ଦୁଇ ବର୍ଷରେ ୨ଥର ଜଳିଲା ଦିଲ୍ଲୀ, ଚାଷୀଙ୍କ ପାଇଁ ପୁଣି ସମ୍ୱୋଧନ କରିବେ କି ପ୍ରଧାନମନ୍ତ୍ରୀ ?
ଟ୍ରାକ୍ଟର ରାଲି। ହଜାର ହଜାର ଚାଷୀ ଟ୍ରାକ୍ଟର ଘେନି ଲାଲକିଲ୍ଲାରେ ପଶିଗଲେ। ଆଇନକୁ ହାତକୁ ନେଇ ବ୍ୟାରିକେଡ୍ ଭାଙ୍ଗି ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ଦେଶର ଅନ୍ନଦାତା। ଏବେ ମାମଲା ଗମ୍ଭୀର ହୋଇଛି। ଦେଶର ରାଜଧାନୀରେ ଅରାଜକତା ସୃଷ୍ଟି ହୋଇଛି। ଦୋଷ ଯାହାର ବି ହେଉ, ଶାନ୍ତି ଫେରି ଆସୁ। କିନ୍ତୁ, ଆଜିର ଏହି ଆନ୍ଦୋଳନ ଭବିଷ୍ୟତରେ ଲେଖା ହେବାକୁ ଥିବା ଇତିହାସକୁ ଅନେକ ତଥ୍ୟ ଦେଇଛି, ଅନେକ ଇସାରା ବି ଦେଇଛି।
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ୨୦୧୯ ମସିହା ଡିସେମ୍ୱର ମାସ। ନାଗରିକତା ସଂଶୋଧନ ଆଇନକୁ ନେଇ ଜଳୁଥିଲା ଦିଲ୍ଲୀ। ଏହି ନିଆଁ କେବଳ ଦିଲ୍ଲୀ ନୁହେଁ, ସେତେବେଳେ ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ ଜଳିଥିଲା। କିନ୍ତୁ, ପାୱାର କ୍ୟାପିଟାଲ ଦିଲ୍ଲୀରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଥିଲା। ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା, ନିଆଁ ଜଳୁଥିଲା, ବିରୋଧ ବଢ଼ୁଥିଲା। କିଛିଦିନ ପରେ ମାମଲା ଶାନ୍ତ ହୋଇଥିଲା। କିନ୍ତୁ ଶାହୀନବାଗର ଆନ୍ଦୋଳନ ଦୀର୍ଘଦିନ ଧରି ଜଳୁଥିବା ମଶାଲକୁ ହୁଦୁହୁଦୁ କରି ବଞ୍ଚାଇ ରଖିଥିଲା। ଏବେ ଦିଲ୍ଲୀ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ସମୟ ଧରି ରାଜରାସ୍ତାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ମାମଲା ସୁପ୍ରିମକୋର୍ଟ ବି ଗଲା। ଆଉ ଭାରତର ଗଣତନ୍ତ୍ର ଦିବସରେ ନୂଆ ଭାରତ ଦେଖିଲା ଏକ ନୂଆ ବିରୋଧ।
