ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ:  ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍-୨୦୨୦ । ଚଳିତବର୍ଷ ଏହାର ଟାଇଟଲ୍ ପ୍ରାୟୋଜକ କିଏ ସାଜିବ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । କିନ୍ତୁ ଏବେ ନୂଆ ଟାଇଟଲ୍ ପ୍ରୟୋଜକ କିଏ ହେବ ତାହା ସ୍ପଷ୍ଟ ହୋଇଛି । ମୋବାଇଲ୍ ଫାଣ୍ଟାସି କ୍ରିକେଟ୍ ଲିଗ୍ ଆପ୍ଲିକେସନ୍ ଡ୍ରିମ୍ ୧୧, ଚଳିତ ବର୍ଷ ଆଇପିଏଲ୍-୨୦୨୦ର ଟାଇଟଲ୍ ପ୍ରୟୋଜକ ସାଜିଛି । ୨୨୨ କୋଟି ଟଙ୍କାରେ ଡ୍ରିମ୍ ୧୧ ଏହି ବିଡରେ ବିଜୟ ଲାଭ କରିବ ସହ ମୁଖ୍ୟ ଟାଇଟଲ୍ ପ୍ରୟୋଜକ ସାଜିଛି ।  ଅର୍ଥାତ୍ ଚଳିତ ବର୍ଷ ଏହା ଭିଭୋ ଆଇପିଏଲ୍ ନୁହେଁ, ଡ୍ରିମ୍ ୧୧ ଆଇପିଏଲ୍ ୨୦୨୦ ହେବ ।


COMMERCIAL BREAK
SCROLL TO CONTINUE READING

୨୦୧୭ ରୁ ୨୦୨୨ ପର୍ଯ୍ୟାନ୍ତ ୫ ବର୍ଷ ପାଇଁ ମୋବାଇଲ୍ ଫୋନ୍ ପ୍ରସ୍ତୁତକାରୀ ଚାଇନିଜ୍ କମ୍ପାନୀ ଭିଭୋ ମୋଟ ୨୧୯୯ କୋଟି ଟଙ୍କାରେ ଆଇପିଏଲର ମୁଖ୍ୟ ଟାଇଟଲ୍  ପ୍ରୟୋଜକ ସାଜିଥିଲା । କିନ୍ତୁ ଚଳିତବର୍ଷ ଭାରତ-ଚୀନ ବିବାଦ ମଧ୍ୟରେ ଦେଶରେ ଚାଇନିଜ୍ ଉତ୍ପାଦନକୁ ନ ବ୍ୟବହାର କରିବାକୁ ଚାଲିଥିବା ଅଭିଯାନ ମଧ୍ୟରେ ଭିଭୋକୁ ମୁଖ୍ୟ ପ୍ରାୟୋଜକରୁ ବିସିସିଆଇ ହଟାଇ ଦେଇଥିଲା । ଯାହା ପରେ ମୁଖ୍ୟ ପ୍ରୟୋଜକ କିଏ ସାଜିବ, ସେ ନେଇ ରେସ୍ ଜାରି ରହିଥିଲା । ଏହି ରେସରେ ଟାଟା, ଡ୍ରିମ୍ ୧୧, ଅନଏକାଡେମୀ, ବାଇଜୁ, ପତଞ୍ଜଳି, ଆମାଜନ୍ ଭଳି ବଡ଼ ବଡ଼ କମ୍ପାନୀ ଥିଲେ । କିନ୍ତୁ ଶେଷରେ ବାଜି ମାରି ନେଇଛି ଡ୍ରିମ୍ ୧୧ ।


୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରେ ଭାରତର ସବୁଠୁ ବଡ଼ ରିୟଲ୍ ଇଷ୍ଟେଟ୍ କମ୍ପାନୀ DLF, ୫ ବର୍ଷ ପାଇଁ ଆଇପିଏଲ୍ ଟାଇଟଲର ମୁଖ୍ୟ ପ୍ରାୟୋଜକ ସାଜିଥିଲା । ସେତେବେଳେ ଏହା ବାବଦକୁ DLFକୁ ଦେବାକୁ ପଡ଼ିଥିଲା ୨୦୦ କୋଟି ଟଙ୍କା । ସେହିପରି ୨୦୧୨ରେ ପେପସି ୩୯୬.୮ କୋଟି ଟଙ୍କାରେ ୫ ବର୍ଷ ପାଇଁ ଆଇପିଏଲ୍ ମୁଖ୍ୟ ପ୍ରୟୋଜକ କ୍ଷମତା ହାତେଇଥିଲା । କିନ୍ତୁ ୨୦୧୩ରେ ହୋଇଥିବା ଆଇପିଏଲ୍ ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲ୍ ପରେ ୨୦୧୫ରେ ପେପସି ଆଇପିଏଲରୁ ନିଜ ରାଇଟ୍ସ କାଢ଼ି ନେଇଥିଲା । ପରେ ଆଇପିଏଲ୍ ୨୦୧୬-୧୭ ପାଇଁ ଭିଭୋ, ୨୦୦ କୋଟି ଟଙ୍କାରେ ଆଇପିଏଲ୍ ଟାଇଟଲ୍ ମୁଖ୍ୟ ପ୍ରୟୋଜକ ସାଜିଥିଲା । 


୨୦୧୭ରେ ପୁଣି ଫେରିଥିଲା ଭିଭୋ ଓ ୫ ବର୍ଷ ପାଇଁ ଅର୍ଥାତ୍ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମୋଟ ୨୧୯୯ କୋଟି ଟଙ୍କାରେ ଆଇପିଏଲ୍ ମୁଖ୍ୟ ପ୍ରୟୋଜକ କ୍ଷମତା ହାସଲ କରିଥିଲା । ଅର୍ଥାତ୍ ବର୍ଷକୁ ପ୍ରାୟ ୪୪୦ କୋଟି ଟଙ୍କାର ଡିଲ୍ କରିଥିଲା ଭିଭୋ । ତେବେ ଚଳିତବର୍ଷ ବଏକଟ୍ ଚାଇନିଜ୍ ପ୍ରଡକ୍ଟ ଅଭିଯାନ ମଧ୍ୟରେ ଭିଭୋକୁ କଢ଼ାଯିବା ପରେ ଡ୍ରିମ୍-୧୧, ୨୨୨ କୋଟି ଟଙ୍କାରେ ଆଇପିଏଲ୍ ଟାଇଟଲ୍ ମୁଖ୍ୟ ପ୍ରାୟୋଜକ କ୍ଷମତା ହାତେଇଛି । ଭିଭୋ ସହ ବାର୍ଷିକ ଡିଲ୍ ଦେଖିଲେ, ଡ୍ରିମ୍-୧୧, ୫୦ ପ୍ରତିଶତ କମ୍ ଅର୍ଥ ଦେଇ ଏହି ଟାଇଟଲ୍ ପ୍ରୟୋଜକ କ୍ଷମତା ହାସଲ କରିଛି, ଯାହା ଆଇପିଏଲ୍ ଓ ବିସିସିଆଇ ପାଇଁ ଏକ ବଡ଼ କ୍ଷତି ବୋଲି ଧରାଯାଉଛି । ତେବେ କୋରୋନା କାଳରେ ଯେତେବେଳେ ଚଳିତବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା, ସେତେବେଳେ ଡ୍ରିମ୍-୧୧ ସହ ଡିଲ୍ ବିସିସିଆଇ ପାଇଁ 'ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ' ଭଳି ହୋଇଛି କହିଲେ ଭୁଲ୍ ହେବ ନାହିଁ ।