ପୁଣି ମହଙ୍ଗା ହେଲା ତେଲ, ୧୫୦ ଛୁଇଁବ ପେଟ୍ରୋଲ
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୬୪ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୭.୩୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୪.୪୭ ଟଙ୍କା ଓ ୧୦୫.୪୯ ଟଙ୍କା ରହିଥିବା ବେଳେ କୋଲକାତାରେ ୧୦୯.୦୨ ଟଙ୍କା ଓ ୧୦୦.୪୯ ଟଙ୍କା ରହିଛି।
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଶୁକ୍ରବାର ବି ଲିଟର ପିଛା ୩୫-୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୬୪ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୭.୩୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୪.୪୭ ଟଙ୍କା ଓ ୧୦୫.୪୯ ଟଙ୍କା ରହିଥିବା ବେଳେ କୋଲକାତାରେ ୧୦୯.୦୨ ଟଙ୍କା ଓ ୧୦୦.୪୯ ଟଙ୍କା ରହିଛି।
ଗତ ୨୯ ଦିନ ମଧ୍ୟରୁ ୨୨ ଦିନରେ ତେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭.୬୦ ଟଙ୍କା ମହଙ୍ଗା ହୋଇଛି। ଏପ୍ରିଲ ମାସରୁ ତୈଳ ଦର ବୃଦ୍ଧି ପାଇବାକୁ ଆରମ୍ଭ ହୋଇଥିବା ବେଳେ ଜୁଲାଇରେ ପ୍ରଥମ ଥର ପାଇଁ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଆଉ ବର୍ତ୍ତମାନ ଏହା କେତେକ ସହରରେ ୧୧୫ ଟଙ୍କାରେ ପହଞ୍ଚି ସାରିଲାଣି। ଆଗକୁ ଏହା ୧୫୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
Also Read: ଆଜିର ରାଶିଫଳ: ଶୁଭଙ୍କର ହେବ ଶୁକ୍ରବାର, ଏହି ବ୍ୟକ୍ତିଙ୍କ ପାଇଁ ନିଆଁ, ପାଣି ପ୍ରତି ସତର୍କତା ଜରୁରୀ
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଅସୁବିଧାକୁ ବଢାଇ ଦେଇଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି। ବଜାର ଅଧ୍ୟୟନ ଏବଂ କ୍ରେଡିଟ୍ ରେଟିଂ କମ୍ପାନୀ ଗୋଲ୍ଡମ୍ୟାନ୍ ସାକ୍ସ ଆକଳନ କରିଛନ୍ତି ଯେ, ଆସନ୍ତା ବର୍ଷ ସୁଦ୍ଧା ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିବ। ବ୍ୟାରେଲ୍ର ବର୍ତ୍ତମାନର ସ୍ତର ତୁଳନାରେ ଏହା ୩୦ ପ୍ରତିଶତ ଅଧିକ ଅଛି। ଆକଳନ ଅନୁଯାୟୀ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାରର ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁପାରେ।
୨୦୦୮ ମସିହାରେ ଅଶୋଧିତ ତୈଳ ମୂଲ୍ୟର ଏହି ସ୍ତର ଥିଲା। ଯେତେବେଳେ ବିଶ୍ୱ ଅର୍ଥନୈତିକ ଅବନତିର ସମ୍ମୁଖୀନ ହୋଇଥିଲା ସେତେବେଳଏ ଏହିପରି ପରିସ୍ଥିତି ଆସିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଯଦି ଏହା ଘଟେ ତେବେ ପେଟ୍ରୋଲର ମୂଲ୍ୟ ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ୧୪୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ, ଗୋଲ୍ଡମ୍ୟାନ୍ ସାକ୍ସଙ୍କ ଏହି ଆକଳନ ଆସନ୍ତା ବର୍ଷ ପାଇଁ କରିଛନ୍ତି।