NEET-UG 2022: ଦୁଇ ଦିନ ପୂର୍ବେ ସାରା ଦେଶରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଆୟୋଜନ କରାଯାଇଛି। ପରୀକ୍ଷା ଦେବା ପାଇଁ ଅନେକ ନୀତି ଏବଂ ନିୟମ ସ୍ଥିର କରାଯାଇଥିଲା। କିନ୍ତୁ ଅନେକ ସ୍ଥାନରେ ନିୟମ ପାଳନ ନାମରେ ଅସଦାଚରଣ ଏବଂ ଅବାଧ୍ୟତା କରାଯାଇଛି। କେରଳର କୋଲାମ ଜିଲ୍ଲାରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ କୁହାଯାଇଥିବା ଅଭିଯୋଗ ଆସିଛି। ତେବେ କିଛି ଅଭିଭାବକଙ୍କ ଥାନାରେ ଏତଲା ଦେବା ପରେ ମାମଲା ସାମନାକୁ ଆସିଛି। ଅନ୍ୟପଟେ କପି କରୁଥିବା ଅଭିଯୋଗରେ ୮ ଜଣ ଛାତ୍ରଙ୍କୁ ସିବିଆଇ ଗିରଫ କରିଛି। 


COMMERCIAL BREAK
SCROLL TO CONTINUE READING

କେରଳର କୋଲାମ ଜିଲ୍ଲାର ମାର୍ଟୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜିରେ NEET-UG 2022ର ମହିଳା ପରୀକ୍ଷାର୍ଥୀଙ୍କର ଅନ୍ତବସ୍ତ୍ର ଖୋଲିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ମେଟାଲ ଡିଟେକ୍ଟରରେ ଅନ୍ତବସ୍ତ୍ରରେ ଲାଗିଥିବା ଧାତବ ହୁକ୍ ଜଣା ପଡିବା ପରେ ସେମାନଙ୍କୁ ତାହା ଖୋଲିବାକୁ କୁହାଯାଇଥିଲା। ଜଣେ ଛାତ୍ରୀ ଏବଂ ତାଙ୍କ ପିତା ଏହି ମାମଲାରେ FIR ଦାଖଲ କରିବା ପରେ ଏହି ସମଗ୍ର ଘଟଣା ସାମନାକୁ ଆସିଥିଲା। ଛାତ୍ରୀ ଜଣକ କହିଛନ୍ତି ଯେ, ଯେତେବେଳେ ସେ ଅନ୍ତବସ୍ତ୍ର ଖୋଲିବାକୁ ମନା କରିଦେଇଥିଲେ, ସେତେବେଳେ ସେଠାରେ ଯାଞ୍ଚ ପାଇଁ ନିୟୋଜିତ ମହିଳା କର୍ମଚାରୀ ତାଙ୍କୁ ପରୀକ୍ଷାରେ ବସିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଏହା ବ୍ୟତୀତ ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ କି ଅନ୍ତବସ୍ତ୍ର ବୋଲି ମହିଳା କର୍ମଚାରୀ ଜଣକ କହିଥିବା ଛାତ୍ରୀ ପ୍ରକାଶ କରିଛନ୍ତି। 


Also Read: ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି; ଶସ୍ତା ହେଲା ଖାଇବା ତେଲ, ଜାଣନ୍ତୁ କେଉଁ କମ୍ପାନୀର କେତେ କମିଲା


ତେବେ ଏହା କେବଳ ଅଭିଯୋଗ କରିଥିବା ଜଣେ ଛାତ୍ରୀଙ୍କ ସହ ହୋଇ ନାହିଁ, ବରଂ ସେହି କେନ୍ଦ୍ରରେ ପରୀକ୍ଷା ଦେଇଥିବା ଶତାଧିକ ଛାତ୍ରୀ ସହ ସମାନ ଘଟଣା ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅନ୍ୟ ଜଣେ ଛାତ୍ରୀଙ୍କୁ ଧାତବ ବଟନ୍ ଏବଂ ପକେଟ୍ ଥିବାରୁ ଜିନ୍ସ ବାହାର କରିବାକୁ କୁହାଯାଇଥିଲା। କାରଣ ତାହା ମେଟାଲ ଡିଟେକ୍ଟରରେ ବିପ୍ ହୋଇଥିଲା। ଛାତ୍ରୀମାନେ କହିଛନ୍ତି ଯେ, ସେମାନେ ପରୀକ୍ଷା ଦେଇ ବାହାରକୁ ଆସିଲା ବେଳେ ସମସ୍ତ ଅନ୍ତବସ୍ତ୍ର ଗୋଟିଏ ବାକ୍ସରେ ପଡିଥିଲା। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରାୟ ୯୦% ଛାତ୍ରୀଙ୍କୁ ସେମାନଙ୍କ ଅନ୍ତ୍ରବସ୍ତ୍ର ଖୋଲିବାକୁ ପଡିଥିଲା।


