ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଗତ କିଛିଦିନ ଧରି ଭାରତ ଜଳୁଛି । ନାଗରିକତା ସଂଶୋଧନ ଆଇନ, ଏ ବିଷୟରେ କେତେକ ଅବଗତ ହୋଇ ବିରୋଧ କରୁଛନ୍ତି, ତ ଆଉ କେତେକ ଲୋକ କିଛି ନ ବୁଝି ନ ଶୁଝି ପାଳି ଧରୁଛନ୍ତି । ସିଏ ଯାହା ବି ହେଉ, କିନ୍ତୁ ଭାରତ ଜଳୁଛି ବିରୋଧର ନିଆଁରେ, ଅଶାନ୍ତି ବଢ଼ୁଛି ଆକ୍ରୋଶର କରାଳ ଆଁରେ । ଦିଲ୍ଲୀ, ଉତ୍ତର ପ୍ରଦେଶ, ଅହମ୍ମଦାବାଦ, କର୍ଣ୍ଣାଟକ, ହାଇଦ୍ରାବାଦ, ଚେନ୍ନାଇ, ଗୌହାଟୀ ଓ କୋଲକାତା ସମେତ ଦେଶର ଅନ୍ୟ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ଜୋରଦାର୍ ବିରୋଧ କରାଯାଇଛି । ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେସନରେ ତାଲା ପକାଇ ଦିଆଯାଇଛି । ଫଳରେ ଦିଲ୍ଲୀବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲାଲକିଲ୍ଲାଠାରେ ନିଜର ହଜାରେ ସମର୍ଥକଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିବାବେଳେ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ପୋଲିସ ଅଟକ ରଖିଥିଲା । ସେହିପରି ୧୯ଟି ମେଟ୍ରୋ ଷ୍ଟେସନର ଏଣ୍ଟ୍ରି ଓ ଏକଜିଟ୍ ବନ୍ଦ ରହିଛି । ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ମଧ୍ୟ ବିରୋଧ ପାଇଁ ବନ୍ଦ ରଖାଯାଇଛି । ଜାମିଆ ମିଲିଆ, ଜାମା ମସଜିଦ, ମୁନେର୍କା, ପଟେଲ ଚୌକ୍, ଲୋକକଲ୍ୟାଣ ମାର୍ଗ, ଉଦ୍ୟୋଗ ଭବନ, ଆଇଟିଓ, ପ୍ରଗତି ମୈଦାନ ଓ ଖାନ୍ ମାର୍କେଟ୍ ଭଳି ବଡ଼ ବଡ଼ ମେଟ୍ରୋ ଷ୍ଟେସନରେ ତାଲା ଝୁଲିଛି । ଫଳରେ ଲକ୍ଷାଧିକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।କିଏ ଅଫିସ ଯାଇ ପାରୁନି, କିଏ କଲେଜ ଯାଇ ପାରୁନି, କିଏ ଗାର୍ଲଫ୍ରେଣ୍ଡ ସହ ବୁଲି ପାରୁନି, ସିନେମା ଦେଖି ପାରୁନି, ହସ୍ପିଟାଲ ଯାଇ ପାରୁନି, ଜରୁରୀକାଳୀନ କାମ ସବୁ ବିରୋଧ ପାଇଁ ଅଟକି ରହିଛି । ବିରୋଧ ଚାଲିଛି, ଆଉ ଅଶାନ୍ତି ବି ବଢ଼ି ଚାଲିଛି । କିନ୍ତୁ ସରକାରଙ୍କ ଦୃଷ୍ଟି ପଡ଼ୁନି । କାହିଁକି ପଡ଼ିବ, ଦୁଇ ଦିନ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସଫା ସଫା କହିଛନ୍ତି । ଲୋକଙ୍କ ବିରୋଧକୁ ଦେଖି ଯଦି ଏବେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ସରକାର ଆଇନକୁ ରଦ୍ଦ କରିଦିଅନ୍ତି ତା'ହେଲେ ସେମାନଙ୍କ ପ୍ରେଷ୍ଟିଜରେ ଆଞ୍ଚ ଆସିବନି କି ? ସର୍ବ ସମ୍ମୁଖରେ ନିଜ ଭୁଲର ସ୍ୱୀକାର କରିଦେଲେ ଏହି ଦୁଇ ନେତାଙ୍କ ଶିରି ଛୋଟ ହୋଇଯିବନି କି ?  