ଟ୍ରାକ୍ଟର ରାଲି। ହଜାର ହଜାର ଚାଷୀ ଟ୍ରାକ୍ଟର ଘେନି ଲାଲକିଲ୍ଲା (Lal Quila)ରେ ପଶିଗଲେ। ଆଇନକୁ ହାତକୁ ନେଇ ବ୍ୟାରିକେଡ୍ ଭାଙ୍ଗି ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ଦେଶର ଅନ୍ନଦାତା। ଏବେ ମାମଲା ଗମ୍ଭୀର ହୋଇଛି। ଦେଶର ରାଜଧାନୀ (National Capital) ରେ ଅରାଜକତା ସୃଷ୍ଟି ହୋଇଛି। ଦୋଷ ଯାହାର ବି ହେଉ, ଶାନ୍ତି ଫେରି ଆସୁ। କିନ୍ତୁ, ଆଜିର ଏହି ଆନ୍ଦୋଳନ ଭବିଷ୍ୟତରେ ଲେଖା ହେବାକୁ ଥିବା ଇତିହାସକୁ ଅନେକ ତଥ୍ୟ ଦେଇଛି, ଅନେକ ଇସାରା ବି ଦେଇଛି। ଆଇନକୁ ହାତକୁ ନେବା ଅପରାଧ, କିନ୍ତୁ ଆଇନକୁ ହାତକୁ ନେବାକୁ ପ୍ରଶ୍ରୟ ଦେବା କ'ଣ ଅପରାଧ ନୁହେଁ? ଦୀର୍ଘ ଷାଠିଏ ଦିନରୁ ଅଧିକ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଆକ୍ରୋଶ କ'ଣ ସରକାର ବୁଝି ନଥିଲେ ? ସୁପ୍ରିମକୋର୍ଟ (Supreme Court) ହୃଦୟଙ୍ଗମ କରି ନ ଥିଲେ ? ଯଦି ହଁ, ତେବେ କାହିଁକି ଆନ୍ଦୋଳନ କରିବାକୁ ଅନୁମତି ଦିଆଗଲା ? ଏଥିପାଇଁ ଦାୟୀ କିଏ ? ସରକାର କିମ୍ୱା ସୁପ୍ରିମକୋର୍ଟ ଅନୁମତି ନ ଦେଇଥିଲେ ଆଜି ଏହି ଅବସ୍ଥା ଦେଖିବାକୁ ମିଳିଥାନ୍ତା କି ?
Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ
ଅନ୍ୟପଟେ ଦିଲ୍ଲୀ ପୋଲିସ (Delhi Police) ଓ ସରକାରଙ୍କୁ ଦାୟୀ କରି BJP ସରକାର ଯେଉଁ ବ୍ଲେମ୍ ଗେମ୍ ଖେଳିଛି, ବୋଧହୁଏ ଭୁଲି ଯାଉଛି ଯେ ଦିଲ୍ଲୀ ମଧ୍ୟ ଭାରତ ଭିତରେ ଆସୁଛି ଏବଂ ସମଗ୍ର ଦେଶର ପୋଲିସ ବ୍ୟବସ୍ଥା ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି। ତେଣୁ ସିଧାସିଧା କହିବାକୁ ଗଲେ ଏହି ମନ୍ତ୍ରଣାଳୟର ମୁଖିଆ ହେଉଛନ୍ତି ସ୍ୱୟଂ ଗୃହମନ୍ତ୍ରୀ ଅମିତ ଶାହ (Amit Shah) । ରାଜନୈତିକ ଗୋଟି ଚାଳନା କରିବାର ନିଶା ଏବେ ବିଜେପି ପାଇଁ ଦଶା ପାଲଟିବାକୁ ଯାଉଛି । ଚାଷୀଙ୍କ ଟ୍ରାକ୍ଟର ରାଲି ଏବେ ସାରା ଦେଶର ଅନ୍ନଦାତାଙ୍କୁ ଏକ ନୂଆ ବାର୍ତ୍ତା ଦେଇଛି । ଯଥାଶୀଘ୍ର ଏହି ମାମଲାରେ ମୋଦି ସରକାର ହସ୍ତକ୍ଷେପ ନ କଲେ ଆଗାମୀ ଦିନରେ ମାମଲା ଆହୁରି ଜଟିଳ ହେବ।
