Boudh Adenigarh Veterinary Center, ବୌଦ୍ଧ: ସୋମବାର ଜୀ ଓଡ଼ିଶା ନ୍ୟୁଜରେ 'ପ୍ରାଣହୀନ ପ୍ରାଣୀଧନ ସହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!' ଶୀର୍ଷକକୁ ନେଇ ଖବର ପ୍ରସାରଣ ହୋଇଥିଲା। ଏହାର ୨୪ ଘଣ୍ଟା ନ ପୁରୁଣୁ ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ର ଚଳଚଞ୍ଚଳ ହୋଇ ପଡିଛି। ଭୂତ କୋଠି ପାଲଟିଥିବା ଲକ୍ଷାଧିକ ଟଙ୍କା କୋଠା ଓ ଅଧିକାରୀଙ୍କ ବାସଗୃହରେ ଜୀବନ ଫେରିଛି। ଜୀ ଓଡ଼ିଶା ନ୍ୟୁଜରେ ଖବର ପ୍ରସାରଣ ପରେ ରାତି ଅଧିଆ କାର୍ଯ୍ୟାଳୟକୁ ସଫା ସୁତୁରା କରାଯାଇଛି। କେନ୍ଦ୍ରରେ ନିୟୋଜିତ ହୋଇଥିବା ସତ୍ତ୍ୱେ ନିଖୋଜ ଥିବା ପ୍ରାଣୀଧନ ନିରୀକ୍ଷକ ନୟନା ବେହେରା କାର୍ଯ୍ୟାଳୟରେ ପହଞ୍ଚି ଡ୍ୟୁଟିରେ ଲାଗିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ନିରୀକ୍ଷକ ଡ୍ୟୁଟି କରୁଥିବା ଦେଖି ପଞ୍ଚାୟତବାସୀ ଆନନ୍ଦିତ ହୋଇଛନ୍ତି। ତେବେ ଏଭଳି ନିୟମିତ ସେବା ଯୋଗାଇ ଦେବାକୁ ନୟନା ବେହେରାଙ୍କୁ ଅନୁରୋଧ କରିବା ସହିତ ପ୍ରାଣୀଧନ ସହାୟକ କେନ୍ଦ୍ର ପୁନର୍ଜନ୍ମ ପାଇଥିବା ସେମାନେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ରକୁ ନିରୀକ୍ଷକ ନୟନା ବେହେରା ଫେରିଛନ୍ତି। ମଙ୍ଗଳବାର ତାଙ୍କୁ କେନ୍ଦ୍ରର ବାରଣ୍ଡାରେ ଚେୟାର ଓ ଟେବୁଲ ପକାଇ ବସିଥିବା ଦେଖିବାକୁ ମିଳିଛି। ପ୍ରାଣୀଧନ ନିରୀକ୍ଷଣ ଫେରିବା ପରେ ଆଡେଣିଗଡ଼ ପଞ୍ଚାୟତବାସୀ ଖୁବ ଆନନ୍ଦିତ ଅଛନ୍ତି। ଏଥର ସେମାନଙ୍କୁ ଗୃହପାଳିତ ପଶୁ ପକ୍ଷୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବ ବୋଲି ଆଶା ରଖିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ରଥଙ୍କ ଭୂମିକାକୁ ନେଇ ସ୍ଥାନୀୟ ସରପଞ୍ଚ ଅଜିତ ପ୍ରଧାନ ଏବେ ପ୍ରଶ୍ନ ଉଠାଇଛନ୍ତି। ବିଭାଗୀୟ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଓ ଅବହେଳା କାରଣରୁ ପ୍ରାଣୀଧନ ନିରୀକ୍ଷକ ଡ୍ୟୁଟି କରୁ ନ ଥିଲେ। କିନ୍ତୁ ଉଭୟଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସରପଞ୍ଚ କହିଛନ୍ତି।


Also Read: ପ୍ରାଣହୀନ ପ୍ରାଣୀଧନ ସାହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!


୨୦୨୧ ଅଗଷ୍ଟ ମାସରେ ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ରରେ ନୟନା ବେହେରା, ନିରୀକ୍ଷକ ଭାବେ ଯୋଗ ଦେଇଥିଲେ। ନୟନାଙ୍କୁ ତଳଗାଁ ଗ୍ରାମପଂଚାୟତର ପ୍ରାଣୀଧନ ସହାୟକ କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ସେ ଦୀର୍ଘ ଦିନ ହେବ ଆଡେଣିଗଡ଼ କେନ୍ଦ୍ରକୁ ଆସୁନଥିଲେ। ଫଳରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ କେନ୍ଦ୍ରକୁ ଯାଇ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଥିଲା। ଫଳରେ ଆଡେଣୀଗଡ ପ୍ରାଣୀ ଚିକିତ୍ସା କେନ୍ଦ୍ର ଭୂତକୋଠିରେ ପରିଣତ ହୋଇଥିଲା। ନୟନା କିଭଳି କାମ ଚୋରି କରୁଛନ୍ତି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଦିପ୍ତ କୁମାର ରଥ ସବୁ ଜାଣି ବି ଚୁପ ବସିଥିଲେ। କ୍ଷେତ୍ର ପରିଦର୍ଶନ ନ କରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଓ ହରଭଙ୍ଗା ବ୍ଲକ ଗୋଷ୍ଠୀ ପ୍ରାଣୀ ଚକିତ୍ସାଧିକାରୀ ବିରେନ୍ଦ୍ର କୁମାର ପୁଷ୍ଟି ଆଡେଣୀଗଡ ପ୍ରାଣୀଧନ ସହାୟକ କେନ୍ଦ୍ରରେ ସବୁ ଠିକ ଅଛି ବୋଲି କହିଥିଲେ।


ଏବେ ପ୍ରାଣୀଧନ ନିରୀକ୍ଷକ ନୟନା ବେହେରା, ଆଡେଣିଗଡ଼ କେନ୍ଦ୍ରକୁ ଫେରିଛନ୍ତି। ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବିରୋଧରେ ବେପରୁଆ ମନୋଭାବ, କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା,  କାମ ନ କଲେ ମଧ୍ୟ ଦରମା ଆପ୍ରଭାଲ କରିବା ଭଳି ସାଂଘାତିକ ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗର ତଦନ୍ତ କିଏ ଓ କେବେ କରିବେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ତଦନ୍ତ କରାଯାଇ, କାମ ନ କରି ରାଜକୋଷରୁ ଦରମା ନେଉଥିବା ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ଦରମା ଅସୁଲ କରିବାକୁ ଦାବି ହେଉଛି। ଏହା ସହ ଗତ ଦୁଇବର୍ଷ ଭିତରେ ପଶୁପାଳକମାନେ ଚିକିତ୍ସା ସେବା ନ ପାଇଁ ନିଜ ନିଜର ଗୃହ ପାଳିତ ପଶୁପକ୍ଷୀଙ୍କୁ ହରାଇଛନ୍ତି। ତେଣୁ ତାହାର ମଧ୍ୟ ତଦନ୍ତ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯାଉ ନଚେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଆଡେଣିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ କହିଛନ୍ତି।