ପ୍ରାଣହୀନ ପ୍ରାଣୀଧନ ସାହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!
Advertisement
Article Detail0/zeeodisha/odisha1388345

ପ୍ରାଣହୀନ ପ୍ରାଣୀଧନ ସାହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!

Boudh Adenigarh veterinary center: ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବନ୍ଦ ଥିବାରୁ ଗୃହପାଳିତ ପଶୁ ପକ୍ଷୀଙ୍କୁ ଚିକିତ୍ସା ସେବା ମିଳିପାରୁନାହିଁ। ଜିଲ୍ଲା ଅଧିକାରୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପଞ୍ଚାୟତବାସୀ। ତାଙ୍କ ବେପରୁଆ ମନୋଭାବ ସାଙ୍ଗକୁ ନିୟୋଜିତ କର୍ମଚାରୀଙ୍କୁ ସେ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ମୋଟା ଅଙ୍କର ଦରମା ଦେଇ ନିରୀକ୍ଷକ କାମ କରୁନଥିବା ଲୋକେ କହିଛନ୍ତି।

ପ୍ରାଣହୀନ ପ୍ରାଣୀଧନ ସାହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!

ବୌଦ୍ଧ: ଗ୍ରାମାଞ୍ଚଳ ଗୁଡିକରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ରାଜ୍ୟ ସରକାର ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲିଛନ୍ତି । ମୋଟା ଅଙ୍କର ଦରମା ଦେଇ କର୍ମଚାରୀମାନଙ୍କୁ ନିୟୋଜିତ କରିଛନ୍ତି । ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ କାର୍ଯ୍ୟାଳୟ ଓ ରହିବା ପାଇଁ ଘର ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ କାରଣରୁ ପଶୁ ପକ୍ଷୀ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଆଦିବାସୀ ଅଧ୍ୟୂଷିତ ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଚଂଳ ଭାବେ ଜଣାଶୁଣା ଆଡେଣୀଗଡରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରରେ ବର୍ଷବର୍ଷ ଧରି ତାଲା ଝୁଲୁଛି । ନିୟୋଜିତ ପ୍ରାଣୀଧନ ନିରୀକ୍ଷକଙ୍କ ଦେଖା ନଥିବାରୁ ଏବେ ଚିକିତ୍ସା କେନ୍ଦ୍ରଟି ଭୂତ କୋଠି ପାଲଟି ଯାଇଛି । 

ଲୋକଙ୍କ ଟିକସ ପଇସାରେ ରାଜ୍ୟ ସରକାରଙ୍କ ଠାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମୋଟା ଅଙ୍କର ଦରମା ପାଉଛନ୍ତି । କିନ୍ତୁ ତାଙ୍କ ବେପରୁଆ ମନୋଭାବ ସାଙ୍ଗକୁ ନିୟୋଜିତ କର୍ମଚାରୀଙ୍କୁ ସେ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି । ଯହାର ପ୍ରମାଣ ଆଡେଣୀଗଡ ଭଳି ଦୁର୍ଗମ ଅଚଞ୍ଚଳରେ ରହିଛି । ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବନ୍ଦ ଥିବାରୁ ଗୃହପାଳିତ ପଶୁ ପକ୍ଷୀଙ୍କୁ ଚିକିତ୍ସା ସେବା ମିଳିପାରୁନାହିଁ ବୋଲି ଆଡେଣୀଗଡ ଗ୍ରାମପଂଚାୟବାସୀ ସମେତ ସରପଞ୍ଚ ଅଜିତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି । ଚିକିତ୍ସା କେନ୍ଦ୍ର କୋଠା ଭୂତ କୋଠି ପାଲଟି ଥିବା ବେଳେ ଏଠାରେ ନିୟୋଜିତ ନିରୀକ୍ଷକ କୁଆଡେ ନିଖୋଜ ହୋଇଯାଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। 

Also Read: Odisha Vigilance: କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ବାହାରିଲା ଅମାପ ସମ୍ପତ୍ତି

