Ayodhya Ram Mandir: ରାମ ଜନ୍ମଭୂମି ଅଯୋଧ୍ୟାରେ (Ram Janmabhoomi) ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଜାନୁଆରି ୧୬ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅର୍ଥାତ୍ ଦୀର୍ଘ ସାତ ଦିନ ଧରି ଉତ୍ସବ ମୁଖର ହେବ ରାମ ନଗରୀ ଅଯୋଧ୍ୟା । ତେବେ ପ୍ରଧାନମନ୍ତ୍ରୀ ମୋଦି ରାମଲାଲଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ସେହିପରି ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ମାତ୍ର ୫ ଜଣ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ସର୍ବପ୍ରଥମେ ଭଗବାନ ରାମଙ୍କୁ ଆଇନା ଦେଖାଯିବ । ଏଥିରେ ପ୍ରଭୁ ନିଜ ମୁଖକୁ ଦେଖିବେ । ଦଳ ପୂଜା ପାଇଁ ଆଚାର୍ଯ୍ୟମାନଙ୍କର ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି । ସେପଟେ ଟ୍ରଷ୍ଟ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ମୁତାବକ ଭଗବାନ ରାମଲାଲଙ୍କୁ ସୁନା ବସ୍ତ୍ର ପିନ୍ଧାଯିବ । ଏହାପର ଛପନ ଭୋଗ ଲଗାଯିବ । ମାତ୍ର ୧ ମିନିଟ୍ ୨୪ ସେକେଣ୍ତ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ଲଗ୍ନ ଥିବାରୁ ବିଶେଷ ପୂଜାବିଧି ପାଳନ କରାଯିବ । ୭ ଦିନ ପର୍ଯ୍ୟନ୍ତ ଏହି ଅଭିଷେକ ସମାରୋହ ଚାଲିବ ।


କେଉଁ ଦିନ ରହିଛି କେଉଁ କାର୍ଯ୍ୟକ୍ରମ


୧୬ରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଯୁକ୍ତ ଯଜମାନ ପ୍ରାୟଶ୍ଚିତ୍ତ ସମାରୋହ ଆୟୋଜନ କରିବେ । ସରଜୁ ନଦୀ ତଟରେ ‘ଦଶବଧ’ ସ୍ନାନ ହେବ । ଅନୁଷ୍ଠାନରେ ବିଷ୍ଣୁ ପୂଜା ଓ ଗୋଦାନ ସାମିଲ ହେବ । ସେହିପରି ୧୭ରେ ଭଗବାନ ରାମଙ୍କ ବାଳ ସ୍ବରୂପ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନିଆଯିବ । ଏଥିରେ ଭକ୍ତ ମଙ୍ଗଳ କଳସରେ ସରଜୁ ନଦୀରୁ ଜଳ ଆଣିବେ । ୧୮ରେ ଗଣେଷ ଅମ୍ବିକ ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ, ବାସ୍ତୁ ପୂଜା ଆଦି ଆୟୋଜିତ ହେବ । ସେହିପରି ୧୯ରେ ଅଗ୍ନି ସ୍ଥାପନା, ନବଗ୍ରହ ସ୍ଥାପନା ଓ ହୋମ ଯଜ୍ଞ କରାଯିବ । ଏହାର ପରଦିନ ରାମ ମନ୍ଦିର ଗର୍ଭଗୃହକୁ ସରଜୁ ନଦୀର ପବିତ୍ର ଜଳ ଦ୍ବାରା ସଫା କରାଯିବ । ଏହାପରେ ବାସ୍ତୁ ଶାନ୍ତି ଓ ଅନ୍ନାଧିବାସ କରାଯିବ । ୨୧ରେ ରାମଲାଲଙ୍କ ବିଗ୍ରହକୁ ୧୨୫ କଳସ ଜଳ ଦ୍ବାରା ଦିବ୍ୟସ୍ନାନ କରାଯିବ । ଏହା ସହ ଶୈୟାଧିବାସ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ । ଶେଷ ଦିନ ଅର୍ଥାତ୍ ୨୨ ତାରିଖ ସକାଳେ ରାମଲାଲଙ୍କ ବିଗ୍ରହ ପୂଜା କରାଯିବା ପରେ ଅପରାହ୍ନରେ ମୃଗଶିରା ନକ୍ଷତ୍ରରେ ରାମଲାଲଙ୍କ ଅଭିଷେକ କରାଯିବ । ପ୍ରଧାନମନ୍ତ୍ରୀଙ୍କ ହାତରେ ଶ୍ରୀରାମଲାଲଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ । ଏହାପରେ ରାମଲାଲ ରାମ ନଗରୀରେ ପଞ୍ଚକୋଷି ପରିକ୍ରମା କରିବେ । ଅନ୍ୟପଟେ ଅଯୋଧ୍ୟାର ମନ୍ଦିରଗୁଡ଼ିକରେ ଦର୍ଶନ-ପୂଜନ କରାଯିବ ।


ପ୍ରକାଶଥାଉ କି, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମ ହେବାକୁ ଥିବାରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପ୍ରାଣ ପ୍ରତିଷ୍ଠା ନେଇ କାଶୀ ବିଶ୍ବନାଥ ଓ ବୈଷ୍ଣୋଦେବୀ ମନ୍ଦିରର ମୁଖ୍ୟମାନଙ୍କ ସମେତ ପ୍ରାୟ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।