ପଞ୍ଚତତ୍ତ୍ୱରେ ବିଲୀନ ହେଲେ କଲ୍ୟାଣ ସିଂହ
ଅନ୍ତ୍ୟୋଷ୍ଟି କ୍ରିୟା ପୂର୍ବରୁ ପୁରୋହିତ ମଣ୍ଡଳୀ ପ୍ରଥମେ ଶାନ୍ତି ପାଠ କରିଥିଲେ। ଅନ୍ତ୍ୟୋଷ୍ଟିସ୍ଥଳ ଠାରେ ଏକାଠି ହୋଇଥିବା ଲୋକ, ବିଜେପି ନେତା ସମର୍ଥକ କର୍ମୀ `ବାବୁଜୀ ଅମର ରହେ`, `ଜୟ ଶ୍ରୀରାମ` ପ୍ରଭୃତି ନାରା ଲଗାଇଥିଲେ।
ଲକ୍ଷ୍ନୌ: ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ। ରାଜ୍ୟର ବୁଲନ୍ଦ ସହର ଜିଲ୍ଲାର ନରୌରାସ୍ଥିତ ଗଙ୍ଗାଘାଟ ଠାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ରାଜବୀର ସିଂହ ମୁଖାଗ୍ନି ଦେଇଥିଲେ। ନରୌରାସ୍ଥିତ ବଚ୍ଚା ପାର୍କ ଠାରେ ହୋଇଥିବା ଦାହସଂସ୍କାର ବେଳେ ଉତ୍ତର ପ୍ରଦେଶ ସରକାର ଏବଂ ପୁରା କ୍ୟାବିନେଟ, ରାଜ୍ୟପାଳ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଦଳୀୟ ନେତା ସମର୍ଥକ କର୍ମୀ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଚିକିତ୍ସାଧିନ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅଗଷ୍ଟ ୨୧ ତାରିଖ ଶନିବାର ରାତି ୯ଟା ୧୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଗତ ଜୁଲାଇ ୪ ତାରିଖରୁ ଲକ୍ଷ୍ନୌସ୍ଥିତ ଏସଜିପିଜିଆଇ ମେଡିକାଲ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ସେ। ତାଙ୍କର ନିଧନରେ ୩ ଦିନିଆ ସରକାରୀ ଶୋକ ଦିବସ ଘୋଷିତ କରିଥିଲେ ଉତ୍ତର ପ୍ରଦେଶ ସରକାର।
Also Read: କଲ୍ୟାଣ ସିଂହଙ୍କ ନିଧନ ପରେ ୩ ଦିନିଆ ସରକାରୀ ଶୋକ ଦିବସ ଘୋଷିତ; ସୋମବାର ହେବ ଅନ୍ତିମ ସଂସ୍କାର
ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ପାଇଁ ରାଜଧାନୀ ଲକ୍ଷ୍ନୌ ସ୍ଥିତ ବାସଭବନ, ରାଜ୍ୟ ବିଧାନମଣ୍ଡଳ ଏବଂ ଶେଷରେ ଦଳୀୟ କାର୍ଯ୍ୟାଳୟ ଠାରେ ରଖାଯାଇଥିଲା। ରବିବାର ଅପରାହ୍ନରେ ତାଙ୍କର ମର ଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ରାଜ୍ୟର ଆଲିଗଡ଼ସ୍ଥିତ ଧନୀପୁର ବିମାନ ଘାଟି ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ଶବକୁ ଅଣାଯାଇ ୧୩ କିମି ଦୂରରେ ଅବସ୍ଥିତ ଅହିଲ୍ୟବାଇ ହୋଲକର ଷ୍ଟାଡିୟମରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା।
ଷ୍ଟାଡିୟମରେ ନିଜ ନେତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କ ସମର୍ଥନରେ ଜୟ ଶ୍ରୀରାମ ନାରା ଲଗାଇଥିଲେ ବିଜେପି ନେତା ସମର୍ଥକ, କର୍ମୀ। ସୋମବାର ସକାଳ ୯ଟା ସମୟରେ ଆଲିଗଡ଼ ଜିଲ୍ଲାସ୍ଥିତ ଅତରୌଲି ନିକଟସ୍ଥ ପୈତୃକ ଗ୍ରାମ ମଢୌଲି ନିଆଯାଇଥିଲା। ସେଠାରେ ଅବସ୍ଥିତ ଥିବା ତାଙ୍କର ପୈତୃକ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରିବା ପାଇଁ ଗ୍ରାମବାସୀଙ୍କ ଲାଗି ରଖାଯାଇଥିଲା। ଏହା ପରେ ବୁଲନ୍ଦସହରସ୍ଥିତ ନରୌରା ଗଙ୍ଗାଘାଟକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
Also Read: UP: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ
ଅନ୍ତ୍ୟୋଷ୍ଟି କ୍ରିୟା ପୂର୍ବରୁ ପୁରୋହିତ ମଣ୍ଡଳୀ ପ୍ରଥମେ ଶାନ୍ତି ପାଠ କରିଥିଲେ। ଅନ୍ତ୍ୟୋଷ୍ଟିସ୍ଥଳ ଠାରେ ଏକାଠି ହୋଇଥିବା ଲୋକ, ବିଜେପି ନେତା ସମର୍ଥକ କର୍ମୀ 'ବାବୁଜୀ ଅମର ରହେ', 'ଜୟ ଶ୍ରୀରାମ' ପ୍ରଭୃତି ନାରା ଲଗାଇଥିଲେ। ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିବା ପାଇଁ ଜନସମୁଦ୍ର ପାଲଟିଯାଇଥିଲା ବଂଶୀଘାଟ।