ବ୍ରହ୍ମପୁର: ଆଜି ବିଶ୍ଵ ପାଳୁଛି ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ। ଏହି ଅବସରରେ ବ୍ରହ୍ମପୁରର ଅଗ୍ରଣୀ ଅନୁଷ୍ଠାନ 'ଆଞ୍ଚଳିକ ବିକାଶ ପରିଷଦ' ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ଲୋପ ପାଇବାକୁ ବସିଥିବା ଶାଗୁଣାଙ୍କ ସୁରକ୍ଷା ପାଇଁ ଦାବି କରାଯାଇଛି। ଏନେଇ ଓଡ଼ିଶା ବନ୍ୟ ପ୍ରାଣୀ ଓ ବନ ସଂରକ୍ଷକ ତଥା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ରଙ୍କ ଜରିଆରେ ଏକ ଦାବି ପ୍ରଦାନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

Vulture Awareness Day 2022, ଆଞ୍ଚଳିକ ବିକାଶ ପରିଷଦ ଦାବି ଅନୁଯାୟୀ, ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଗୋଳନ୍ଥରାର ତୋତଡାପଲ୍ଲୀ ଗ୍ରାମ ପାଖ ପଡିଆରେ ଖାଦ୍ୟ ଅନ୍ୱେଷଣରେ ପ୍ରାୟ କୋଡିଏଟି ବିଲୁପ୍ତ ଇଜିପ୍ଟିଆନ ଶାଗୁଣା ଆସନ୍ତି। ସେହି ସମସ୍ତ ଶାଗୁଣା ନିକଟସ୍ଥ ପର୍ବତରେ ବାସ କରୁଛନ୍ତି। ସଂଗଠନର ଅନୁସନ୍ଧାନ ମୁତାବକ ଶାଗୁଣା ବଂଶ କ୍ରମଶଃ ବୃଦ୍ଧି ଘଟି ସେମାନଙ୍କ ମଧ୍ୟରୁ ୮ ଗୋଟି ଛୁଆ ଓ ୧୨ ଗୋଟି ବୟସ୍କ ଅଛନ୍ତି। ଏହି ପ୍ରଜାତିର ଶାଗୁଣା ୨୦୧୩ ମସିହାରେ ପ୍ରଥମେ ଚିକିଟି ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲେ। ପୁଣି ୨୦୧୬ ମସିହାରେ ତତୋଡ଼ାପଲ୍ଲୀ ଠାରେ ଦଶଟି ଶାଗୁଣା ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ଦଶରୁ ବୃଦ୍ଧି ପାଇ ପ୍ରାୟ କୋଡିଏରେ ପହଞ୍ଚିଛି, ଯାହାକି ପରିବେଶ ଓ ପ୍ରକୃତି ପାଇଁ ଶୁଭଙ୍କରର ବିଷୟ ପାଲଟିଛି। 


Also Read: Odisha Weather Update: ବନ୍ୟା ପରେ ମାଡ଼ି ଆସୁଛି ବାତ୍ୟା! ସୋମବାରଠୁ ରାଜ୍ୟରେ ପ୍ରବଳ ବର୍ଷା


ଜନବସତି ହେତୁ ଖାଦ୍ୟ ଅନ୍ୱେଷଣରେ ଆସିବା ସମୟରେ ଶିକାରୀ, ବିଷାକ୍ତ ଖାଦ୍ୟ ଓ ବିଦ୍ୟୁତ ଆଘାତରେ ଅନେକ ଶାଗୁଣା ମୃତ୍ୟୁ ମୁଖରେ ପଡୁଛନ୍ତି। ସେମାନଙ୍କ ସୁରକ୍ଷା ଅନିର୍ବାର୍ଯ୍ୟ ହୋଇପଡିଛି। ଆନ୍ତର୍ଜାତୀୟ ବାର୍ଡ଼ ଲାଇଫ ଡାଟା ଜୋନର ବିଶ୍ବ ପରିସଂଖ୍ୟାନ ଅନୁଯାୟୀ, ସାରା ବିଶ୍ବରେ ୯୦୦୦ ପ୍ରାପ୍ତ ବୟସ୍କ ଇଜିପ୍ଟିଆନ ଶାଗୁଣା ଜୀବିତ ଅଛନ୍ତି। ପଶୁ ସମ୍ପଦର କଷ୍ଟ ଲାଘବ ନିମନ୍ତେ ଲୋକେ ଅଜ୍ଞାତ ବଶତଃ ବେଆଇନ ଡ଼ାଇକ୍ଲୋଫେନାକ ଟୀକା ଦେଉଛନ୍ତି ଓ ଚରା ଜୀବଜନ୍ତୁଙ୍କ ମୃତ୍ୟୁ ପରେ ଶବରେ ଉକ୍ତ ଟୀକାର ବିଷକ୍ରିୟା ବଳବତ୍ତର ରହୁଥିବା ସେହି ଶବକୁ ଶାଗୁଣା ଖାଇବା ଦ୍ବାରା ଡାଇକ୍ଲୋଫେନାକର ପ୍ରଭାବରେ କିଛି ଦିନରେ ସେମାନଙ୍କ ବୃକକ ସଂଚାଳନ ଉପରେ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି। ଯଦ୍ୱାରା ସେମାନେ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଆଞ୍ଚଳିକ ବିକାଶ ପରିଷଦ ଅଭିଯୋଗ କରିଛି। 


ସୂଚନାଯୋଗ୍ୟ, ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ଶନିବାରକୁ International Vulture Awareness Day ଭାବେ ପାଳନ କରାଯାଏ। ୨୦୦୯ ମସିହା ଠାରୁ ଶାଗୁଣାଙ୍କ ସୁରକ୍ଷା ନିମନ୍ତେ ଏହି ସଚେତନା ଦିବସ ପାଳନ ହେଉଛି। କ୍ଲାଇମେଟ ଚ୍ୟାଞ୍ଜ ଓ ମଣିଷର ହସ୍ତକ୍ଷେପ ଯୋଗୁଁ ବିଶ୍ୱରେ ଲଗାତର ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଉ ସେମାନଙ୍କ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ କିଛି ଚିଡିଆଖାନା ଓ ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ୟାନଙ୍କ ଭୂମିକା ଅତୁଳନୀୟ। କିନ୍ତୁ ଏ କ୍ଷେତ୍ରରେ ସାଧାରଣ ଜନତା ଏବଂ ସରକାର ମଧ୍ୟ ଏକତ୍ରୀତ ହେବା ଉଚିତ। କାରଣ ପରିବେଶ ସନ୍ତୁଳନରେ ମଣିଷର ଯେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେତିକି ଶାଗୁଣାର ମଧ୍ୟ ରହିଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି।