ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ନିଧନରେ ୩ ଦିନିଆ ସରକାରୀ ଶୋକ ଦିବସ ଘୋଷିତ କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ନରୌରାସ୍ଥିତ ଗଙ୍ଗାଘାଟ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କର ନିଧନ ପରେ ୨୩ ତାରିଖ ସୋମବାରକୁ ସାର୍ବଜନୀନ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଚିକିତ୍ସାଧିନ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅଗଷ୍ଟ ୨୧ ତାରିଖ  ଶନିବାର ରାତି ୯ଟା ୧୫ ମିନିଟ ସମୟରେ ନିଧନ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଗତ ଜୁଲାଇ ୪ ତାରିଖରୁ ଲକ୍ଷ୍ନୌସ୍ଥିତ ଏସଜିପିଜିଆଇ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେ।   


ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ପାଇଁ ରାଜଧାନୀ ଲକ୍ଷ୍ନୌ ସ୍ଥିତ ବାସଭବନ, ରାଜ୍ୟ ବିଧାନମଣ୍ଡଳ ଏବଂ ଶେଷରେ ଦଳୀୟ କାର୍ଯ୍ୟାଳୟ ଠାରେ ରଖାଯାଇଥିଲା। ରବିବାର ଅପରାହ୍ନରେ ତାଙ୍କର ମର ଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ରାଜ୍ୟର ଆଲିଗଡ଼ସ୍ଥିତ ଧନୀପୁର ବିମାନ ଘାଟି ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ଶବକୁ ଅଣାଯାଇ ୧୩ କିମି ଦୂରରେ ଅବସ୍ଥିତ ଅହିଲ୍ୟବାଇ ହୋଲକର ଷ୍ଟାଡିୟମରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା।  


Also Read: UP: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ


ଷ୍ଟାଡିୟମରେ ନିଜ ନେତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କ ସମର୍ଥନରେ ଜୟ ଶ୍ରୀରାମ ନାରା ଲଗାଇଥିଲେ ବିଜେପି ନେତା ସମର୍ଥକ, କର୍ମୀ। ସୋମବାର ସକାଳ ୯ଟା ସମୟରେ ଆଲିଗଡ଼ ଜିଲ୍ଲାସ୍ଥିତ ଅତରୌଲି ନିକଟସ୍ଥ ପୈତୃକ ଗ୍ରାମ ମଢୌଲି ନିଆଯିବ। ସେଠାରେ ଅବସ୍ଥିତ ଥିବା ତାଙ୍କର ପୈତୃକ ବାସଭବନରେ ତାଙ୍କର ପାର୍ଥିବ ଶରୀରକୁ ଦର୍ଶନ କରିବା ପାଇଁ ଗ୍ରାମବାସୀଙ୍କ ଲାଗି ରଖାଯିବ। ଏହା ପରେ ତାଙ୍କର ଅନ୍ତିମ ଯାତ୍ରା ବୁଲନ୍ଦ ସହର ଜିଲ୍ଲାର ନରୌରାସ୍ଥିତ ଗଙ୍ଗାଘାଟକୁ ନିଆଯିବ। ଯେଉଁଠି ତାଙ୍କର ଅନ୍ତିମ ସଂସ୍କାର କରାଯିବ।