Mutton Or Chicken: ଯେଉଁମାନେ ଆମିଷ ଭୋଜନ କରନ୍ତି, ସେମାନଙ୍କ ପାଇଁ ମାଂସ ଏକ ପ୍ରଧାନ ଖାଦ୍ୟ ହୋଇଥାଏ। ସାଧାରଣତଃ ଲୋକ ମାନେ କୁକୁଡା ମାଂସ ଓ ମଟନ ବା ଖାସି ମାଂସ ଖାଇଥାଆନ୍ତି। କୁକୁଡା ମାଂସ ଅପେକ୍ଷା ଖାସି ମାଂସ ଅଧିକ ଗରିଷ୍ଠ ହୋଇଥାଏ। ଇଂରାଜୀରେ ଚିକେନକୁ ହ୍ୱାଇଟ ମିଟ୍‌ (white Meat) କୁହାଯାଉଥିବା ବେଳେ ଖାସି ମାଂସକୁ ରେଡ ମିଟ୍‌ (Red Meat) କୁହାଯାଇଥାଏ। ତେବେ କେଉଁ ମାଂସ ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ? ଆମ ନିୟମିତ ଡାଏଟରେ କେଉଁ ମାଂସ ଖାଇବା ଉଚିତ୍, ସଭିଙ୍କ ମନରେ ଏହି ପ୍ରଶ୍ନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ହ୍ୱାଇଟ ମିଟ୍‌(white Meat) ଓ ରେଡ୍ ମିଟ୍‌ରେ(Red Meat) ଥିବା ଉପାଦାନ ଗୁଡିକ ବିଷୟରେ।


COMMERCIAL BREAK
SCROLL TO CONTINUE READING

. ଆଇରନ ବା ଲୌହ ଉପାଦାନ


ଧଳା ମାଂସ କିମ୍ବା ହ୍ୱାଇଟ ମିଟ୍‌ରେ(white Meat) ଲାଲ ମାଂସ ଅପେକ୍ଷା କମ ଲୌହ ଅଂଶ ରହିଥାଏ। ୧୦୦ ଗ୍ରାମ ହ୍ୱାଇଟ ମିଟ୍‌ରେ ୧.୩  ମିଲି ଗ୍ରାମ ଲୌହ ଉପାଦାନ ରହିଥାଏ। ସେହିପରି ରେଡ୍‌ ମିଟ୍‌ରେ(Red Meat) ପର୍ଯ୍ୟାପ୍ତ ପରିମାଣର ଆଇରନ(iron) ରହିଥାଏ। ୧୦୦ ଗ୍ରାମ ରେଡ୍‌ ମିଟ୍‌ରେ ୨.୭ ମିଲି ଗ୍ରାମ ଆଇରନ ରହିଥିବାର ଜଣାପଡିଛି। ଏହାଛଡା ରେଡ୍‌ ମିଟ୍‌ରେ ମାୟୋଗ୍ଲୋବିନ(Myoglobin) ନାମକ ଏକ ଲାଲ୍‌ ଉପାଦାନ ରହିଥାଏ। ଏଥି ଯୋଗୁଁ ଖାସି ମାଂସରେ ଆଇରନର(iron) ପରିମାଣ ଅଧିକ ଅଟେ।


. ଫ୍ୟାଟ୍


ରେଡ୍‌ ମିଟ୍ ତୁଳନାରେ ହ୍ୱାଇଟ ମିଟ୍‌ରେ(white Meat) ଫ୍ୟାଟର ପରିମାଣ କମ୍ ରହିଥାଏ। ପ୍ରତି ୧୦୦ ଗ୍ରାମର ଖାସି କିମ୍ବା ଛେଳି ମାଂସରେ ୨୦ ଗ୍ରାମ ଫ୍ୟାଟ୍ ରହିଥାଏ। ହ୍ୱାଇଟ ମିଟ୍‌ରେ ପ୍ରତି ୧୦୦ ଗ୍ରାମ ମାଂସରେ ୧୪ ଗ୍ରାମ ପ୍ୟାଟ୍(Fat) ଅଂଶ ରହିଥାଏ। ତେଣୁ ପତଳା ହେବାକୁ ଚାହୁଁଥିବା ଲୋକ ମାନେ ରେଡ୍‌ ମିଟ ଅପେକ୍ଷା ହ୍ୱାଇଟ ମିଟ୍‌କୁ(white Meat) ନିଜ ଡାଏଟରେ ସାମିଲ କରିପାରିବେ। ଏହାଛଡା ହ୍ୱାଇଟ ମିଟ୍‌ରେ(white Meat) ଓମେଗା ଫ୍ୟାଟି ଏସିଡ଼(Omega fatty acid) ପ୍ରଚୁର ପରିମାଣରେ ଥାଏ।


