Foreign Guest for Republic Day of India: ଆସନ୍ତା ଜାନୁଆରୀ ୨୬ ତାରିଖରେ ଭାରତ ଏହାର ୭୪ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଏହି ଦିନ ସମଗ୍ର ଦେଶ ଦେଶପ୍ରେମର ରଙ୍ଗରେ ବୁଡି ରହିଥାଏ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଭାରତ ବର୍ଷର ଶକ୍ତି ଦେଖିଥାଏ ସମଗ୍ର ବିଶ୍ୱ। ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ସାଧାରଣତନ୍ତ୍ର ଦିବସ ସମସ୍ତ 
ଭାରତୀୟଙ୍କ ଲାଗି ବିଶେଷ ଗୁରୁତ୍ୱ ବହନ କରିଥାଏ।  ଏହି ଦିନ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବକୁ ସମ୍ମାନିତ କରିଥାଏ। ଗତ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚୟ ହାସଲ କରିଥିଲା ଭାରତ।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥ ପୂର୍ବର ରାଜପଥ ଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଆୟୋଜନ ପାଇଁ ଅନେକ କାର୍ଯ୍ୟ କରାଯାଇଥାଏ। ଏହି ମହାନ୍ ସମାରୋହର ମୁଖ୍ୟ ଅତିଥି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥାନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ-ସିସି ମୁଖ୍ୟ ଅତିଥି ଯୋଗ ଦେବେ। ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ଲୋକ ଅନ୍ୟ କୌଣସି ଦେଶର ରାଷ୍ଟ୍ରମୁଖ୍ୟ ହୋଇଥାନ୍ତି। ହେଲେ ଏବେ ସାଧାରଣତନ୍ତ୍ର ଦିବସ ଲାଗି ମୁଖ୍ୟ ଅତିଥି କିପରି ଚୟନ କରାଯାଏ? 


ସାଧାରଣତନ୍ତ୍ର ଦିବସ ଲାଗି ମୁଖ୍ୟ ଅତିଥି କିଏ ହେବ ସେ ସମ୍ପର୍କରେ ନିଷ୍ପତ୍ତି ନେଇଥାନ୍ତି ଭାରତ ସରକାର। ଅନେକ କାରଣକୁ ଧ୍ୟାନରେ ରଖି ଭାରତ ସରକାର କୌଣସି ରାଷ୍ଟ୍ର କିମ୍ବା ଏହାର ସରକାରୀ ମୁଖ୍ୟଙ୍କୁ ଆମନ୍ତ୍ରଣ କରିଥାନ୍ତି। ସାଧାରଣତନ୍ତ୍ର ଦିବସ ଲାଗି ବିଦେଶୀ ଅତିଥି ଚୟନ କରିବା ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନେକ ପ୍ରସଙ୍ଗ ଉପରେ ବିଚାର କରିଥାଏ। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମ୍ପୃକ୍ତ ଦେଶର ଭାରତ ସହିତ ରହିଥିବା ସମ୍ପର୍କ। ଅନ୍ୟାନ୍ୟ କାରଣ ମଧ୍ୟରେ ଅର୍ଥନୈତିକ, ରାଜନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ, ଆଞ୍ଚଳିକ ଗୋଷ୍ଠୀର ଆଭିମୁଖ୍ୟ, ସାମରିକ ସହଯୋଗ କିମ୍ବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଭଳି ସଂଘ ସହ ରହିଥିବା ସମ୍ପର୍କ ଅନ୍ତର୍ଭୂକ୍ତ ରହିଛି। ଅତିଥି ଚୟନ କରିବାର ପ୍ରକ୍ରିୟା ସାଧାରଣତନ୍ତ୍ର ଦିବସ ପାଳନ ହେବାର ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇଥାଏ।


ଏହା ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମ୍ଭାବ୍ୟ ଅତିଥିଙ୍କ ଉପରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ଗ୍ରହଣ କରିଥାଏ। ଅନୁମୋଦନ ପାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ସାଧାରଣତନ୍ତ୍ର ଦିବସ ଲାଗି ବିଦେଶୀ ଅତିଥି ଖୋଜିବା କାର୍ଯ୍ୟ ଆରମ୍ଭ କରିଥାଏ। ସମ୍ପୃକ୍ତ ଦେଶରେ ଅବସ୍ଥାପିତ ରହିଥିବା ଭାରତୀୟ ରାଷ୍ଟ୍ରଦୂତ ସମ୍ପୃକ୍ତ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଉପଲବ୍ଧତା ଜାଣିବାକୁ ଚେଷ୍ଟା କରିଥାନ୍ତି। ଏହା ଆବଶ୍ୟକ କାରଣ, ଜଣେ ରାଷ୍ଟ୍ରମୁଖ୍ୟଙ୍କ ଅନ୍ୟାନ୍ୟ କାର୍ଯ୍ୟ ରହିଥାଏ।


ଥରେ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଞ୍ଚଳିକ ବୁଝାମଣା ଏବଂ ଚୁକ୍ତିନାମା ଦିଗରେ କାର୍ଯ୍ୟ କରିଥାନ୍ତି। ପ୍ରୋଟୋକଲ୍ ମୁଖ୍ୟ ସେତେବେଳେ ଯାଇ କାର୍ଯ୍ୟକ୍ରମ ବାବଦରେ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। କେବଳ ସେତିକି ନୁହେଁ ସୁରକ୍ଷା, ଆନୁଷଙ୍ଗୀକ ସୁବିଧା ସୁଯୋଗ ଏବଂ ଚିକିତ୍ସା ଆବଶ୍ୟକତା ଭଳି ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଏ। ଏହା ଭାରତ ସରକାରଙ୍କ ଅନ୍ୟ ବିଭାଗ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କରା ଯାଇଥାଏ ଯେଉଁଠାରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ କିମ୍ବା ପରେ ଭାରତ ଆସିଥିବା ବିଦେଶୀ ଅତିଥି ସେଠାକୁ ପରିଦର୍ଶନରେ ଯାଇପାରନ୍ତି।