ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଏବେ ସାରା ଦେଶରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସବୁଠୁ ବଡ଼ ବିତର୍କର ବିଷୟ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ତାଙ୍କର ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ଏବେ ସିବିଆଇ ଜେରାକୁ ସାମ୍ନା କରୁଛନ୍ତି । କିନ୍ତୁ ଏ ଘଟଣାରେ ଏବେ କିଛି ଏମିତି ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି, ଯାହା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହ ସିଧାସଳଖ ଜଡ଼ିତ । କିଛି ଦିନ ତଳେ ଏକ  ଜାତୀୟ ଗଣମାଧ୍ୟମ ୨୦୧୭ ମସିହାରେ ରିଆ ଓ ତାଙ୍କ ବନ୍ଧୁ ସିମୋନ୍ ଖମ୍ବାଟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସାପ୍ କଥାବାର୍ତ୍ତାକୁ ସାମ୍ନାକୁ ଆଣିଥିଲା ଏବଂ ଏଥିରେ ଭୁବନେଶ୍ୱରର ବିଷୟରେ ଉଲ୍ଲେଖ ଥିଲା । ହ୍ୱାଟସାପ୍ କଥାବାର୍ତ୍ତାରେ କୁହାଯାଇଥିଲା କି ଭୁବନେଶ୍ୱରରେ ଦେଶର ସବୁଠୁ ଚମତ୍କାର ଗଞ୍ଜେଇ ମିଳେ । ଠିକ୍ ସେହିପରି ଗତ ରବିବାର ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ମଧ୍ୟ ଭୁବନେଶ୍ୱର ଓ ଏହାର ମାଇନିଂ ମାଫିଆ କଥା ସମ୍ୟକ ଭାବରେ ଉଲ୍ଲେଖ କରି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING


 


ଏ ବିଷୟ ସେମିତି, ଯେମିତି ଆଳୁ ଖୋଳୁ ଖୋଳୁ ମହାଦେବ । ବାସ୍ତବରେ ମୂଳ କଥା ହେଉଛି, ରିଆ ଓ ସୁଶାନ୍ତଙ୍କର ଡ୍ରଗ୍ସ ଭଳି ନିଶା ଓ ତାର କାରବାର ସହ ସମ୍ପର୍କ କ'ଣ? ବଲିଉଡରେ ପ୍ରକୃତରେ ଡ୍ରଗ୍ସ ମାଫିଆ କେତେ ସକ୍ରିୟ? ଏ କଥାର ଅନୁସନ୍ଧାନ ଚାଲୁଥିବାବେଳେ ଏବେ ଭୁବନେଶ୍ୱରର ଲିଙ୍କ୍ ସାମ୍ନାକୁ ଆସିବା ରାଜ୍ୟବାସୀଙ୍କୁ ଅତ୍ୟନ୍ତ ଚକିତ କଲା ଭଳି କଥା । ରିଆ ଓ ତାଙ୍କ ବନ୍ଧୁ ସିମୋନଙ୍କ ମଧ୍ୟରେ ୨୦୧୭ ମସିହାରେ ଏକ ହ୍ୱାଟସାପ୍ କଥାବାର୍ତ୍ତା ହୋଇଥିଲା । ସେତେବେଳେ ରିଆ ଭିଭୋ ଆଇପିଏଲର ଟ୍ରଫି ଉନ୍ମୋଚନ ଓ ପ୍ରଦର୍ଶନ ପାଇଁ ଭୁବନେଶ୍ୱରରେ ଥିଲେ । ବ୍ରାଣ୍ଡ୍ ଆମ୍ବାସଡର ଭାବେ ସେ ଉତ୍ସବରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଥିଲେ ଓ ସେହି ସମୟରେ ଭୁବନେଶ୍ୱରରେ ଥାଇ ସେ ସିମୋନଙ୍କ ସହ ହ୍ୱାଟସାପରେ ଚାଟ୍ କରିଥିଲେ । ସେହି କଥାବାର୍ତ୍ତାରେ ସେ ଭୁବନେଶ୍ୱର ପ୍ରଶଂସା କରିବା ସହ ଏଠାକାର ଗଞ୍ଜେଇ ସର୍ବୋତ୍କୃଷ୍ଟ ବୋଲି ସିମୋନଙ୍କୁ ଜଣାଇଥିଲେ ।


 


ଖାଲି ଏହି ଥରେ ନୁହେଁ, ଏକାଧିକ ଥର ରିଆ ଭୁବନେଶ୍ୱର ଯାଇଛନ୍ତି । ଏକ ବଡ଼ ଜ୍ୱେଲାରୀ ସୋ' ରୁମର ଉତ୍ସବରେ ଯୋଗଦେବାକୁ ମଧ୍ୟ ରିଆ ଭୁବନେଶ୍ୱର ଆସିଥିଲେ । କିନ୍ତୁ ପ୍ରଶ୍ନ ହେଉଛି, ରିଆଙ୍କ ଭଳି ଜଣେ ବଲିଉଡ୍ କଳାକାର ଯେତେବେଳେ ଭୁବନେଶ୍ୱର ଆସୁଛନ୍ତି, ତାଙ୍କୁ ଏଠାରେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ କିଏ ପ୍ରଦାନ କରିଥିଲା? କେଉଁ ହୋଟେଲରେ ସେ ରହୁଥିଲେ? ହୋଟେଲରେ ସେଥିରେ କ'ଣ କିଛି ଭୂମିକା ରହିଛି କି? ରିଆଙ୍କ ଭଳି ସେଲିବ୍ରିଟିଙ୍କୁ ଯଦି ଭୁବନେଶ୍ୱରରେ ସହଜରେ ଗଞ୍ଜେଇ ମିଳିଯାଉଛି ଓ ସେ ତାର ପ୍ରଶଂସା କରି ତାକୁ ସର୍ବୋତ୍କୃଷ୍ଟ ବୋଲି କହୁଛନ୍ତି, ତେବେ ଭୁବନେଶ୍ୱର କ'ଣ ନିଶା ବେପାରୀଙ୍କ ସ୍ୱର୍ଗ ସାଜିଗଲାଣି କି?



