ଇସଲାମାବାଦ: ରାଜନୈତିକ ସଂକଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ରାଜନୀତିକୁ ନେଇ ଆସିଛି ଏକ ବଡ଼ ଖବର। ଦେଶର କାର୍ଯ୍ୟବାହକ କିଏ ହେବ ତାହାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଦ୍ୟ ଗାଦି ଛାଡ଼ିଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରିଛନ୍ତି। ଏହି ନିଯୁକ୍ତି ବାବଦରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାୱାଦ୍ ଚୌଧରୀ ଘୋଷଣା କରିଛନ୍ତି।
  
ପାକିସ୍ତାନ ଗଣମାଧ୍ୟମକୁ ଦେଇଥିବା ଫୱାଦ ଚୌଧରୀ କହିଛନ୍ତି ଯେ ପିଟିଆଇ କୋର କମିଟି ଅନୁମୋଦନ ପରେ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ ଏହି ନିଷ୍ପତ୍ତି ନେଇଛନ୍ତି। ସୋମବାର ବିରୋଧୀ ଦଳ ନେତା ଶାହବାଜ ସରିଫଙ୍କୁ ରାଷ୍ଟ୍ରପତି ଆରିଫ ଅଲଭି ଲେଖିଥିବା ପତ୍ର ପରେ ଗୁଲଜାର ଅହମ୍ମଦଙ୍କ ନାମ ସାମ୍ନାକୁ ଆସିଛି। ଏହି ପତ୍ରରେ ରାଷ୍ଟ୍ରପତି ସମ୍ବିଧାନର ଧାରା 224-A (1) ଅନୁଯାୟୀ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେବାକୁ ଉଭୟ ଶାସକ-ବିରୋଧି ଦଳ ନେତାଙ୍କୁ କହିଥିଲେ।  


COMMERCIAL BREAK
SCROLL TO CONTINUE READING

ପାକିସ୍ତାନ ଜାତୀୟ ସଂସଦର ଉପବାଚସ୍ପତି ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ଦେଶର ସଂସଦକୁ ଭଙ୍ଗ କରିଛନ୍ତି। ଗତ ୨୦୧୯ ଡିସେମ୍ବର ୨୧ ତାରିଖରେ ପାକିସ୍ତାନର ୨୭ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିବା ଗୁଲଜାର ଅହମ୍ମଦ ୧୯୫୭ ମସିହା ୨ ଫେବୃଆରୀରେ କରାଚୀ ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଗୁଲଜାର ଅହମ୍ମଦ କରାଚୀସ୍ଥିତି ଗୁଲିସ୍ତାଁ ସ୍କୁଲ ଠାରେ ଶିକ୍ଷା ଗ୍ରହଣ କରିଥିଲେ। କଳା ଡିଗ୍ରୀ ହାସଲ କରିବା ପରେ ସେ କରାଚିସ୍ଥିତ ଏସଏମ କଲେଜ ଠାରେ ଆଇନ ଅଧ୍ୟୟନ ସମାପ୍ତ କରିଥିଲେ। ପ୍ରଥମେ ଓକିଲାତି କରିବା ପରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ଗୁଲଜାର ଅହମ୍ମଦ। 


Also Read: Pakistan: ଶାହାୱାଜ ସରିଫ ହେବେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତି ଦେଲେ ଏହି ଆଦେଶ


ଦେଶର ଦେଶର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ପଦ ଲାଗି  ଗୁଲଜାର ଅହମ୍ମଦଙ୍କ ନାଁ ଘୋଷଣା କରିବା ଇମ୍ରାନ ଖାନଙ୍କ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ବୋଲି କୁହାଯାଉଛି। କାରଣ ୨୦୧୯, ୨୧ ଡିସେମ୍ବରରୁ ୧ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ପ୍ରସଙ୍ଗରେ ପାକିସ୍ତାନରେ କ୍ଷମତାସୀନ ପିଟିଆଇ ସରକାର ବିରୋଧରେ ରାୟ ଶୁଣାଇଥିଥିଲେ। ନିଜର କାର୍ଯ୍ୟକାଳ ମଧ୍ୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମନ ପଠାଇବାକୁ ଚେତାବନୀ ଦେଇଥିଲେ।