ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ତହସିଲ ଠାରୁ ମାତ୍ର ୧ କିମି ଦୂରରେ ରହିଥିବା ସୁବର୍ଣ୍ଣରେଖା ନଦୀ ବନ୍ଧ ତଳୁ ବେଆଇନ ଭାବେ ମାଟି ଚୋରି କରି ବିକ୍ରି କରୁଥିବା ମାଟି ମାଫିଆଙ୍କ ଗାଡ଼ି ଜବତ କରି ତହସିଲ କାର୍ଯ୍ୟାଳୟରେ ଜମା ଦେଇ ଧାରଣାରେ ବସିଲେ ଆଠବାଟିଆ ଗ୍ରାମବାସୀ। ଏହି ଘଟଣାରେ ମାଟି ମାଫିଆ ଘଣ୍ଟିଆ ଓରଫ ସଞ୍ଜୟ ପାତ୍ରକୁ ଗିରଫ କରିବାକୁ ଦାବି କରିଛନ୍ତି ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିବା ଗ୍ରାମବାସୀ। 


COMMERCIAL BREAK
SCROLL TO CONTINUE READING

ନଦୀ ବନ୍ଧରୁ ମାଟି ଚୋରି ହେବା କାରଣରୁ ବାଲିଆପାଳ ବ୍ଲକ ମଧୁପୁର, ଅସ୍ତି, ବାଲିଆପାଳ, ବିଷ୍ଣୁପୁର,ବଡାସ ପଞ୍ଚାୟତର ୫୦ ହଜାର ଲୋକଙ୍କ ଜୀବନ ବିପଦରେ ପଡିଯାଇଛି। ମାଟି ଚୋରି ହେବାରୁ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଏହି ପଞ୍ଚାୟତରେ ରହିଥିବା ନଦୀ ବନ୍ଧ ଅସୁରକ୍ଷିତ ହୋଇପଡିଛି। ବନ୍ଧ ତଳୁ ମାଟି ମାଫିଆ ପ୍ରତ୍ୟେକ ଦିନ ଜେସିବି ଲଗାଇ ଶହ ଶହ ଟ୍ରାକ୍ଟର ମାଟି ବିକ୍ରି କରୁଛନ୍ତି। ସ୍ଥାନୀୟ ତହସିଲ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଏହି ବେଆଇନ କାମ। ଏନେଇ ଜନସାଧାରଣଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ମଧ୍ୟ ହେଉନାହିଁ କାର୍ଯ୍ୟାନୁଷ୍ଠାନ। କେତେ ବେଳେ କାଁ ଭାଁ କାଗଜ କଲମରେ ଚଢ଼ାଉ କରି ମାଫିଆଙ୍କୁ ସୁହାଇଲା ପରି ଫାଇନ କାଟି ଚୁପ ବସୁଛି ପ୍ରଶାସନ। 


ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରି ପରେ ଏବେ ମାଟି ଉପରେ ପଡିଛି ମାଫିଆଙ୍କ ନଜର। ଆଉ ଏହି କାମରେ କର୍ପଟଦାର ସାଜିଛି ସ୍ଥାନୀୟ ପ୍ରଶାସନ। ମାଟି ଉଠା ପାଇଁ ନଦୀର ଗତିପଥ ବଦଳିବା ଆଶଙ୍କାରେ ଭୟଭୀତ ଗ୍ରାମବାସୀ। ବନ୍ୟା ଆସିଲେ ଏହି ନଦୀ କୂଳିଆ ଗ୍ରାମ ବ୍ୟାପକ କ୍ଷତି ସହୁଥିବା ବେଳେ ଚଳିତ ବର୍ଷ ବନ୍ୟା ଆସିଲେ ଶତାଧିକ ଗାଁ ନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି। ପ୍ରଶାସନ ନଦୀ ବନ୍ଧରେ ମୁଠାଏ ମାଟି ପକାଇବା ପରିବର୍ତ୍ତେ ମାଫିଆଙ୍କ ସହିତ ହାତ ମିଳାଇ ନଦୀ ଗର୍ଭରୁ ବାଲି ଏବଂ ନଦୀ ବନ୍ଧ ତଳୁ ମାଟି ଚାଲାଣ କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକା ସହିତ ମାରାତ୍ମକ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଶହ ଶହ ଗ୍ରାମବାସୀ। ତୁରନ୍ତ ମାଟି ବାଲି ମାଫିଆଙ୍କୁ ଗିରଫ କରି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହା ଉପରେ ରହିଛି ନଜର।