. ପ୍ରୋଟିନ୍


ଉଭୟ ହ୍ୱାଇଟ ମିଟ୍‌(white Meat) ଓ ରେଡ଼ ମିଟ୍‌ରେ ପ୍ରୋଟିନର(Protin) ପରିମାଣ ପ୍ରାୟତଃ ସମାନ ରହିଥାଏ। ୧୦୦ ଗ୍ରାମ ମାଂସରେ ୨୫ରୁ ୩୦ ଗ୍ରାମ ପର୍ଯ୍ୟନ୍ତ ଭରପୂର ପ୍ରୋଟିନ୍(Protin) ରହିଥାଏ।



. ଭିଟାମିନ୍


ଉଭୟ କିସମର ମାଂସରେ ଭିଟାମିନ୍(vitamin) B2, B3, B5 ଓ B6 ପ୍ରଚୁର ପରିମାଣରେ ରହିଥାଏ। ଏହିସବୁ ଉପାଦାନ ଗୁଡିକ ମଣିଷ ଶରୀରର ଦୈନ ଦିନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ରେଡ୍‌ ମିଟ୍‌ରେ ଭିଟାମିନ୍(vitamin) B12 ପ୍ରଚୁର ପରିମାଣରେ ଥାଏ। ଏହା ରକ୍ତକୋଷିକା (Blood Cell) ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।


. ହୃତପିଣ୍ଡ ଉପରେ ପ୍ରଭାବ


ବିଭିନ୍ନ ଗବେଷଣା ଅନୁଯାୟୀ, ରେଡ୍‌ ମିଟ୍‌ ଓ ହୃଦରୋଗ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ମାଂସରେ ଥିବା ଫ୍ୟାଟର ପରିମାଣ ହୃଦରୋଗର କାରଣ ହୋଇପାରେ। ଅପର ପକ୍ଷେ ହ୍ୱାଇଟ ମିଟ୍‌ରେ ସେଲେନିୟମ(Selenium) ରହିଥିବା ବେଳେ ରେଡ୍‌ ମିଟ୍‌ରେ ଜିଙ୍କର ପରିମାଣ ଅଧିକ ଥାଏ। ଏହାଛଡା ଉଭୟ ମାଂସରେ ଫସଫରସ ଓ କ୍ୟାଲସିୟମ(calcium) ପ୍ରଚୁର ପରିମାଣରେ ଥାଏ।


ଅତ୍ୟଧିକ ମାଂସ ଖାଇଲେ କାମ କରେନି ମେଡିସିନ


  • ଉଭୟ ହ୍ୱାଇଟ ମିଟ୍‌ ଓ ରେଡ ମିଟ୍‌ରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ। ଅଧିକ ପ୍ରୋଟିନ୍ ପାଇବା ଆଶାରେ ଲୋକେ ଅଧିକ ମାଂସ ଖାଇ ଥାଆନ୍ତି। ଏହା ସେମାନଙ୍କ ପାଇଁ ବିପଦର କାରଣ ହୋଇପାରେ। ପଶୁଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ବ୍ୟକ୍ତି ସେବନ କରୁଥିବା ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ବିଶେଷ କରି ଛେଳି, କୁକୁଡାରେ ଥିବା ବ୍ୟାକ୍ଟେରିଆ ମନୁଷ୍ୟ ସେବନ କରୁଥିବା ଆଣ୍ଟିବାୟୋଟିକ୍ ଔଷଧର କ୍ଷମତାକୁ ଦୁର୍ବଳ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

  • ଖାସି ମାଂସ କିମ୍ବା ଚିକେନ ଖାଉଥିବା ବ୍ୟକ୍ତିଙ୍କ ଦେହକୁ ଯାଉଥିବା ବ୍ୟାକ୍ଟେରିଆ ଗୁଡି଼କ ଆଣ୍ଟିବାୟୋଟିକ୍ ପ୍ରତି ପ୍ରତିରୋଧକ ହୋଇଥାଏ। ଏହା ଆମିଷ ଖାଉଥିବା ବ୍ୟକ୍ତିଙ୍କ ଔଷଧକୁ ପ୍ରଭାବହୀନ କରିଥାଏ। ମାଂସ ଖାଉଥିବା ବ୍ୟକ୍ତିଙ୍କ ପାକସ୍ଥଳୀରେ ଏହି ବ୍ୟାକ୍ଟେରିଆ ଗୁଡି଼କ ଖରାପ ପ୍ରଭାବ ପକାଇ ଥାଏ। କୌଣସି ପ୍ରକାରର ରୋଗ ହୋଇଥିଲେ କିମ୍ବା ଔଷଧ ସେବନ କରୁଥିଲେ ଭୁଲରେ କେବେ ମଧ୍ୟ ‌ଆମିଷ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଔଷଧର ପ୍ରଭାବ କମି ଯାଇଥାଏ। ଏହା ରୋଗକୁ ଅଧିକ ବଢାଇ ଦେଇଥାଏ।