ରିଆଙ୍କର ଏହି ବାର୍ତ୍ତାଳାପକୁ ନେଇ ବତର୍କ ନଛିଡୁଣୁ, ଗତ ରବିବାର ବଲିଉଡର ବିଶିଷ୍ଟ ଅନିନେତ୍ରୀଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି । ଏଥିରେ ଖୁଲମଖୁଲା କଙ୍ଗନା ଦାବି କରିଛନ୍ତି ଯେ ସେ ଯେତେବେଳେ ଫିଲ୍ମରେ କାମ କରିବାକୁ ମୁମ୍ବାଇ ଆସିଥିଲେ, ସେତେବଳେ ତାଙ୍କୁ ଜଣେ ଚରିତ୍ର ଅଭିନେତା ଭଡ଼ା ଘରେ ରଖି ଯୌନ ଶୋଷଣ କରିବା ସହ ଡ୍ରଗ୍ସର ଅଭ୍ୟସ୍ତ କରାଉଥିଲେ । ସେହି ସମୟରେ କଙ୍ଗନାଙ୍କୁ ସେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମେହଫିଲରେ ମଧ୍ୟ ପେଶ୍ କରିଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ । ଆଉ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ କିଛି ଭୁବନେଶ୍ୱର ଖଣି ମାଫିଆ ବି ଥିଲେ । ସେତେବେଳେ କଙ୍ଗନାଙ୍କୁ ଡର ଥିଲା କି କାଳେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କଙ୍ଗନାଙ୍କୁ ଏହି ତଥାକଥିତ ବିଶିଷ୍ଟ ବ୍ୟକ୍ତିଙ୍କୁ ବିକ୍ରି ବା ଚାଲାଣ କରିବାକୁ ଆଣି ନାହାନ୍ତି ତ? କଙ୍ଗନାଙ୍କ ଏହି ଦାବିରୁ ଗୋଟିଏ କଥା ସ୍ପଷ୍ଟ ଯେ, ନିଶାର ରାକେଟ୍ ଓ ନାରୀଙ୍କ ଚାଲାଣ ତଥା ସେକ୍ସ ସାଣ୍ଡାଲ୍ ସହ ଭୁବନେଶ୍ୱରର କିଛି ଖଣି ମାଫିଆ ବି ଦୀର୍ଘ ସମୟ ଧରି ସମ୍ପୃକ୍ତ ରହି ଆସିଛନ୍ତି ।



 


ଭୁବନେଶ୍ୱର ବିଷୟରେ ଏମିତି କଥା ସବୁ ସାମ୍ନାକୁ ଆସିବା ପରେ ଏବେ ଏବେ ରାଜ୍ୟ ପୋଲିସ ଓ ପ୍ରଶାସନ ଆଡ଼କୁ ସ୍ୱାଭାବିକ ଭାବେ ଅଙ୍ଗୁଳି ଉଠୁଛି । ପ୍ରଚ୍ଛଦ ପଟରେ ଏସବୁ ଘଟଣା ଘଟିବା ଓ ଏକ ବଡ଼ ଜାତୀୟ ଅନୁସନ୍ଧାନ ମଧ୍ୟରେ ତଥ୍ୟ ସାମ୍ନାକୁ ଆସିବା ଓଡ଼ିଶା, ଖାସ୍ କରି ଆମ ରାଜଧାନୀର ଚିକମିକ୍ ଛବିକୁ ମଳିନ କରିନି କି? ଏଠାରେ ଆପଣ ଟିକେ ମନେପକାନ୍ତୁ, ନିକଟ ଅତୀତରେ ଭୁବନେଶ୍ୱର ହଳଦିପଡ଼ିଆ କେମିତି ଡ୍ରଗ୍ସ ବେପାରୀଙ୍କ ଚରାଭୂଇଁ ସାଜିଥିଲା । କଟକ ଗୋପାଳପୁରରେ ମଧ୍ୟ କିଛି ବେପାରୀ ସକ୍ରିୟ ଥିବା ପୋଲିସ ଜାଣିବାକୁ ପାଇଥିଲା । ଖାସ୍ କରି ରାଜଧାନୀରେ ପାଠ ପଢ଼ିବାକୁ ଆସୁଥିବା ଛାତ୍ର ଏହି ଡ୍ରଗ୍ସର ଶିକାର ବି ହେଉଛନ୍ତି ଓ ସମୟ ଆସିଲେ ତାର ବେପାର ବି କରୁଛନ୍ତି । ଯାହାକି ଖୁବ ବିଡ଼ମ୍ବନାର ବିଷୟ । କିନ୍ତୁ ତା'ଠାରୁ ଅଧିକ ଅନୁସନ୍ଧାନର ବିଷୟ ନିଶ୍ଚିତ ।