ଇମ୍ରାନ ଖାନଙ୍କୁ ମିଳିଲା ଝଟକା; Pakistan Supreme Court ଦେଲେ ଏହି ନିର୍ଦ୍ଦେଶ
ସଂସଦ ଭଙ୍ଗ କରିବାକୁ ନେଇ ଦାଖଲ ହୋଇଥିବା ମାମଲା ଉପରେ ଶୁଣାଣି କରି ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରଙ୍କୁ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ହେବ।
ଇସଲାମାବାଦ: ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ଶେଷ ମୋହର ମାରିଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟ। ପାକିସ୍ତାନ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ସାମ୍ନା କରିବା ପାଇଁ ଇମ୍ରାନ ଖାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ପୂର୍ବରୁ ଏହି ପ୍ରସ୍ତାବ ଉପରେ ମତଦାନ ହୋଇ ପାରିନଥିଲା। କାରଣ ପାକିସ୍ତାନ ଜାତୀୟ ସଂସଦ ଉପବାଚସ୍ପତି ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ।
ସଂସଦ ଭଙ୍ଗ କରିବାକୁ ନେଇ ଦାଖଲ ହୋଇଥିବା ମାମଲା ଉପରେ ଶୁଣାଣି କରି ପାକିସ୍ତାନ ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି ଯେ ଇମ୍ରାନ ଖାନ ସରକାରଙ୍କୁ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ହେବ ଏବଂ ସଂସଦରେ ଏହା ଉପରେ ପୁନର୍ବାର ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶ ଦେବାବେଳେ କୋର୍ଟ କହିଛନ୍ତି ଯେ ସଂସଦ ପୂର୍ବ ପରି ୯ ଅପ୍ରେଲରୁ ଚାଲିବ ଏବଂ ସେହି ଦିନ ମତଦାନ ଅନୁଷ୍ଠିତ ହେବ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଇମ୍ରାନ ଖାନ ତାଙ୍କର ଲିଗାଲ ଟିମ ସହ ସାକ୍ଷାତ କରିଥିଲେ। ମାମଲାର ଗମ୍ଭୀରତାକୁ ବିଚାର କରି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଶୁଣିବା ପାଇଁ ଅନେକ ପକ୍ଷ ଯଥା ସରକାର, ବିରୋଧି, ନିର୍ବାଚନ କମିଶନର, ଆଟର୍ଣ୍ଣି ଜେନେରାଲ ପ୍ରମୁଖ କୋର୍ଟ ପରିସରରେ ପହଞ୍ଚିଥିଲେ।
Also Read: ସାମ୍ନାକୁ ଆସିଲେ ପାକିସ୍ତାନର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ
ଏହି ପ୍ରସଙ୍ଗରେ ପ୍ରତିକିୟା ରଖି ଇମ୍ରାନ ଖାନଙ୍କ ଦଳ PTI କହିବା କଥା ଯେ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରାଯିବ। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ କୋର୍ଟ ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଏବଂ ଅଦାଲତ ରାୟକୁ ସେମାନେ ସମ୍ପୂର୍ଣ୍ଣ ସମ୍ମାନ କରିବେ ବୋଲି କହିଛନ୍ତି।
ପାକିସ୍ତାନ ଗଣମାଧ୍ୟମ (Pakistan Media) ରିପୋର୍ଟ ଅନୁସାରେ ପାକିସ୍ତାନ ସୁପ୍ରିମକୋର୍ଟ (Pakistan Supreme Court) ମୁଖ୍ୟ ବିଚାରପତି ଉମର ଅତା ବନ୍ଦିୟାଲ (Umar Ata Bandial) ଗୁରୁବାର ସଂସଦ ଭଙ୍ଗ ମାମଲାର ଶୁଣାଣି କରିବା ସମୟରେ କହିଥିଲେ ୩ ଅପ୍ରେଲରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଦେଶର ଜାତୀୟ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ସ୍ପଷ୍ଟ ଭାବେ ଭୁଲ ଥିଲା। ସଂସଦର ଉପବାଚସ୍ପତିଙ୍କ ନିଷ୍ପତ୍ତି ୯୫ ଅନୁଚ୍ଛେଦକୁ ଉଲ୍ଲଂଘନ କରୁଛି।
ଖ୍ୟ ବିଚାରପତି ଉମର ଅତା ବନ୍ଦିୟାଲ ଶୁଣାଣି ବେଳେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କ ଓକିଲ ସିନେଟର ଅଲି ଜାଫରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ସମ୍ବିଧାନ ଅନୁଯାୟୀ ଦେଶରେ ସବୁକିଛି ଚାଲିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯଦି ସବୁକିଛି ସମ୍ବିଧାନ ଅନୁଯାୟୀ ଚାଲିଛି ତାହେଲେ ଅସୁବିଧା କେଉଁଠାରେ ରହିଛି? ସେହିପରି ବିଚାରପତି ମିୟାଁଖେଲ ଓକିଲ ଜାଫରଙ୍କୁ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁଣାଣି ସମୟରେ ଜଣେ ଜନ ପ୍ରତିନିଧୀ ଅଟନ୍ତି? ଜାତୀୟ ସଂସଦରେ ସମ୍ବିଧାନ ଭଙ୍ଗ କରାଗଲେ ପ୍ରଧାନମନ୍ତ୍ରୀଙ୍କୁ ଶୁଣାଣିରୁ ଆଇନଗତ ସୁରକ୍ଷା ଦିଆଯିବ?
Also Read: Pakistan: ଶାହାୱାଜ ସରିଫ ହେବେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତି ଦେଲେ ଏହି ଆଦେଶ
ଏହି ପ୍ରଶ୍ନର ଏକ ସକାରାତ୍ମକ ଉତ୍ତର ଦେଇଥିଲେ ଓକିଲ ସିନେଟର ଅଲି ଜାଫର। ଏନେଇ ସେ କହିଥିଲେ ଲିପିବଦ୍ଧ ହୋଇଥିବା ନିୟମ ଅନୁଯାୟୀ ସମ୍ବିଧାନକୁ ସୁରକ୍ଷିତ କରାଯିବା ଆବଶ୍ୟକ। ସମ୍ବିଧାନ ସୁରକ୍ଷା ପାଇଁ ଏହାର ପ୍ରତ୍ୟେକ ଅନୁଚ୍ଛେଦକୁ ଧ୍ୟାନରେ ରଖିବାକୁ ହେବ। ହେଲେ ଏହା ଉପରେ ମୁଖ୍ୟ ବିଚାରପତି ବାନ୍ଦିଆଲ ପ୍ରଶ୍ନ ଉଠାଇଥିଲେ ଯେ କେବଳ ଜଣେ ସଦସ୍ୟଙ୍କ ଉପରେ ନୁହେଁ ବରଂ ସମଗ୍ର ଜାତୀୟ ସଭା ସହ ଅନ୍ୟାୟ ହେବ।