ଅନ୍ୟପକ୍ଷରେ, ଅନୁଷ୍ଠାନ ଏଭଳି ଘଟଣାକୁ ଅସ୍ୱୀକାର କରିଛି। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ କୋଲାମ ପୋଲିସ ମୁଖ୍ୟ କେ.ବି ରବି ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ସେ କହିଛନ୍ତି ଯେ, ଜଣେ ବାପା ଏଫଆଇଆରରେ ସୂଚନା ଦେଇଛନ୍ତି ଯେ, ତାଙ୍କ ଝିଅ ଅନ୍ତବସ୍ତ୍ରରେ ପରିପୂର୍ଣ୍ଣ ଏକ କୋଠରୀ ଦେଖିଥିଲେ। ଅନେକ ଝିଅ ମାନସିକ ନିର୍ଯ୍ୟାତନା ଅନୁଭବ କରି ପରୀକ୍ଷା କେନ୍ଦ୍ରରେ କାନ୍ଦୁଥିଲେ ବୋଲି ପୀଡିତା କହିଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କୋଲାମ ପୋଲିସ ପଚରାଉଚୁରା କରୁଛି।


Also Read: କଣ୍ଟେଣ୍ଟ ବ୍ୟବହାର କଲେ ପ୍ରକାଶକଙ୍କୁ ସେୟାର ଦେବେ ଟେକ୍ କମ୍ପାନୀ


ପରୀକ୍ଷା ପ୍ରୋଟୋକଲ୍ ଅନୁଯାୟୀ, ପରୀକ୍ଷା କେନ୍ଦ୍ରରେ କୌଣସି ଧାତୁ କିମ୍ବା ବସ୍ତୁ ସାମଗ୍ରୀ ପିନ୍ଧିବାକୁ ଅନୁମତି ନାହିଁ। କିନ୍ତୁ ଦିଆଯାଇଥିବା ଗାଇଡଲାଇନରେ ବେଲ୍ଟ ବିଷୟରେ ଉଲ୍ଲେଖ କରାଯାଇଛି କିନ୍ତୁ ମହିଳାଙ୍କ ଅନ୍ତବସ୍ତ୍ରବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ କହିଛନ୍ତି ଯେ, ପରୀକ୍ଷା କୌଣସି ସରକାରୀ ଏଜେନ୍ସି ଦ୍ୱାରା କରାଯାଇ ନାହିଁ, ଯାହା ଘଟିଛି ତାହା ଏକ ଗୁରୁତର ଭୁଲ। ଏଭଳି ଘଟଣାକୁ ଆଦୌବରଦାସ୍ତ କରାଯିବ ନାହିଁ ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ଅଭିଯୋଗ କରାଯିବ। ତେବେ ଏହା ପ୍ରଥମ ଥର ନୁହଁ, ୨୦୧୭ ନିଟ୍ ପରୀକ୍ଷାରେ ବି ସମାନ ଘଟଣା ଘଟିଥିଲା।


ଅନ୍ୟପଟେ  NEET-UG 2022ରେ ମାଲପ୍ରାକ୍ଟିସ ରାକେଟର ପରଦ୍ଦାଫାସ ହୋଇଛି। କପି କରୁଥିବା ଅଭିଯୋଗରେ ୮ ଜଣ ଯୁବକଙ୍କୁ ସିବିଆଇ ଗିରଫ କରିଛି। ଗିରଫ ଅଧିକାଂଶ ଅଭିଯୁକ୍ତଙ୍କ ଘର ଦିଲ୍ଲୀରେ ହୋଇଥିବା ସୂଚନା ମିଳିଛି। ତେବେ ଏହି ରାକେଟର ମାଷ୍ଟରମାଇଣ୍ଟ ଦକ୍ଷିଣ ଦିଲ୍ଲୀର ଗୌତମ ନଗରରେ ରହୁଥିଲା। ଏମାନେ ଦିଲ୍ଲୀ ଓ ହରିୟାଣାରେ ମାଲପ୍ରାକ୍ଟିସ ରାକେଟ ଚଲାଉଥିବା ସିବିଆଇର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତ ରବିବାର NEET-UG 2022 ଆୟୋଜିତ ହୋଇଥିଲା। ପ୍ରାୟ ୧୮ ଲକ୍ଷ ଆଶାୟୀ ପରୀକ୍ଷା ଦେଇଥିଲେ।