ଲୋକଙ୍କ କହିବା ଅନୁସାରେ, ୨୦୨୧ ଅଗଷ୍ଟ ମାସରେ ଆଡେଣୀଗଡ ପ୍ରାଣୀଧନ ସହାୟକ କେନ୍ଦ୍ରରେ ନୟନା ବେହେରା ନାମକ ଜଣେ ମହିଳାଙ୍କୁ ପ୍ରାଣୀଧନ ନିରୀକ୍ଷକ ଭାବେ ନିୟୋଜିତ କରାଯାଇଛି । କିନ୍ତୁ ଗତ ବର୍ଷକ ଭିତରେ ମାତ୍ର ହାତ ଗଣତି କିଛିଦିନକୁ ଛାଡିଦେଲେ ବର୍ଷ ତମାମ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକଙ୍କ ଦେଖା ମିଳୁନାହିଁ। ନୟନାଙ୍କୁ ତଳଗାଁ ଗ୍ରାମପଂଚାୟତର ପ୍ରାଣୀଧନ ସହାୟକ କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଦୁଇ ଦୁଇଟି କେନ୍ଦ୍ରର ଦାୟିତ୍ୱ ସମ୍ଭାଳୁ ଥିବା ନିରୀକ୍ଷକଙ୍କର ଦେଖାମିଳୁନାହିଁ । ଫଳରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ କେନ୍ଦ୍ରକୁ ଯାଇ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ବେଳେ ବେଳେ ଚିକିତ୍ସା ଅଭାବରୁ ଗାଈଗୋରୁଙ୍କର ମୃତ୍ୟୁ ମଧ୍ୟ ହେଉଥିବା ଆଡେଣୀଗଡ ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି ।

ସେପଟେ ଚିକିତ୍ସା ନିମନ୍ତେ ନିୟୋଜିତ ପ୍ରାଣୀଧନ ନିରୀକ୍ଷକ ନୟନା ବେହେରାଙ୍କୁ ଲୋକେ ଯୋଗାଯୋଗ କଲେ, ସେ ତଳଗାଁ ଆସିଥିବା କହି ଭୁଆଁ ବୁଲାଇ ଚାଲିଯାଉଛନ୍ତି। ହେଲେ ଆଡେଣୀଗଡରେ ମୁଖ୍ୟ ଦାୟିତ୍ୱ ରହିଥିବାବେଳେ ନୟନା ସର୍ବଦା ତଳଗାଁ ନାମ ନେଇ ଖସି ଯାଉଛନ୍ତି । ଫଳରେ ଆଡେଣୀଗଡ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ଭୂତକୋଠିରେ ପରିଣତ ହୋଇଛି । ନୟନା କିଭଳି କାମ ଚୋରି କରୁଛନ୍ତି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଦିପ୍ତ କୁମାର ରଥ ସବୁ ଜାଣି ବି ଚୁପ ବସିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେ ନୀରବ ରହିଥିବାରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପଞ୍ଚାୟତ ବାସୀ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଦୀପ୍ତ କୁମାର ରଥ ଓ ହରଭଙ୍ଗା ବ୍ଲକ ଗୋଷ୍ଠୀ ପ୍ରାଣୀ ଚକିତ୍ସାଧିକାରୀ ବିରେନ୍ଦ୍ର କୁମାର ପୁଷ୍ଟି ଆଡେଣୀଗଡ ପ୍ରାଣୀଧନ ସହାୟକ କେନ୍ଦ୍ର ଠିକ ଚାଲିଛି ବୋଲି କହିଛନ୍ତି।

Also Read: Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆଡେଣୀଗଡରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସମୟରେ ପରିଦର୍ଶନ କରିଥିଲେ। ସେତେବେଳେ ସବୁଠିକ୍ ଥିଲା । ଏବେ ଅଭିଯୋଗ ଆସିଛି, ତାହାର ତଦନ୍ତ କାରାଯିବ ବୋଲି ସେ କହିଛନ୍ତି । ତେବେ କିଏ ତଦନ୍ତ କରିବ ? ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷବର୍ଷ ଧରି ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନାଁରେ ଚାଲିଥିବା ଗୁରୁତର ଅବହେଳା ପାଇଁ ଦାୟୀ କିଏ ? ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ପରିଦର୍ଶନ ତାଲିକାର ଯାଞ୍ଚ କରିବା ସହିତ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ମତାମତ ନେବାକୁ ଦାବି ହୋଇଛି। ଏହା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ଆଡେଣୀଗଡ ସରପଞ୍ଚ ଅଜିତ ପ୍ରଧାନ ଅନୁରୋଧ କରିଛନ୍ତି।