ଚେନ୍ନାଇ: ତାମିଲନାଡୁରୁ ଥାଞ୍ଜାଭୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ଜିଲ୍ଲାର କାଲିମେଣ୍ଡୁ ସହରରେ ଆୟୋଜିତ ରଥଯାତ୍ରାରେ ୧୧ ଜଣଙ୍କ ଜୀବନ ଯାଇଛି। ଅନ୍ୟ ୧୫ ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା କୁହାଯାଉଛି। ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୋକ ବ୍ୟକ୍ତ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଥାଞ୍ଜାଭୁର (Thanjavur  ଜିଲ୍ଲାର କାଲିମେଣ୍ଡୁ ସହରରେ ଏକ ମନ୍ଦିର ମହୋତ୍ସବରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଭକ୍ତମାନେ ଟାଣି ନେଉଥିବା ରଥ (chariot festival) ସହିତ ଏକ ବିଦ୍ୟୁତ ତାର ଲାଗିଯାଇଥିଲା। ଫଳରେ ରଥ ଜଳି ଯାଇଥିଲା ଓ ଦୁଇ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin)  ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହିତ ୧୧ ପୀଡିତଙ୍କ ପରିବାର ପାଇଁ ତୁରନ୍ତ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ତାମିଲନାଡୁର ଥାଞ୍ଜାଭୁରରେ ଘଟିଥିବା ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ହଜାର ଟଙ୍କା ଦିଆଯିବ।


Also Read: Russia Ukraine War : ଟଳିନି ତୃତୀୟ ବିଶ୍ୱଯୁଦ୍ଧ ବିପଦ, ପୁଟିନ ଦେଲେ ଶାନ୍ତି ସଙ୍କେତ


ମିଳିଥିବା ସୂଚନାନୁସାରେ, ଏପ୍ରିଲ୍ ୨୬ରେ ମଙ୍ଗଳବାର ରାତିରେ ୯୪ତମ ଆପର ଗୁରୁପୁଜାଇ (ପ୍ରଭୁ ଆୟାପାଙ୍କ ପାଇଁ ପର୍ବ) ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଅଞ୍ଚଳର ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଏଥିରେ ଅଂଶଗ୍ରହଣ କରୁଥିବା ଭକ୍ତମାନେ ମନ୍ଦିର ରଥକୁ ରାସ୍ତାରେ ଟାଣି ନେଉଥିବା ବେଳେ ରଥରେ ଏକ ବିଦ୍ୟୁତ ତାର ଲାଗିଥିଲା। ଏହାଦ୍ୱାରା ଦୁଇ ପିଲାଙ୍କ ସମେତ ଦଶ ଜଣଙ୍କର ତତକ୍ଷଣାତ୍ ବିଦ୍ୟୁତ୍ ସଂସ୍ପର୍ଶ ( electrocution incident) ରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଥାଞ୍ଜାଭୁର ମେଡିକାଲ କଲେଜ ହସ୍ପିଟାଲରେ ଅନ୍ୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ କେତେଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। 


 



ଜଣେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ପରିସ୍ଥିତି ଅଧିକ ବିପଜ୍ଜନକ ଥିଲା ଏବଂ ଏହି ଘଟଣାରେ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା। କାରଣ ଦୁର୍ଘଟଣାସ୍ଥଳର ଚାରିଆଡେ ପାଣି ଥିଲା। ଟ୍ରିଚି ଜୋନ୍ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଡିଜି) ବାଲାକ୍ରିଷ୍ଣନ୍ କହିଛନ୍ତି ଯେ, ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ ତାର ରାସ୍ତା ପାର୍ଶ୍ୱରେ ଥିବାବେଳେ ଇବି ଅଧିକାରୀମାନେ ଲୋ ଟେନ୍ସନ୍ ତାରକୁ ବନ୍ଦ କରିଦେଇଛନ୍ତି। ଏହା ଏକ ବାର୍ଷିକ ପର୍ବ ଏବଂ ରଥ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହାର ତଦନ୍ତ କରୁଛୁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏଫ୍ଆଇଆର୍ ଦାଖଲ କରାଯାଇଛି ବୋଲି ଡିଜି କହିଛନ୍ତି।


Also Read: ପ୍ରତିବର୍ଷ ଆତଙ୍କୀ ନିର୍ମାଣରେ ଲାଗିଛି ୪୦ ହଜାର ପାକିସ୍ତାନୀ ମଦ୍ରାସା: ରିପୋର୍ଟ


ସେପଟେ ବୁଧବାର ତାମିଲନାଡୁ ବିଧାନସଭାରେ ଥାଞ୍ଜାଭୁର ରଥ ଦୁର୍ଘଟଣାକୁ ନେଇ ଶୋକ ବ୍ୟକ୍ତ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭରେ ମୃତକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି। ପୀଡିତ ପରିବାରକୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିଜେ ଥାଞ୍ଜାଭୁର ଗସ୍ତ କରିବେ ବୋଲି କହିଛନ୍ତି।