COMMERCIAL BREAK
SCROLL TO CONTINUE READING


କେବଳ ମେଟ୍ରୋ ନୁହେଁ, ଦିଲ୍ଲୀରୁ ୨୧ଟି ବିମାନ ବାତିଲ ହୋଇଯାଇଥିବାବେଳେ ୧୬ଟି ବିଳମ୍ୱରେ ଚାଲୁଛି ଏବଂ ଏୟାର ଇଣ୍ଡିଆ ସଙ୍ଗେସଙ୍ଗେ କ୍ୟାନସଲେସନ୍ ଫି' ମଧ୍ୟ ଫେରାଇ ଦେଇଛି । ସେହିପରି ଉତ୍ତର ଓ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, ଜିଓ ପ୍ରଭୃତି ସେବା ବନ୍ଦ ରହିଛି । ଯେତେ ଜରୁରୀ ପଡ଼ିଲେ ବି ଆଉ ଏହି ଅଞ୍ଚଳର ଲୋକଙ୍କ ସହ ଯୋଗାଯୋଗ ହୋଇ ପାରିବନି । ତଥାପି ବି ବିରୋଧ ଚାଲିଛି, କିନ୍ତୁ ସରକାର ସମାଧାନର ରାସ୍ତା ବାହାର କରୁନାହାନ୍ତି । ସେହିପରି ଦେଶର ବିଭିନ୍ନ ସହରର ବଡ଼ ବଡ଼ ବ୍ୟକ୍ତିମାନଙ୍କୁ ପୋଲିସ ଅଟକ ରଖିଛି ।ଐତିହାସିକ ରାମଚନ୍ଦ୍ର ଗୁହା, ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ, ଡି. ରାଜା, ସୀତାରାମ ୟେଚୁରୀ, ଉମର ଖାଲିଦ, ସନ୍ଦୀପ ଦିକ୍ଷିତ, ତେହସିନ୍ ପୁନାୱାଲା, ଅଜୟ ମାକେନ, ବୃନ୍ଦା କରାତ, ନୀଳୋତ୍ପଳ ବସୁ ପ୍ରମୁଖଙ୍କୁ ପୋଲିସ ଅଟକ ରଖିଛି । ସେହିପରି ଦିଲ୍ଲୀ ଓ ଗୁରଗାଓଁ ମଝିରେ ବ୍ୟାରିକେଡ୍ କରିବାକୁ ଦିଲ୍ଲୀ ପୋଲିସ ଟ୍ୱିଟ୍ ମଧ୍ୟ କରିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ତିନିଦିନ ଧରି ଏହି ଆଇନକୁ ବିରୋଧ କରି ପଦଯାତ୍ରା କରୁଛନ୍ତି । ଏହାସହ ଏହି ଆଇନକୁ ତାଙ୍କ ରାଜ୍ୟରେ ଲାଗୁ କରାଇ ଦେବେନି ବୋଲି ସିଧା ସିଧା ମନା କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଥିଲେ । ଏବେ ଏନଆରସିକୁ ସମର୍ଥନ ନ କରି ଏକ ନୂଆ ରାଜନୈତିକ ଗୋଟିଚାଳନା କରିଛନ୍ତି । ଏହାସହ ନିଜର ଧର୍ମନିରପେକ୍ଷ ରାଜନୀତିର ପ୍ରମାଣ ଦେଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ମଧ୍ୟ ଏହାକୁ ନେଇ ବିଜେପି ସରକାର ଉପରେ ଜୋରଦାର୍ ବର୍ଷିବା ସହ ନିଜ ରାଜ୍ୟରେ ଏହାକୁ ଲାଗୁ କରାଇ ଦେବେନି ବୋଲି ସଫା ସଫା କହିଛନ୍ତି । ଖୁବଶୀଘ୍ର ବିରୋଧର ପ୍ରଖରତା ଦେଖି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିହାତି ପଛଘୁଞ୍ଚା ଦେବେ । ତଥାପି ବି ବିଜେପି ଏହାକୁ ନେଇ ପଛଘୁଞ୍ଚା ଦେବନି । କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ହାଭାର୍ଡ, ଅକ୍ସଫୋର୍ଡ ଭଳି ବିଶ୍ୱର ବଡ଼ବଡ଼ ୟୁନିଭର୍ସିଟି ଗୁଡ଼ିକ ଏହି ଆଇନକୁ ବିରୋଧ କରିବା ସହ ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ ଜାମିଆ ମିଲିଆ, ଆଲିଗଡ଼ ୟୁନିର୍ଭସିଟିର ବିରୋଧକୁ ସମର୍ଥନ କରିଛନ୍ତି ।


ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧ ହେବ, ସରକାରଙ୍କୁ ଘେରା ବି ଯିବ । ସରକାରଙ୍କ ଭୁଲ୍ ନିଷ୍ପତ୍ତି ବିରୋଧରେ ସ୍ୱର ମଧ୍ୟ ଉତ୍ତୋଳନ କରାଯିବ । କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ଭାବେ ହେବା ନିହାତି ଆବଶ୍ୟକ । କାରଣ ଅହିଂସାର ପଥରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବା ହିଁ ଉପଯୁକ୍ତ ବୁଦ୍ଧିମତ୍ତାର ପରିଚୟ, ଯାହା କି ହିଂସା ଦ୍ୱାରା ଅସମ୍ଭବ । ବିଜେପି ନିଜ ନିର୍ବାଚନୀ ଏଜେଣ୍ଡାର ଦ୍ୱାହି ଦେଇ ପ୍ରବଳ ବିରୋଧର ଲହରୀକୁ ଖାତିର ନ କରି ଗୋଟିକ ପରେ ଗୋଟିଏ ଆଇନ ଲାଗୁ କରିବାରେ ଲାଗିଛି । ଯାହାକୁ ନେଇ ବାଜପେୟୀଙ୍କ ସମୟରେ ଦଳର ଛବି କିଛିଟା ସେକ୍ୟୁଲାରିଷ୍ଟ ଥିବା ବେଳେ ବର୍ତ୍ତମାନ  ପ୍ରୋ-ହିନ୍ଦୁତ୍ୱ ଭାବରେ ଫୁଟି ବାହାରୁଛି ।  ତେଣୁ କୁହାଯାଇ ପାରିବ ମୋଦିଙ୍କ ହିନ୍ଦୁତ୍ୱ ଭାରତକୁ ବିରୋଧୀଙ୍କ ବିରୋଧ । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କେଉଁ ରଙ୍ଗ ନେବ, ତାହା ସମୟ ହିଁ କହିବ ।