Car Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ବୁଝିବା ଆଗରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କିଏ ଜାଣିଥିଲା ଠାକୁରାଣୀଙ୍କ ଦର୍ଶନ ସାରି ଫେରିବା ପରେ ଭଗବାନ ନିଜ ପାଖକୁ ଡାକିନେବେ । ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଛି ବିହାରରେ । ଭୋଜପୁର ଜିଲ୍ଲା ଗଜରାଜଗଞ୍ଜ ଓପି ଅଧୀନ ଆରା-ବକ୍ସର ରାଜପଥରେ ଏହି ଭୟଙ୍କର କାର୍ ଦୁର୍ଘଟଣା ଘଟିଛି। ବିବିଗଞ୍ଜ ଗାଁ ନିକଟରେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।

 

ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ମଧ୍ୟ ବିହାରର ପାଟନା ଜିଲ୍ଲାର ଅଜିମାବାଦ ଥାନା ଅନ୍ତର୍ଗତ କାମରିଆବ ଗ୍ରାମର ବାସିନ୍ଦା, କିନ୍ତୁ କିଛିବର୍ଷ ଧରି ଏହି ପରିବାର ପାଟନା ସହରରେ ରହି ଆସୁଥିଲେ। ଭୋର ପ୍ରାୟ ସାଢ଼େ ୫ଟା ବେଳେ କାର୍ ରେ ୮ ଜଣ ବିନ୍ଧ୍ୟାଚଳସ୍ଥିତ ମା' ଭବାନୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 

ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣ ହେଉଛି ଦ୍ରୁତ ଗତି ଏବଂ ନିଦ ଲାଗିଯିବା । ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର୍ ଟି ରେଲିଂରେ ଧକ୍କା ଖାଇ ଓଲଟି ପଡ଼ିଥିଲା। ମୃତକମାନେ ହେଲେ ଧୂପ୍ ନାରାୟଣ ପାଠକ( ବୟସ ୫୬), ବିପୁଲ ପାଠକ(ବୟସ ୨୬), ଧୂପ ନାରାୟଣଙ୍କ ପତ୍ନୀ ରେଣୁ ଦେବୀ( ବୟସ ୫୫), ଧୂପ ନାରାୟଣଙ୍କ ଝିଅ ଅର୍ପିତା ପାଠକ( ବୟସ ୨୫) ଓ ହର୍ଷ ପାଠକ(ବୟସ ୩)।

 

ଆହତମାନେ ହେଲେ ଗଣେଶପାଠକଙ୍କ ଝିଅ ଖୁସି କୁମାରୀ (ବୟସ ୨୨), ବିପୁଲ ପାଠକଙ୍କ ପତ୍ନୀ ମଧୁ ଦେବୀ (ବୟସ ୨୭) ଓ ବିପୁଲ ପାଠକଙ୍କ ଝିଅ ବେଲା କୁମାରୀ (ବୟସ ୫)। ଏହି ପରିବାର ପାଟନା ସହରର ଅପର୍ଣ୍ଣା ବ୍ୟାଙ୍କ କଲୋନୀରେ ରୁହନ୍ତି। ଧୂପ ନାରାୟଣ ପାଠକ ଓ ତାଙ୍କ ପୁଅ ବିପୁଲ ପାଠକ ପୂଜା ପରିଚାଳନା ପାଇଁ କାମ କରନ୍ତି। ଆଜି ସକାଳେ ସମସ୍ତେ ବିନ୍ଧ୍ୟାଚଳରେ ମା'ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

 

ମୃତକଙ୍କ ପୁତୁରା ଶିବୁ ପାଠକ ଗଣମାଧ୍ୟମକୁ କହିଛନ୍ତି ଯେ ଅଗଷ୍ଟ ୧୯ ରେ ରକ୍ଷାବନ୍ଧନ ଦିନ ଧୁପ ନାରାୟଣ ପରିବାର ସହିତ ଏକ ମହିନ୍ଦ୍ରା (TUV 300) କାର୍ ରେ ଉତ୍ତର ପ୍ରଦେଶ ଯାଇଥିଲେ। ପରିବାରର ଯୋଜନା ଥିଲା ବିନ୍ଧ୍ୟାଚଳରେ ମା'ଙ୍କୁ ଦର୍ଶନ କରି ପୂଜା କରି ଫେରିବା। ଗୁରୁବାର ସକାଳେ ପରିବାର ଲୋକେ ଫେରୁଥିବା ବେଳେ ବିପୁଲ କାର୍ ଚଳାଉଥିବା ବେଳେ ବିବିଗଞ୍ଜ ବ୍ରିଜ୍ ଉପରେ ଭାରସାମ୍ୟ ହରାଇ କାର୍ ଟି ରେଲିଂକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଗଜରାଜଗଞ୍ଜ ଓପି ଥାନା ଅଧିକାରୀ ହରି ପ୍ରସାଦ ଶର୍ମା ଫୋନ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏସଆଇ କହ୍ନେୟା କୁମାର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ କରିଥିଲେ।