ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ କୋରୋନା ସହ ସଂଘର୍ଷ କରୁଥିବା ବେଳେ, ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଉଠିଛି ପଶ୍ଚିମ ଏସୀୟ ଦେଶ ଇସ୍ରାଏଲ | ନିରାପତ୍ତାକୁ ଦୃଷ୍ଟିରେ ରଖି ବିମାନ ଆକ୍ରମଣ ମାଧ୍ୟମରେ ଅନ୍ୟତମ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଇରାନର ପରମାଣୁ କେନ୍ଦ୍ର ଏବଂ ମିସାଇଲ ବେସକୁ ଧ୍ୱଂସ କରିବା ସହ ମାଟିରେ ମିଶାଇ ଦେଇଛି | 


COMMERCIAL BREAK
SCROLL TO CONTINUE READING

ବିଶ୍ୱର ଏକ ମାତ୍ର ଇହୁଦୀ ଦେଶ ଇସ୍ରାଏଲର ଅତର୍କିତ ଆକ୍ରମଣରେ ଥରହର ହୋଇଉଠିଛି ପ୍ରାକୃତିକ ତୈଳ ସମ୍ପଦରେ ସମୃଦ୍ଧ ଇରାନ | ଏହା ସହିତ ଶତ୍ରୁ ଉପରେ ଜବରଦସ୍ତ ସାଇବର ଆକ୍ରମଣ କରିଛି ସାମରିକ ଶକ୍ତି ଦୃଷ୍ଟିକୋଣରୁ ଦୁର୍ଦ୍ଦଶ ଏହି ଦେଶ | ଦେଶ ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତି ମୁକାବିଲା କରିବା ସହ ପ୍ରତିଦ୍ୱନ୍ଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବାରେ ବେଶ ପାରଙ୍ଗମ ଇସ୍ରାଏଲ | 



F-35 ଯୁଦ୍ଧ ବିମାନ କରିଥିଲା ଆକ୍ରମଣ 


କୁହାଯାଉଛି ଇସ୍ରାଏଲ ଜୋରଦାର ସାଇବର ଆକ୍ରମଣ କରିବା ସହ ଏହାର ପରମାଣୁ କେନ୍ଦ୍ରରେ ୨ଟି ବିସ୍ଫୋରଣ କରିଥିଲା, ଯାହା ଇରାନକୁ ଶକ୍ତ ଝଟକା ଦେଇଥିଲା | ଯେଉଁ ପାରମାଣବିକ ସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା, ତାହା ମଧ୍ୟରୁ ଗୋଟିଏ କ୍ଷେପଣାସ୍ତ୍ର ଉତ୍ପାଦନ କେନ୍ଦ୍ର ହୋଇଥିବା ବେଳେ ଅନ୍ୟଟି ହେଉଛି ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ବ୍ୟବହୃତ ୟୁରାନିୟମ ରଖାଯାଉଥିବା ଏକ ସମୃଦ୍ଧ ସଂରକ୍ଷିତ ଗୃହ | ଏହା ଉପରେ ଆକ୍ରମଣ ଇସ୍ରାଏଲ ବାୟୁସେନା ନିଜର ଘାତକ ହତିଆର  ଯୁଦ୍ଧ ବିମାନ F-35 ଯୁଦ୍ଧ ବିମାନ ମାଧ୍ୟମରେ ଆକ୍ରମଣ କରିଥିଲା | 


 


ଆକ୍ରମଣ ବାବଦରେ କୁଏତ ଖବରକାଗଜ ଅଲ ଜରିଦାରେ ପ୍ରକାଶିତ ହୋଇଛି ରିପୋର୍ଟ  


କୁଏତ ଭିତ୍ତିକ ଖବର କାଗଜ ଅଲ ଜରିଦାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଆକ୍ରମଣ ଗତ ସପ୍ତାହରେ ହୋଇଛି | ଏହି ଗଣମାଧ୍ୟମ ପକ୍ଷରୁ ଆହୁରି କୁହାଯାଇଛି ଗତ ଗୁରୁବାର ଇସ୍ରାଏଲ ପକ୍ଷରୁ ଇରାନର ନତାଞ୍ଜ ଆଣବିକ କେନ୍ଦ୍ରରେ ଆକ୍ରମଣ କରାଯିବା ପରେ ସେଠାରେ ବଡଧରଣର ବିସ୍ଫୋରଣ ହୋଇଥିଲା | ଏହି ଆଣବିକ କେନ୍ଦ୍ର ଭୂତଳ ଭାବରେ ନିର୍ମାଣ କରାଯାଇଛି | ଇସ୍ରାଏଲ ଦ୍ୱାରା ହୋଇଥିବା ସାଇବର ଆକ୍ରମଣ କାରଣରୁ ଇରାନର ପାରମାଣବିକ କାର୍ଯ୍ୟକ୍ରମ ପ୍ରାୟ ୨ ମାସ ପଛକୁ ଚାଲିଯାଇଛି |



F-16 ଯୁଦ୍ଧ ବିମାନ ମାଧ୍ୟମରେ ଶୁକ୍ରବାର ହୋଇଥିଲା ଆକ୍ରମଣ 


କୁଏତର ଏହି ଖବରକାଗଜ ପକ୍ଷରୁ ଦାବି କରାଯାଇଛି ଇସ୍ରାଏଲର ଅଦୃଶ୍ୟ ଯୁଦ୍ଧ ବିମାନ  F-16 ଗତ ଶୁକ୍ରବାର ଇରାନର ପାର୍ଚିନ୍ ଅଞ୍ଚଳରେ ଅବସ୍ଥିତ ଏକ ସ୍ଥାନ ଉପରେ ଆକ୍ରମଣ କରିଥିଲା | ଏଠାରେ କ୍ଷେପଣାସ୍ତ୍ର ଉତ୍ପାଦନ ହେଉଥିବାର କୁହାଯାଉଛି | ଇସ୍ରାଏଲ ଅଭିଯୋଗ କରିଆସୁଛି ଇରାନ କ୍ରମାଗତ ଭାବେ ଇହୁଦୀ ଲୋକଙ୍କ ବିରୋଧି ଆତଙ୍କବାଦୀ ସଙ୍ଗଠନ ହିଜବୁଲ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଯୋଗାଉଛି | ଇସ୍ରାଏଲର ଏପରି ଅଚାନକ ଆକ୍ରମଣ ଇରାନକୁ ଆତଙ୍କିତ ଅବସ୍ଥାରେ ରଖିଛି | 


ଯଦିଓ ଏହି ଆକ୍ରମଣ ବାବଦରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ, ଉଭୟ ଦେଶ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି | ଏ ଖବର ଆସିବା ପରେ ଇରାନରେ ଆତଙ୍କ ଖେଳିଯାଇଛି | ଦେଶ ଉପରେ ହୋଇଥିବା ଏହି ଆକ୍ରମଣ ପରେ ଇସ୍ରାଏଲ ବିରୋଧରେ ଇରାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା |