କୋଲକାତା: ପଞ୍ଚିମବଙ୍ଗର ରାଜଧାନୀ କୋଲକାତାର ଆକାଶରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ହେରିଟେଜ୍ ଲ’ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଆର୍ଜୁ ସାହନି ଆକାଶରେ ଏକ ଉଡନ୍ତା ଥାଳିଆ (UFO) ଦେଖିଥିବା ଦାବି କରିଛନ୍ତି। ମାଲଡା ଜିଲ୍ଲାର ଆର୍ଜୁ ବର୍ତ୍ତମାନ କୋଲକାତା ହାଜରା ଅଞ୍ଚଳର ସତୀଶ ମୁଖାର୍ଜୀ ରୋଡରେ ଅବସ୍ଥିତ ଏକ ଘରେ ଭଡାରେ ରୁହନ୍ତି।


COMMERCIAL BREAK
SCROLL TO CONTINUE READING

 ଛାତ୍ରୀ ଆର୍ଜୁ ସାହନିଙ୍କ କହିବା ଅନୁସାରେ, ସେ ପ୍ରତିଦିନ ସନ୍ଧ୍ୟାରେ ଘରର ଛାତ ଉପରେ ବୁଲିବାକୁ ଯାଆନ୍ତି। ସବୁଥର ପରି, ଗୁରୁବାରର ସନ୍ଧ୍ୟାରେ ମଧ୍ୟ ଆର୍ଜୁ ଛାତରେ ବୁଲୁଥିଲେ। ପ୍ରାୟ ପ୍ରାୟ ୭ଟା ୪୦ ମିନିଟରେ ତାଙ୍କ ଆଖି ଆକାଶରେ ପଡିଗଲା। ଯେତେବେଳେ ସେ ତାହାକୁ ଧ୍ୟାନର ସହ ଚାହିଁଲେ, ସେତେବେଳେ ସେ ଆବାକ ହୋଇଗଲେ। ଅର୍ଜୁ ଲକ୍ଷ୍ୟ କଲେ ଯେ ଆଲୋକ ପରି ଝଲସି ଉଠୁଥିବା କିଛି ବସ୍ତୁ ଆକାଶରେ ଅଦ୍ଭୁତ ଭାବେ ଗତି କରୁଥିଲା। ଏହି ଘଟଣା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଆଉ ସେ ନିଜ କ୍ୟାମେରାରେ ପୁରା ଦୃଶ୍ୟକୁ ସୁଟିଂ କଲେ। ଭିଡିଓଟି ସାମନାକୁ ଆସିବା ପରେ UFOକୁ ନେଇ ଚର୍ଚ୍ଚା ଚାଲିଛି।


Also Read: ପାଠାନକୋଟ ହମଲା ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ସେନାକୁ ନେଇ କହିଲେ ଏମିତି କଥା


ଆର୍ଜୁ ପୂର୍ବରୁ ଏପରି କିଛି ଅନୁଭବ କରିନାହାଁନ୍ତି। ସେ କହିଛନ୍ତି, 'ଆକାଶରେ ଆଲୋକ ପ୍ରଥମେ ତିନୋଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଗଲା, ଏହା ପରେ ଧୀରେ ଧୀରେ ତାହା ତିନରୁ ଛଅ ହୋଇଗଲା। ମତେ ଏହା ଟିକେ ଅଜବ ଲାଗିଲା, ସେଥିପାଇଁ ମୁଁ ତାହାକୁ କ୍ୟାମେରାରେ କଏଦ କରିଥିଲି।' ମହାକାଶ ବିଜ୍ଞାନୀ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହା ଏକ ପ୍ରକାର ଲେଜର ଲାଇଟ୍ ହୋଇପାରେ ଏବଂ କୋଲକାତାରେ ଏହା ଦେଖିବା ସମ୍ଭବ ନୁହେଁ। ବୋଧହୁଏ ନିକଟସ୍ଥ କିଛି ଶୋଭାଯାତ୍ରା କିମ୍ବା ଉତ୍ସବରୁ ଏହି ଲେଜର ଲାଇଟ୍ ଆସିଥାଇପାରେ। 


ସନ୍ଦୀପ ଚକ୍ରବର୍ତ୍ତୀ ପୁଣି କହିଛନ୍ତି ଯେ, ଏହା ମଧ୍ୟ ଏକ ଭ୍ରମ ହୋଇପାରେ। ଆମେରିକାରେ ପ୍ରତିଦିନ ଏଭଳି ଘଟଣା ଘଟେ କିନ୍ତୁ ଏପର୍ଯ୍ୟନ୍ତ କେହି ଏହାକୁ UFO ବୋଲି ନିଶ୍ଚିତ କରିନାହାଁନ୍ତି। ମୁଁ ହାଜରାର ଏହି ଘଟଣାକୁ ଏଲିଏନଙ୍କ ଗତିବିଧି ବୋଲି ବିଶ୍ୱାସ କରୁନାହିଁ, କିନ୍ତୁ ଆମ ଗାଲାକ୍ସିରେ ଏପରି କୋଟି କୋଟି ଗ୍ରହ ଥାଇପାରେ ଆଉ ସେଠାକାର ଲୋକ ଆମ ଅପେକ୍ଷା ଅଧିକ ସଭ୍ୟ ହୋଇପାରନ୍ତି ଏବଂ ସେମାନେ ଆମ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବେ।