍ରଦୂଷଣ, ଭେଷଜ ବିଜ୍ଞାନ, ଅଭି ଯାନ୍ତ୍ରିକୀ, ପରିବେଶ ଶାସ୍ତ୍ର, ଧ୍ୱନି ବିଜ୍ଞାନ, ମନସ୍ତତ୍ତ୍ୱ, ଖଣିଜ ଶାସ୍ତ୍ର ଆଦି ବିଷୟରେ ଗବେଷଣାକୁ କାର୍ଯ୍ଯଶାଳା ଓ ଆଲୋଚନାଚକ୍ର ମାଧ୍ଯମରେ ପରିପୋଷଣ କରିଆସୁଛି ସେ ନେଇ ଆଲୋଚନା କରିଥିଲେ। ଏହି ତ୍ରି ଦିବସୀୟ କାର୍ଯ୍ଯଶାଳାରେ ପ୍ରାୟ ୨୨ ଜଣ ବିଶେଷ ଆମନ୍ତ୍ରିତ ବକ୍ତବ୍ଯ ଓ ୯୮ ଜଣ ମୌଖିକ ସନ୍ଦର୍ଭ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଶତାଧିକ ସନ୍ଦର୍ଭ ପୋଷ୍ଟର ପ୍ରଦର୍ଶିତ ହେବ ବୋଲି  ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

ଆକଷ୍ଟିକାଲ ସୋସାଇଟି ଅଫ ଇଣ୍ଡିଆର ଉପସଭାପତି ପ୍ରଫେସର ଅଜିସ ଆବ୍ରାହମ ନିଜ ବକ୍ତବ୍ଯରେ ସୋସାଇଟିର ଭବିଷ୍ଯତ କାର୍ଯ୍ୟପନ୍ଥା ବିଷୟରେ ସମ୍ଯକ ସୂଚନା ଦେଇଥିଲେ। ସୋସାଇଟିର ଜର୍ଣ୍ଣାଲ ଶବ୍ଦ ବିଜ୍ଞାନ ସମ୍ବନ୍ଧୀୟ ସାଂପ୍ରତିକ ଗବେଷଣାକୁ ଲକ୍ଷାଧିକ ଗବେଷଣାଙ୍କ ପାଖରେ ପହଞ୍ଚାଇବାରେ ସମର୍ଥ ହୋଇଛି ବୋଲି ସେ କହିଥିଲେ। ସୋସାଇଟି ଏହାର ମୂଳ ଉଦ୍ଦେଶ୍ଯରୁ ବିଚ୍ଯୁତ ହୋଇନାହିଁ ଓ ଗବେଷଣାରେ ଉଚ୍ଚ ମାନଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସରତ ବେଲି ସେ କହିଥିଲେ। ମୁଖ୍ଯ ଅତିଥି ଓ. ୟୁ. ଟି. ଆର. ର  କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ନିଜ ବକ୍ତବ୍ଯରେ ଦେଶ ଓ ପ୍ରଦେଶରେ ସାଂପ୍ରତିକ ଗବେଷଣାର ଦିଗ ଓ ଦିଗନ୍ତ ବିଷୟରେ ବିସ୍ତାର ଭାବେ ଆଲୋଚନା କରିଥିଲେ। ରାଜ୍ୟର ବିକାଶରେ ଶିକ୍ଷାବିତ୍ ଓ ଗବେଷକମାନେ ପ୍ରଭାବୀ ଯୋଗଦାନ ଦେଇପାରିଲେ ଯୁଗପୁରୁଷ ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ସୋସାଇଟିର ସାଧାରଣ ସଂପାଦକ ଡଃ ମହାବୀର ସିଂହ ଏ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ବିଭିନ୍ନ ପୁରସ୍କାର ଓ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମ୍ବର୍ଦ୍ଧିତ ପ୍ରତିଭାଙ୍କ ନାମ ଘୋଷଣା କରିଥିଲେ। ଧ୍ୱନି ବିଜ୍ଞାନରେ ଶିକ୍ଷା ଓ ଗବେଷଣାକୁ ମହତ୍ତର ଯୋଗଦାନ ପାଇଁ ପ୍ରଫେସର ରିତା ପାଇକରାଏଙ୍କୁ ସୋସାଇଟିର ସର୍ବୋଚ୍ଚ ବିଶେଷ ସେବା ସମ୍ମାନ ପ୍ରଦାନ କରାଯାଇ ଥିଲା ।


କାର୍ଯ୍ୟକ୍ରମର ଆବାହକ ଡଃ ଭାରତୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ଅମିତ ଚାଟାର୍ଜୀ ଧନ୍ଯବାଦ ଅର୍ପଣ କରିଥିଲେ। ଗତକାଲି ପ୍ରଫେସର ତାଭାନେ, ପ୍ରଫେସର ପିୟୁଷ ରଞ୍ଜନ ଦାସ, ପ୍ରଫେସର ମିଶ୍ର, ପ୍ରଫେସର ରିତା ପାଇକରାଏ, ଡଃ କିର୍ତ୍ତୀ ସୋନି, ଡଃ ବିଶ୍ୱଜିତ୍ ଚକ୍ରବର୍ତ୍ତୀ, ପ୍ରମୁଖ ବିଭିନ୍ନ ସେକ୍ସନର ଅଧ୍ଯକ୍ଷତା କରିଥିଲେ। ଗତକାଲି ସଂଧ୍ଯାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ତିନି ଦିନ ଧରି ଚାଲିବ।