ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ପ୍ରତିଷ୍ଠାନର ଭାରପ୍ରାପ୍ତ ଡିନ୍ ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ଆଇଏଲ୍ଏସ୍ ର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ବୈଷୟିକ ଶିକ୍ଷା, ବିଶେଷତଃ ଜୈବ ବିଜ୍ଞାନ, ମଲିକୁଲାର ବାୟୋଲୋଜି ଏବଂ ମାଇକ୍ରୋ ବାୟୋଲୋଜି କ୍ଷେତ୍ରରେ ଏକାଡେମିକ୍ ପ୍ରକ୍ରିୟାର ଗୁଣବତ୍ତା ତଥା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଗବେଷଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣାପତ୍ର କାର୍ଯ୍ୟ କରିବ।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ପ୍ରଫେସର କରମଲକର କହିଛନ୍ତି ଯେ, ଆଇଏଲ୍ଏସ୍ ସହିତ ଏହି ସହଯୋଗ ବିଭିନ୍ନ ଜୀବନ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଇକୋସିଷ୍ଟମକୁ ସମୃଦ୍ଧ କରିବ, ଯାହା ମାନବ ଜୀବନକୁ ବିଭିନ୍ନ ରୋଗ ରକ୍ଷା କରିବାରେ ସହାୟକ ହେବ। ବୈଷୟିକ ଜ୍ଞାନ ପ୍ରଦାନକାରୀ ଭାବରେ ଆଇଆଇଟି ଏହି ସଙ୍ଗଠନରେ ଏହି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବାକୁ ବିଶେଷ ରୂପେ ଆଗ୍ରହୀ। ପ୍ରଫେସର ଶ୍ରୀ ଦାଶ ପ୍ରକାଶ କରିଛନ୍ତି, ଭାରତର ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ଏମଓୟୁ କେବଳ ଜୈବ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନରେ ପରିବର୍ତ୍ତନ ଆଣିବ ନାହିଁ ବରଂ ଭବିଷ୍ୟତରେ ଏହି ଡୋମେନରେ ଏକ ମାନଦଣ୍ଡ ସୃଷ୍ଟି କରିବାରେ ଓଡ଼ିଶାକୁ ସାହାଯ୍ୟ କରିବ। ଯକ୍ଷ୍ମା ନିରାକରଣ ପାଇଁ ଟିକା ବିକଶିତ କରିବା ଦିଗରେ ବିଶେଷ ଧ୍ୟାନ ଏହି ଉଦ୍ଦେଶ୍ୟରେ କରାଯାଉଥିବା ପ୍ରୟାସକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି କହିଛନ୍ତି। 


ଅନ୍ୟମାନଙ୍କ ମଧ୍ୟରେ ଆଇଏଲ୍ଏସ୍ ସୁନୀଲ କେ. ରାଘବ, ଅଂଶୁମାନ ଦୀକ୍ଷିତ, ତୁଷାର କାନ୍ତ ବେଉରିଆ, ଦୟାନିଧି ପ୍ରଧାନ ଏବଂ ଆଇଆଇଟି ଡିନ୍ ସ୍ନାତକୋତ୍ତର ପ୍ରୋଗ୍ରାମ ପ୍ରଫେସର ଶାନ୍ତନୁ ପାଲ୍, ଏଏଚଆରସି ପ୍ରଫେସର ଅଶ୍ୱିନୀ ନନ୍ଦ ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ଆଶିଷ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।