କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍!
Coronavirus in India: ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ମାମଲାରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ମାମଲାରେ କମି ଦେଖାଦେଇଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ହଜାର ୨୨୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୯୪୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ମଙ୍ଗଳବାର ୧୯,୬୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୨ ଲକ୍ଷ ୨୭ ହଜାର ୫୨୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୫ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧,୬୩୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭ ରେଟ୍ ୧୬.୭୧ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ ହଜାର ୫୬୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୦ ଲକ୍ଷ ୫୮ ହଜାର ୮୪୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୨୨ ଲକ୍ଷ ୨୪ ହଜାର ୯୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୯୨ ହଜାର ୮୬୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪୧ ହଜାର ୪୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ସେପ୍ଟେମ୍ୱର ୬ ପର୍ଯ୍ୟନ୍ତ ସାରା ଦେଶରେ ୬୯ କୋଟି ୯୦ ଲକ୍ଷ ୬୨ ହଜାର ୭୭୬ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ଲକ୍ଷ ୫୩ ହଜାର ୫୭୧ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୩ କୋଟି ୩୧ ଲକ୍ଷ ୮୯ ହଜାର ୩୪୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ୨୬ ହଜାର ୦୫୬ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୪ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ
ଅଧିକ ପଢ଼ନ୍ତୁ:-ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା
ଅଧିକ ପଢ଼ନ୍ତୁ:-ପଞ୍ଜଶୀରକୁ କବଜା କରିବାର ଘୋଷଣା କଲା ତାଲିବାନ