COMMERCIAL BREAK
SCROLL TO CONTINUE READING

ସୁନନ୍ଦନ ମିଶ୍ର(ନୂଆଦିଲ୍ଲୀ): ୟୁଏଇରେ ଆଇପିଏଲର ଆରମ୍ଭକୁ ୩ ସପ୍ତାହ ବାକି ଥିବାବେଳେ ଏଯାବତ୍ ଆଇପିଏଲ୍-୨୦୨୦ର ଚୂଡ଼ାନ୍ତ କ୍ରୀଡ଼ାସୂଚୀ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଦର୍ଶକଙ୍କ ଦ୍ୱନ୍ଦ୍ୱ ଏବେ ଚରମସୀମାରେ । କେବେ ଆସିବ ଆଇପିଏଲ୍ କ୍ରୀଡ଼ାସୂଚୀ, ତାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ ଓ ପ୍ରସାରକ ।


ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ୍ ଓ ବିସିସିଆଇର ଏକ ଟିମ୍ ଏହା ମଧ୍ୟରେ ଦୁବାଇରେ ପହଞ୍ଚି ସାରିଛନ୍ତି । ଖେଳାଳିଙ୍କ ରହିବା ଖାଇବା, ଅଭ୍ୟାସ ଓ ଟୁର୍ଣ୍ଣାମେଣ୍ଟର ଆୟୋଜନ ବିଷୟରେ ସେମାନେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ବ୍ରିଜେଶ ପଟେଲଙ୍କ ଅନୁଯାୟୀ, "ସମୟ କମ୍ ଅଛି ଓ କାମ ଅଧିକ । ତଥାପି ବି ଆଇପିଏଲ୍ ଅଫିସିଆଲ୍ ପ୍ରତିଦିନ ଏହା ଉପରେ କାମ ଜାରି ରଖିଛନ୍ତି । ଖୁବଶୀଘ୍ର ଆଇପିଏଲର କ୍ରୀଡ଼ାସୂଚୀ ସାମ୍ନାକୁ ଆସିଯିବ । ଆମେ ଆଶା କରିପାରିବା କି ଚଳିତ ସପ୍ତାହ ଶେଷ ସୁଦ୍ଧା ଆଇପିଏଲ୍-୨୦୨୦ର ଚୂଡ଼ାନ୍ତ କ୍ରୀଡ଼ାସୂଚୀ ପ୍ରକାଶ ପାଇବ । "


ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଉଦଘାଟନୀ ମ୍ୟାଚ୍ କାହା କାହା ମଧ୍ୟରେ ଖେଳାଯିବ । ପୂର୍ବ କ୍ରୀଡ଼ାସୂଚୀ ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବାର ଥିଲା । ଏବେ କ'ଣ ଏଥିରେ ପରିବର୍ତ୍ତନ ହେବ କି? 


ସେପଟେ ଏମ.ଏସ୍.ଧୋନି ଅବସର ନେବା ପରେ ତାଙ୍କୁ ସମ୍ମାନ ଜଣାଇ ରୋହିତ ଶର୍ମା ସୋସିଆଲ୍ ମିଡିଆରେ ନିଜର ଭାବନା ପ୍ରକାଶ କରିଥିଲେ । ସେଥିରେ ଚଳିତବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚକୁ ନେଇ ରୋହିତ୍ ଏକ ବଡ଼ ଇସାରା ଦେଇ ସାରିଥିଲେ । ରୋହିତ୍ ନିଜ ଲେଖାରେ ଲେଖିଥିଲେ କି ୧୯ ସେପ୍ଟେମ୍ବର ଟସ୍ ସମୟରେ ତୁମ ସହ ଦେଖାହେବ ଏମ୍.ଏସ୍ ଧୋନି । ଅର୍ଥାତ୍ ସେ କହିବା ପାଇଁ ଚାହୁଁଥିଲେ କି, ସେପ୍ଟେମ୍ବର ୧୯ରେ ଆଇପିଏଲ୍-୨୦୨୦ର ଉଦଘାଟନୀ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏବେ ଅପେକ୍ଷା କେବେ ଆଇପିଏଲର ଚୂଡ଼ାନ୍ତ କ୍ରୀଡ଼ାସୂଚୀ ପ୍ରକାଶ ପାଉଛି ।