Mazar-e-Sharif Bomb Blast: ବୋମା ବିସ୍ଫୋରଣରେ କମ୍ପି ଉଠିଛି ଆଫଗାନିସ୍ତାନର ମଜାର-ଇ-ସରିଫ ସହର। ଏହି ବୋମା ବିସ୍ଫୋରଣରେ ତାଲିବାନ ଗଭର୍ଣ୍ଣରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ବୋମା ବିସ୍ଫୋରଣରେ ୩ ଜଣ ଲୋକଙ୍କ ମୃତ୍ୟ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ତାଲିବାନ ପୋଲିସ ମୁଖପାତ୍ର। ଏନେଇ ମିଳିଥିବା ଖବର ଅନୁଯାୟୀ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରେ ଏହି ବୋମା ବିସ୍ଫୋରଣ ହୋଇଛି।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ତାଲିବାନ ପୋଲିସ ମୁଖପାତ୍ର ମହମ୍ମଦ ଆସିଫ ୱାଜିରିଙ୍କ କହିବା ଅନୁସାରେ, ମଜାର-ଇ-ସରିଫ ସହରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ ହେବା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଜ୍ୟପାଳ ମହମ୍ମଦ ଦାଉଦ ମୁଜମଲ ନୂରଜାଇ ଏବଂ ଅନ୍ୟ ୨ ଜଣ ଲୋକ ଅଛନ୍ତି। ଏହି ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି।


ଗତ ୨୦୨୧ ଅଗଷ୍ଟରେ ତାଲିବାନ ଦଖଲକୁ ଚାଲିଯାଇଥିଲା ଆଫଗାନିସ୍ତାନ। ସେବେଠାରୁ ଆଫଗାନିସ୍ତାନ ମାଟିରେ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦ୍ୱାରା ଲଗାତାର ହମଲା ଜାରି ରହିଛି। ଏହି ଆତଙ୍କବାଦୀ ସଙ୍ଗଠନ କ୍ରମାଗତ ଭାବରେ ସୁରକ୍ଷା ବାହିନୀ ଏବଂ ସଂଖ୍ୟାଲଘୁ ଶିଆ ମୁସଲିମଙ୍କୁ ଟାର୍ଗେଟ କରିଆସୁଛି। ପୂର୍ବରୁ ଆଫଗାନରେ କ୍ଷମତାସୀନ ତାଲିବାନ ସରକାର ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (Islamic State Khorasan Province)  ଆଇଏସକେପି (ISKP) ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତାଲିବାନ ସରକାର ଆଇଏସକେପି ସଙ୍ଗଠନର ଯୁଦ୍ଧମନ୍ତ୍ରୀ ତଥା ସାମରିକ ମୁଖ୍ୟ କାରୀ ଫତେହଙ୍କୁ ହତ୍ୟା କରିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା କାରୀ ଫତେହଙ୍କୁ ୨୦୨୨ ମେ ମାସରେ ଆଇଏସକେପି ଗୋଷ୍ଠୀର ସାମରିକ ମୁଖ୍ୟ ଭାବେ ତାଲିକାଭୁକ୍ତ କରିଥିଲା।


ଆଇଏସକେପି ସଙ୍ଗଠନ ଲାଗି ରଣନୀତି ବନାଉଥିଲେ କାରୀ ଫତେହ। ଯିଏ ନିକଟରେ ରାଜଧାନୀ କାବୁଲ ଠାରେ ଅବସ୍ଥିତ ଋଷିଆ, ପାକିସ୍ଥାନ ଏବଂ ଚୀନ୍ ଦୂତାବାସ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। କାରୀ ତୁଫୈଲ ଫତେହ  ନାଙ୍ଗରହାର ଠାରେ ଆଇଏସକେପି ନିୟନ୍ତ୍ରଣ ସମୟରେ ପୂର୍ବ କ୍ଷେତ୍ରର କମାଣ୍ଡର ରହିଥିଲେ। ନିକଟରେ ଆଇଏସକେପି ଏହାର ରଣନୀତି ବଦଳାଇ କାରୀ ଫତେହଙ୍କୁ ସଙ୍ଗଠନର ଗୁପ୍ତଚର ବିଭାଗ ମୁଖ୍ୟ କରିଥିଲେ।


ଗତ ବର୍ଷ ଅପ୍ରେଲରେ ଉତ୍ତର ଆଫଗାନିସ୍ତାନର ମଜାର-ଇ-ସରିଫ ସହରରେ ଅବସ୍ଥିତ ଏକ ମସଜିଦରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ୫୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ସୂଚନା ମଜାର-ଇ-ସରିଫ ତାଲିବାନ କମାଣ୍ଡର ମୁଖପାତ୍ର ଆସିଫ ୱାଜିରୀ ପ୍ରଦାନ କରିଥିଲେ।