PM, CMଙ୍କ ଚାଲାଣ କାଟିବ କିଏ?
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଟିକା ନେଇଛନ୍ତି। ତେବେ ଟିକା ନେବା ସମୟରେ ଏହି ଉଭୟ ନେତା କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ନୂଆଦିଲ୍ଲୀ: ପ୍ରାୟ ୪୫ ଦିନ ପରେ ଭାରତବାସୀ ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ, ସୋମବାର ତାହା ସଫଳ ହୋଇଛି। ଆଜିଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ କୋରୋନା ଟିକାକରଣରେ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଉଛି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶର ଅର୍ଦ୍ଧାଧିକ ରାଜନେତା ଏହି ବର୍ଗରେ ଆସୁଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଟିକା ନେଇଛନ୍ତି। ତେବେ ଟିକା ନେବା ସମୟରେ ଏହି ଉଭୟ ନେତା କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ (Corona Vaccination) ର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟିକା ନେଇଛନ୍ତି। ସକାଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀ AIIMSରେ ଟିକା ନେଇଥିବା ବେଳେ ବିଧାନସଭା ପରିସରରେ ଥିବା ମେଡିକାଲରେ ମୁଖ୍ୟମନ୍ତ୍ରୀଙ୍କର ଟିକାକରଣ ହୋଇଛି। ଉଭୟେ ଟିକାକରଣ ବେଳର ଫଟୋ ସୋସିଆଲ ମିଡିଆ (Social Media) ରେ ପୋଷ୍ଟ କରିଛନ୍ତି। ତେବେ ସେମାନଙ୍କ ଫଟୋରେ ଗୋଟିଏ ଜିନିଷରେ ସାମଞ୍ଜସ୍ୟ ରହିଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମୁହଁରେ ମାସ୍କ ନାହିଁ।
Also Read: ମୋଦିଙ୍କ ଟିକାକରଣରେ ନିର୍ବାଚନ ପ୍ରଚାର!
କୋରୋନା ଗାଇଡଲାଇନ (Covid19 guidelines) ରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ (Mask) ବ୍ୟବହାର ନକଲେ ଫାଇନ ମଧ୍ୟ ଲାଗୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସଚେତନ କରାଇବାକୁ ଅନେକ ପଦକ୍ଷେପ ନେଉଛନ୍ତି। ପ୍ରାୟତଃ ସମୟରେ ଏପରିକି ଭିଡିଓ କନଫରେନ୍ସିଂ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ମାସ୍କ ପିନ୍ଧିଥିବା ଓ ସାମାଜିକ ଦୂରତାରେ ବସିଥିବା ଦେଖିବାକୁ ମିଳନ୍ତି। କିନ୍ତୁ ଆଜି ଟିକା ନେଲା ବେଳେ ଉଭୟ କୋରୋନା (Covid19) କଟକଣାକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ଟିକା ନେଲାବେଳେ ସାମାଜିକ ଦୂରତା (Social Distance) ରଖିବା ଅସମ୍ଭବ। କିନ୍ତୁ ଅନ୍ତତଃ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧି ପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଫଟୋ ପୋଜ୍ ଦେବାକୁ ନେତା-ମନ୍ତ୍ରୀ ମୁହଁରୁ ମାସ୍କ କାଢୁଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ସେହିପରି ଯଦି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଛନ୍ତି ତେବେ ସେମାନଙ୍କ ଚାଲାଣ କିଏ କାଟିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ସେପଟେ ସାଧାରଣ ଜନତା ଓ ଗରିବଙ୍କୁ କେବେ କୋରୋନା ଟିକା ଦିଆଯିବ ତାହାକୁ ସମସ୍ତେ ଅନେଇ ବସିଛନ୍ତି।