  • ଡାକ୍ତରଙ୍କ କହିବା ଅନୁଯାୟୀ, ଯେଉଁମାନେ ଅଧିକ ମାଂସ ଖାଉଛନ୍ତି, ସେମାନଙ୍କଠାରେ ଅଷ୍ଟିଓପୋରୋସିସ୍ ଓ ହାଡ଼ ଭଙ୍ଗା ହେବାର ସମ୍ଭାବନା ଅଧିକ ଥାଏ । ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆମ ହାଡର ସ୍ୱାସ୍ଥ୍ୟ ଓ କ୍ୟାଲସିୟମ୍ ଅବଶୋଷଣ ଉପରେ ପ୍ରଭାବ ପକାଇପାରେ। ହାଡର ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ମାଂସରୁ ମିଳୁଥିବା ଅତ୍ୟଧିକ ପ୍ରୋଟିନ୍, ବିଶେଷତଃ ରେଡ୍‌ ମିଟ୍‌ ପ୍ରକୃତରେ ଆପଣଙ୍କର ହାଡକୁ ନଷ୍ଟ କରିପାରେ ।

  • ସୁସ୍ଥ ହାଡ଼ ପାଇଁ ପ୍ରୋଟିନ୍ ନିହାତି ଜରୁରୀ, କିନ୍ତୁ ଯଦି ଏହାର ପରିମାଣ ଅଧିକ ହେଲେ ଏହା ନକାରାତ୍ମକ ପ୍ରଭାବ ପକାଇପାରେ । ପ୍ରୋଟିନ୍ ଗ୍ରହଣ ପାଇଁ କେବଳ ରେଡ୍‌ ମିଟ ଉପରେ ନିର୍ଭର କରିବା ଉଚିତ୍ ନୁହେଁ। ଏହା ବଦଳରେ ଖାଦ୍ୟରେ ଦୁଗ୍ଧଜାତ ଦ୍ରବ୍ୟ, ମାଛ ଓ ଉଦ୍ଭିଦ ଭିତ୍ତିକ ପ୍ରୋଟିନ୍ ଉତ୍ସ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ। ମୁଖ୍ୟତଃ ପ୍ରୋଟିନ୍ ପାଇଁ ନିୟମିତ ଡାଏଟରେ ପ୍ରଚୁର ଫଳ, ପନିପରିବା ଓ ଶସ୍ୟଯୁକ୍ତ ଖାଦ୍ୟ ଖାଇବା ଉଚିତ।

  • ବିଶେଷଜ୍ଞଙ୍କ ଅନୁଯାୟୀ, ମାଂସରେ ଫସଫରସ ଓ କ୍ୟାଲସିୟମର ଅନୁପାତ ଅଧିକ, ଯାହା କ୍ୟାଲସିୟମ୍ ନିର୍ଗମନ ଓ ହାଡର ଡିମିନେରାଇଜେସନ୍ ବଢ଼ାଇଥାଏ । ସୂଚନା ମୁତାବକ ରେଡ ମିଟ୍‌ ଖାଇବା ଦ୍ୱାରା ରକ୍ତରେ ଏସିଡର ପରିମାଣ ବୃଦ୍ଧି ହୋଇପାରେ, ଯାହା ହାଡରେ ଥିବା କ୍ୟାଲସିୟମର ସ୍ତରକୁ କମାଇଥାଏ।  ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନର ଏକ ଅଧ୍ୟୟନରେ କୁହାଯାଇଛି ଯେ ସଠିକ୍ ପରିମାଣର କ୍ୟାଲସିୟମ୍ ଖାଇବେ ଓ ପ୍ରୋଟିନ୍ ଶରୀରର ହାଡ଼ର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।

  • ଆସ ଶରୀର ପାଇଁ ଉଦ୍ଭିଦ ଜାତୀୟ ଖାଦ୍ୟର ବୃଦ୍ଧି ଓ ପଶୁ ଜାତୀୟ ଖାଦ୍ୟର ବ୍ୟବହାର ହ୍ରାସ କରିବା ଦ୍ୱାରା ଦ୍ୱାରା ହୃଦଘାତ, ଟାଇପ୍-୨ ଡାଇବେଟିସ ଓ ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା କମିଯାଇଥାଏ। ସୁସ୍ଥ ହାଡର ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍ ଡି଼ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଉଭୟ ଉଦ୍ଭିଦ ଓ ପଶୁ ମାନଙ୍କଠାରୁ ଆସୁଥିବା ପ୍ରୋଟିନ୍ ଅଲଗା ଅଲଗା ଆମିନୋ ଏସିଡ଼ ନିର୍ମାଣ କରିଥାଏ। ଏମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ।

  • ଏହାଛଡା ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ ଅତ୍ୟଧିକ ରେଡ ମିଟ୍‌ ଖାଇବା ଦ୍ୱାରା ମଧୁମେହ, ହୃଦରୋଗ ଓ କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ବଢିଥାଏ। ଏମିତିରେ ଦୈନିକ ଖାଦ୍ୟରେ ପରିବର୍ତ୍ତନ କରିବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍।


ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)