ଗୋଟିଏ ପଟେ ମଣ୍ଡି ସମସ୍ୟା ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ବେଳେ ଏବେ ଲାଲକିଲ୍ଲାରେ ଚାଷୀଙ୍କ ପତାକା ସରକାରଙ୍କୁ ହରଡଘଣାରେ ପକାଇଛି । ୯-୯ ଥର ବିଭିନ୍ନ ଚାଷୀ ସଂଗଠନଗୁଡ଼ିକ ସହ ସରକାର ବାରମ୍ବାର ଆଲୋଚନା କରୁଛନ୍ତି । କିନ୍ତୁ ଫଳ କିଛି ବାହାରୁନି। ସରକାରଙ୍କ ଜିଦ ଓ ରାଜନୀତିର ପଶାପାଲିରେ ବିଚରା ଚାଷୀ ମୋହରା ବନି ଯାଉଛି। ତେଣୁ ଦିଲ୍ଲୀ ବନାମ କେନ୍ଦ୍ର ଲଢେଇ ଭିତରେ ଯଥା ସମ୍ଭବ ଚାଷୀଙ୍କୁ ଦୁରେଇ ରଖାଯାଉ । ଆଲୋଚନା ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯାଉ ।
Also Read: ଲାଲକିଲ୍ଲାରେ ଯେଉଁଠି ପିଏମ ଉଡ଼ାନ୍ତି ତ୍ରିରଙ୍ଗା, ସେଠାରେ କୃଷକ ଉଡ଼ାଇଲେ ନିଜ ଝଣ୍ଡା
ଅପରପକ୍ଷରେ ଟ୍ରାକ୍ଟର ରାଲି (Tractor March) ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡକୁ ନବନିର୍ମାଣ କୃଷକ ସଂଗଠନ ଘୋର ନିନ୍ଦା କରିଛି। ସଂଘ କହିଛି ଯେ, ଏହି ହିଂସାକାଣ୍ଡ ଚାଷୀମାନଙ୍କର କାର୍ଯ୍ୟ ନୁହେଁ। ଏହା ପଛରେ ଅସାମାଜିକ ତଥା ବାହ୍ୟଶକ୍ତି ତଥା ଅଣଚାଷୀ ସଂଗଠନର ହାତ ରହିଛି। ଯଦି ଏହି କଥା ସତ ତେବେ ଦୋଷୀଙ୍କ ବିରୁଦ୍ଧରେ କୋଠର ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସଂଗଠନ ଦାବି କରିଛି।
ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନ କରିବା, ବିରୋଧ କରିବାର ସମସ୍ତଙ୍କ ଅଧିକାର ଅଛି। କିନ୍ତୁ, ଆଇନକୁ ହାତକୁ ନେଇ ନୁହେଁ। ସରକାରଙ୍କ ବି ଦାୟିତ୍ୱବୋଧ ରହିଛି। ସରକାରଙ୍କ ନିଷ୍ପତ୍ତି ସର୍ବଦା ଜନତାଙ୍କ ହିତ ପାଇଁ ହେବା ଉଚିତ୍। ତେଣୁ, ଆକ୍ରୋଶର ଏହି ବହ୍ନିକୁ ଲିଭାଇବାକୁ ହେଲେ ଦେଶର ନେତା ତଥା ଖୋଦ୍ ପ୍ରଧାନମନ୍ତ୍ରୀ ତୁରନ୍ତ ପୁଣି ଥରେ ଦେଶବାସୀଙ୍କୁ ସମ୍ୱୋଧନ କରନ୍ତୁ। ଆଉ ଚାଷୀଙ୍କ ସହ ଆଲୋଚନା କରି ନିଷ୍କର୍ଷ ବାହାର କରନ୍ତୁ। ତେବେ ଯାଇ ଆତ୍ମନିର୍ଭର ଭାରତର ନୂଆ ସ୍ୱପ୍ନ ପୂରଣ ହେବ। କାରଣ, ଦେଶ ହିତ ପାଇଁ ତଥା ବିକାଶ ପାଇଁ ସର୍ବଦା ରାଜନୀତି ଜରୁରୀ ନୁହେଁ। କେବେକେବେ ସାମାଜିକ ଦାୟିତ୍ୱବୋଧ ବି ଜରୁରୀ।